ଅହିଂସା ଶଦ୍ଦକୁ ସମ୍ବିଧାନର ମୁଖବନ୍ଧରେ ସ୍ଥାନ ଦେବାକୁ ଦାବି କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Published By : Prameya-News7 Bureau | December 19, 2019 IST

ନୂଆଦିଲ୍ଲୀ ୧୯।୧୨ - ରାଷ୍ଟ୍ରପତି ଭବନଠାରେ ଗାନ୍ଧୀଜୀଙ୍କ ୧୫୦ ତମ ଜୟନ୍ତୀ ପାଳନ ନିମନ୍ତେ ଗଠିତ ଜାତୀୟ କମିଟିର ଦ୍ୱିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ଅହିଂସାକୁ ଶାନ୍ତି ଓ ବିକାଶର ମାର୍ଗ ବୋଲି କହିଛନ୍ତି । ଦେଶର ବିକାଶ ପାଇଁ ଗାନ୍ଧୀଜୀଙ୍କ ଅହିଂସା ମାର୍ଗକୁ ଆପଣାଇବା ପାଇଁ ଯୁବସମାଜକୁ ଆହ୍ୱାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଅହିଂସା ବିଶ୍ୱ ପାଇଁ ସବୁଠାରୁ ଶକ୍ତିଶାଳୀ ବାର୍ତ୍ତା ବୋଲି ବୈଠକରେ କହିଥିଲେ ମୁଖ୍ୟମନ୍ତ୍ରୀ । ଅହିଂସା ହିଁ ଆମ ସ୍ୱାଧୀନତା ସଂଗ୍ରାମକୁ ବିଶ୍ୱର ସବୁ ସଂଗ୍ରାମ ଠାରୁ ନିଆରା କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମହାତ୍ମା ଗାନ୍ଧୀଙ୍କ ଅହିଂସା ତତ୍ତ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ନୀତି ହେଉଛି ଦାରିଦ୍ର୍ୟ ଓ ସାମାଜିକ ଅବିଚାର ସବୁଠାରୁ ବଡ ହିଂସା । ବିନା ଅହିଂସାରେ ଗରିବୀ ଦୂର କରାଯାଇ ପାରିବ ନାହିଁ ବୋଲି ମତ ଦେଇ ଜାତି, ଧର୍ମ, ବର୍ଣ୍ଣ ଭିତ୍ତିରେ ସମାଜକୁ ବିଭକ୍ତ କରୁଥିବା ଶକ୍ତିର ପରାଜୟରେ ହିଁ ପ୍ରଗତି ହାସଲ କରାଯାଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହା ସହ ଗାନ୍ଧୀଜୀଙ୍କ ଜୟନ୍ତୀ ଅବସରରେ ଅହିଂସା ଶବ୍ଦ ଭାରତୀୟ ସମ୍ବିଧାନର ମୁଖବନ୍ଧରେ ସ୍ଥାନିତ ହେଲେ ତାହା ମହାତ୍ମାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳୀ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.