ପୁରୀ ପାଇଁ ବଡ଼ ଘୋଷଣା : ପୁରୀ କ୍ଷତିଗ୍ରସ୍ତଙ୍କ ପାଇଁ ସ୍ବତନ୍ତ୍ର ଥଇଥାନ ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | September 03, 2019 IST

ପୁରୀ ୩/୯: ପୁରୀ ପାଇଁ ବଡ଼ ଘୋଷଣା । ଶ୍ରୀମନ୍ଦିର ଚାରିପାଖ ଉଚ୍ଛେଦ ପାଇଁ ବଡ଼ ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ଉଚ୍ଛେଦ କାର୍ଯ୍ୟ ଯୋଗୁଁ ଯେଉଁମାନେ ବିସ୍ଥାପିତ ହୋଇଛନ୍ତି, ସେମାନଙ୍କ ପାଇଁ କ୍ଷତିପୁରଣ ଘୋଷଣା କରିଛନ୍ତି । ବାସଗୃହ, ଦୋକାନ ଓ ଲଜ୍ ଗୁଡ଼ିକ ପାଇଁ କ୍ଷତିପୁରଣ ପ୍ୟାକେଜ୍ ଘୋଷଣା ହୋଇଥିବା ବେଳେ, ଭଙ୍ଗା ଯାଉଥିବା ମଠଗୁଡ଼ିକ ପାଇଁ ଥଇଥାନ, ସଂରକ୍ଷଣ, ପୁନର୍ବାସ ବ୍ୟବସ୍ଥା କରାଯିବାକୁ ଘୋଷଣା ହୋଇଛି ।

ଉଚ୍ଛେଦ ଯୋଗୁଁ ବିସ୍ଥାପିତଙ୍କ ପାଇଁ ପ୍ୟାକେଜ ଘୋଷଣା ।  ପୁରୀ ପାଇଁ ପ୍ୟାକେଜ୍ । ଶ୍ରୀମନ୍ଦିର ସୁରକ୍ଷା ବଳୟ ଭିତରେ ଆସୁଥିବା ଘର, ଦୋକାନ, ଲଜ୍ ଏବଂ ମଠ ପାଇଁ ପୁନର୍ବାସ ଓ ଥ|ଇଥାନ ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ୨୦୧୩ର ଜମି ଅଧିଗ୍ରହଣ ଆଇନ ଅନୁସାରେ ବିସ୍ଥାପିତଙ୍କୁ କ୍ଷତିପୁରଣ ପ୍ୟାକେଜ୍ ମିଳିବ । କ୍ଷତିପୁରଣ ପ୍ୟାକେଜକୁ ୪ଟି ମୁଖ୍ୟ ଭାଗରେ ବିଭକ୍ତ କରାଯାଇଥିବା ବେଳେ ଆସନ୍ତୁ ପ୍ରଥମେ ନଜର ପକାଇବା ବାସଗୃହ ହରାଉଥିବା ଲୋକଙ୍କ ପାଇଁ କଣ ରହିଛି ପ୍ୟାକେଜ୍ ।…

ଘର ହରାଉଥିବା ସବୁ ପରିବାରକୁ କ୍ଷତିପୁରଣ ଦିଆଯିବ ।ସ୍ଥାନାନ୍ତରିତ ହୋଇଥିବା ପରିବାର ଗୁଡ଼ିକର ପରିବହନ ତଥା ଆନୁସଙ୍ଗିକ ଖର୍ଚ୍ଚ ପାଇଁ ୫୦ ହଜାର ଟଙ୍କା ତୁରନ୍ତ ସହାୟତା ପ୍ରଦାନ କରାଯିବ । ବିସ୍ଥାପିତ ପରିବାରକୁ ଘର କିମ୍ବା ଜମି ପାଇବା ପର୍ଯ୍ୟନ୍ତ ମାସିକ ୧୦ ହଜାର ଟଙ୍କା ଘରଭଡ଼ା ଦିଆଯିବ । ଏକକାଳୀନ ସହାୟତା ନେଇଥିବା ପରିବାର ଏହି ସହାୟତା ପାଇବେ ନାହିଁ । ବିସ୍ଥାପିତ ହେଉଥିବା ପରିବାର ଏକକାଳୀନ ୩୦ ଲକ୍ଷ ଟଙ୍କାର ସହାୟତା ନେଇପାରିବେ । କିମ୍ବା ମନ୍ଦିରର ଦେଢ଼ କିଲୋମିଟର ଅଞ୍ଚଳ ଭିତରେ ପୁନର୍ବାସ ଓ ଥଇଥାନ କଲୋନୀରେ ୫୨୦ ବର୍ଗଫୁଟର ଘର ନେଇପାରିବେ । କିମ୍ବା ମନ୍ଦିରର ୨ କିଲୋମିଟର ଭିତରେ ୪୦/୨୫ ଫୁଟର ଏକ ଜାଗା ନେଇପାରିବେ ।….

ଦୋକାନଘର ହରାଇଥିବା ବିସ୍ଥାପିତଙ୍କୁ ପରିବହନ ଏବଂ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ୫୦ ହଜାର ଟଙ୍କାର ସହାୟତା ।ଦୋକାନ ଘର ପାଇଁ ୨ ପ୍ରକାରର ସହାୟତା ଘୋଷଣା କରାଯାଇଛି ।

ପ୍ରଥମଟି ହେଲା - ୨୦୦ ବର୍ଗଫୁଟ୍ରୁ କମ୍ ୨୦୦ରୁ ୫୦୦ ବର୍ଗଫୁଟ୍ ଏବଂ ୫୦୦ ବର୍ଗଫୁଟର ଅଧିକ ବିଲ୍ଟଅପ୍ ଏରିଆରେ ଦୋକାନ ପାଇଁ  ମାସିକ ଯଥାକ୍ରମେ ୫ ହଜାର, ୧୦ ହଜାର ଏବଂ ୧୫ ହଜାର ଟଙ୍କା ଭଡ଼ା ଦିଆଯିବ ।…

ଦ୍ବିତୀୟଟି ହେଲା- ପୁରୀର ବିଭିନ୍ନ ମାର୍କେଟ କଂପ୍ଲେକ୍ସରେ ଦୋକାନ ଘର ଦିଆଯିବ ।ସିକ୍ୟୁରିଟି ଜୋନ୍ ଭିତରେ ଥିବା ପ୍ରତିଟି ଦୋକାନ ପାଇଁ ଥଇଥାନ ବ୍ୟବସ୍ଥା କରାଯିବ ।…

ଅସ୍ଥାୟୀ କ୍ଷୁଦ୍ର ବ୍ୟବସାୟୀଙ୍କୁ ଏକକାଳୀନ ୩୦ ହଜାର ଟଙ୍କା ଏବଂ ଜିଲ୍ଲାପାଳଙ୍କ ଦ୍ବାରା ଜମି ଯୋଗାଇ ଦିଆଯିବ ।

୧୫୦୦ ବର୍ଗଫୁଟରୁ ଅଧିକ ଲଜ୍ ପାଇଁ ପୁନର୍ବାସ, ଥଇଥାନ ପ୍ୟାଜେକ ଅନୁସାରେ କ୍ଷତିପୁରଣ ମିଳିବ ।

୩୦୦୦ ବର୍ଗଫୁଟରୁ ଅଧିକ ଜମିରେ ଥିବା ଲଜ୍ ପାଇଁ ୧୦ ଲକ୍ଷ ଟଙ୍କା ଏବଂ ୩୦୦୦ ବର୍ଗଫୁଟ୍ରୁ କମ୍ ଅଞ୍ଚଳରେ ଥିବା ଲଜ୍ ପାଇଁ ୫ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯିବ ।ଲଜ୍ ମାଲିକ ବିଲ୍ଟଅପ୍ ଏରିଆରେ ବର୍ଗଫୁଟ୍ ପାଇଁ ୨୦୦୦ ଟଙ୍କା ଏକକାଳୀନ ସହାୟତା ପାଇବେ ।ବଡ଼ଦାଣ୍ଡର ଉଭୟ ପାର୍ଶ୍ବରେ ୩୦୦ ମିଟର ମଧ୍ୟରେ ଜମି ଏବଂ ବର୍ଗଫୁଟ ପାଇଁ ୭୫୦ ଟଙ୍କା ମିଳିବ ।….

ଉଚ୍ଛେଦ ହୋଇଥିବା ମଠ ଗୁଡ଼ିକ ପାଇଁ ଥଇଥାନ, ସଂରକ୍ଷଣ, ପୁନର୍ବାସ ବ୍ୟବସ୍ଥା କରାଯାଇଛି ।ପୁରୀ ଜିଲ୍ଲାପାଳଙ୍କ ସହ ଆଲୋଚନା ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ।ପୀଠର ଗାଦି ଏବଂ ପ୍ରତିଷ୍ଠିତ ଦେବାଦେବୀଙ୍କ ସଂରକ୍ଷଣ କରାଯିବ ।ମଠ ଗୁଡ଼ିକର ପାର୍କିଂ ବ୍ୟବସ୍ଥା ସହିତ ମାର୍କେଟ୍ କଂପ୍ଲେକ୍ସ ପାଇଁ ଦୋକାନ ଘର ଯୋଗାଇ ଦିଆଯିବ ।

ଜଷ୍ଟିସ ବିପି ଦାସ କମିଶନଙ୍କ ସୁପାରିଶରେ ଶ୍ରୀମନ୍ଦିର ପାଇଁ ସୁରକ୍ଷିତ ଜୋନ୍ ନିର୍ମାଣ କରାଯିବ ।ବିଜ୍ଞପ୍ତି ପ୍ରକାଶ ପାଇବାର ୩୦ ଦିନ ଭିତରେ ସରକାରଙ୍କୁ ସଂପତ୍ତି ହସ୍ତାନ୍ତର କରୁଥିବା ଲୋକଙ୍କୁ ୧୦ ପ୍ରତିଶତ ଅଧିକ ଆର୍ଥିକ ସହାୟତା ମିଳିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.