Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମୁଖ୍ୟମନ୍ତ୍ରୀ ଗେହଲଟ୍‌ଙ୍କ ସଙ୍ଗୀନ ଅଭିଯୋଗ: ସରକାର ଭାଙ୍ଗିବାକୁ ଉଦ୍ୟମ କରୁଛି ବିଜେପି, କଂଗ୍ରେସ ବିଧାୟକଙ୍କୁ ଦେଉଛି ୨୫-୨୫ କୋଟି ଟଙ୍କାର ଅଫର

11/07/2020 at 5:17 PM

ଜୟପୁର ୧୧।୦୭: ରାଜସ୍ଥାନର କଂଗ୍ରେସ ସରକାରକୁ ଭାଙ୍ଗିବା ପାଇଁ ରଚାଯାଇଥିବା ଷଡଯନ୍ତ୍ରର ଖୁଲାସା ହେବା ଏବଂ  ଏସଓଜି ପକ୍ଷରୁ କେସ୍‌ ରୁଜୁ ହେବା ପରେ ଖୋଦ୍ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ବିଜେପି ଉପରେ ଗୁରୁତର ଆରୋପ ଲଗାଇଛନ୍ତି। ବିଜେପି କଂଗ୍ରେସର ବିଧାୟକଙ୍କୁ ଅର୍ଥ ଲୋଭ ଦେଖାଇ ସରକାର ଭାଙ୍ଗିବାକୁ ଚେଷ୍ଟା କରୁଥିବା ଗେହଲଟ୍‌ କହିଛନ୍ତି। ଗେହଲଟ୍‌ ଶନିବାର ସାମ୍ବାଦିକ ସମ୍ମିଳନୀ କରି ଦାବି କରିଛନ୍ତି, ବିଜେପି ତାଙ୍କ ସରକାର ଭାଙ୍ଗିବାକୁ ଷଡଯନ୍ତ୍ର ରଚୁଛି। ସେ ସିଧାସଳଖ ଆରୋପ ଲଗାଇଛନ୍ତି ଯେ, ବିଜେପି ପକ୍ଷରୁ କଂଗ୍ରେସ ବିଧାୟକଙ୍କୁ ୨୫-୨୫ କୋଟି ଟଙ୍କାର ଅଫର ଦିଆଯାଉଛି।

ଗେହଲଟ୍ କହିଛନ୍ତି, ସେ ସତୀଶ ପୁନିଆ ହୁଅନ୍ତୁ  କି ରାଜେନ୍ଦ୍ର ରାଠୋର ଉଭୟ କେନ୍ଦ୍ର ନେତୃତ୍ଵଙ୍କ ଇସାରାରେ ଆମ ସରକାର ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି। ମୁଖ୍ୟମନ୍ତ୍ରୀ ଏହା ମଧ୍ୟ ଦାବି କରିଛନ୍ତି ଯେ, ବିଧାୟକଙ୍କୁ ଆଡଭାନ୍ସ ୧୦-୧୦ କୋଟି ଟଙ୍କା ଏବଂ ସରକାର ଭାଙ୍ଗିବା ପରେ ବଳକା ୧୫ କୋଟି ଟଙ୍କା ଦିଆଯିବ ବୋଲି ଅଫର ଦିଆଯାଉଛି।

ଘୋଡା ବେପାର ପଛରେ ଉପ ମୁଖ୍ୟମନ୍ତ୍ରୀ ସଚିନ୍ ପାଇଲଟ୍‌ ମୁଖ୍ୟମନ୍ତ୍ରୀ ହେବା ପାଇଁ ଷଡଯନ୍ତ୍ର ରଚୁଥାଇ ପାରନ୍ତି ଏବଂ କଂଗ୍ରେସରେ ଗୋଷ୍ଠୀକନ୍ଦଳ ଉପରେ ହୋଇଥିବା ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ଗେହଲଟ୍ କହିଛନ୍ତି, ମୁଖ୍ୟମନ୍ତ୍ରୀ ହେବାକୁ କାହାର ବା ଇଚ୍ଛା ନାହିଁ ? ଆମ ପକ୍ଷରେ ୫-୭ ପ୍ରାର୍ଥୀ ମୁଖ୍ୟମନ୍ତ୍ରୀ ହେବାକୁ ଯୋଗ୍ୟ, ମାତ୍ର ଜଣେ ହିଁ ମୁଖ୍ୟମନ୍ତ୍ରୀ ହୋଇ ପାରିବେ। ଯେବେ ଜଣେ ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରନ୍ତି, ବାକି ଆଶାୟୀ ଶାନ୍ତ ହୋଇଯାଆନ୍ତି।

ବିଧାୟକଙ୍କୁ ପ୍ରଲୋଭନ ଦେଇ ରାଜ୍ୟରେ ନିର୍ବାଚିତ କଂଗ୍ରେସ ସରକାରଙ୍କୁ ଅସ୍ଥିର କରିବା ପ୍ରୟାସ୍ ଅଭିଯୋଗ ଉପରେ ରାଜସ୍ଥାନ ପୋଲିସ୍‌ର  ବିଶେଷ କାର୍ଯ୍ୟବଳ(ଏସଓଜି) ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍, ଉପ ମୁଖ୍ୟମନ୍ତ୍ରୀ ସଚିନ୍ ପାଇଲଟ୍‌ ଓ ସରକାରଙ୍କ ମୁଖ୍ୟ ସଚେତକ ମହେଶ ଯୋଶୀଙ୍କୁ ବୟାନ ଦେବାକୁ ଡକାଯାଇଛି।

ଗତ ଜୁନ ୧୯ରେ ରାଜ୍ୟରେ ରାଜ୍ୟସଭାର ୩ ସିଟ୍‌ ପାଇଁ ହେବାକୁ ଥିବା ନିର୍ବାଚନ ପୂର୍ବରୁ କ୍ଷମତାସୀନ କଂଗ୍ରେସ୍‌ କିଛି ବିଧାୟକଙ୍କୁ ବିଜେପି ପ୍ରଲୋଭନ ଦେଉଥିବା ଅଭିଯୋଗ କରିଥିଲା। ପାର୍ଟି ପକ୍ଷରୁ ଏସଓଜି ନିକଟରେ ଏହାର ଅଭିଯୋଗ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ କହିଥିଲେ ଯେ, ରାଜ୍ୟରେ ବିଧାୟକମାନଙ୍କୁ ପ୍ରଲୋଭନ  ଦିଆଯାଉଛି ଓ କୋଟି କୋଟି ଟଙ୍କା ଜୟପୁର ସ୍ଥାନାନ୍ତର କରାଯାଉଛି। ରାଜ୍ୟ ବିଧାନସଭାରେ ମୋଟ୍‌ ୨୦୦ ବିଧାୟକଙ୍କ ମଧ୍ୟରୁ କଂଗ୍ରେସ୍ ପାଖରେ ୧୦୭ ବିଧାୟକ ଓ ବିଜେପି ପାଖରେ ୭୨ ବିଧାୟକ ରହିଛି। ରାଜ୍ୟରେ ୧୩ ମଧ୍ୟରୁ ୧୨ ନିର୍ଦ୍ଦଳୀୟ ବିଧାୟକଙ୍କ ସମର୍ଥନ ମଧ୍ୟ କଂଗ୍ରେସ୍ ଉପରେ ରହିଛି।

   Related Posts