ସହିଦ ଯବାନ ଅଜିତ କୁମାର ସାହୁଙ୍କ ପରିବାରକୁ ୨୫ଲକ୍ଷ ଟଙ୍କାର ସହାୟତା

Published By : Prameya-News7 Bureau | June 19, 2019 IST

ଭୁବନେଶ୍ବର ୧୯|୬: ଜାମ୍ମୁକାଶ୍ମୀରରେ ସହିଦ ହୋଇଥିବା ଓଡିଆ ଯବାନ ଅଜିତ କୁମାର ସାହୁଙ୍କ ପରିବାରକୁ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି ରାଜ୍ୟ ସରକାର । ୨୫ଲକ୍ଷ ଟଙ୍କାର ସହାୟତା ଦେବେ ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଏହି ସହାୟତା ରାଶି ମିଳିବ । ଏଥିସହ ସହିଦଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଆଜି ଓଡିଶା ଆସିବ ସହିଦ ଯବାନଙ୍କ ପ୍ରାର୍ଥୀବ ଶରୀର । ଭୁବନେଶ୍ବର ଏୟାରପୋର୍ଟରୁ କାମାକ୍ଷାନଗର ନିଆଯିବ ମରଶରୀର । ପୈତୃକ ଗାଁରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ସହିଦଙ୍କ ଶେଷକୃତ୍ୟ କରାଯିବ । ଦୁଃଖରେ ମ୍ରିୟମାଣ ହୋଇପଡିଥିବା ପରିବାର ଓ ଗାଁ ଲୋକେ ଚାହିଁ ବସିଛନ୍ତି ବୀର ଯବାନଙ୍କ ଶେଷ ଦର୍ଶନ ପାଇଁ ।

ଜାମ୍ମୁର ଅନନ୍ତନାଗରେ ଆତଙ୍କବାଦୀଙ୍କ ମୁକାବିଲା ବେଳେ ସହିଦ ହୋଇଯାଇଛନ୍ତି କାମାକ୍ଷାନଗର ବଡସୁଆଁଳ ଗାଁର ଅଜିତ । ୨୦୧୫ରେ ସେନାରେ ଯୋଗ ଦେଇଥିଲେ ଅଜିତ । ପ୍ରଥମେ କୋଲକାତାରେ ଜଏନ୍ କରିଥିଲେ । ବଦଳି ହୋଇଥିଲା ଜମ୍ମୁକୁ । ସେ ୪୪ ରାଷ୍ଟ୍ରୀୟ ରାଇଫଲ୍ସରେ କାର୍ଯ୍ୟରତ ଥିଲେ ।

ବୀର ପୁଅକୁ ହରାଇ ପରିବାର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଛି ଶୋକାକୂଳ ପରିବେଶ । ଆତଙ୍କୀଙ୍କ ସହ ମୁକାବିଲାରେ ସହିଦ ହେବା ପୂର୍ବରୁ ମରନା ନୈହିଁ, ମାରନା ହୈ ବୋଲି ଜଣେ ସାଙ୍ଗ ନିକଟକୁ ଶେଷ ଟୁଇଟ୍ କରିଥିଲେ ଅଜିତ । ଦେଶ ମାତୃକାର ସେବା ପାଇଁ ସେ ସହିଦ ହୋଇଯାଇଛନ୍ତି  ।ବୀର ପୁଅକୁ ହରାଇ ଶୋକରେ ଡୁବିଛି ବଡସୁଆଁଳ ଗାଁ । କାନ୍ଦବୋବାଳିରେ ଫାଟି ପଡୁଛି ଗାଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.