କଂଗ୍ରେସ ଛାଡିବେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ! ମନ୍ତ୍ରୀ ଓ ବିଧାୟକଙ୍କ ସହ ରୁଦ୍ଧଦ୍ବାର ବୈଠକ ପରେ ଅପରାହ୍ନରେ ରାଜ୍ୟପାଳଙ୍କୁ ଭେଟିବେ

Published By : Prameya-News7 Bureau | September 18, 2021 IST

ଚଣ୍ଡିଗଡ ୧୮/୦୯ : ଇସ୍ତଫା ଦେବେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂହ ! ମୁଖ୍ୟମନ୍ତ୍ରୀ ପଦରୁ ଖୁବଶୀଘ୍ର ଇସ୍ତଫା ଦେଇପାରନ୍ତି କ୍ୟାପଟେନ୍‌ । ମିଳିଥିବା ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ରାଜ୍ୟପାଳଙ୍କୁ ଭେଟିବାକୁ ସମୟ ମାଗିଛନ୍ତି । ଆଜି ଦିନ ୪ଟାରେ ରାଜ୍ୟପାଳଙ୍କୁ ଭେଟିବାକୁ ସମୟ ମାଗିଛନ୍ତି କ୍ୟାପଟେନ୍‌ ଅମରିନ୍ଦର । ତେବେ ସେ ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ପଞ୍ଜାବ କଂଗ୍ରେସରେ ଜାରି ରହିଥିବା ରାଜନୈତିକ ଅସ୍ଥିରତା ଏବେ ଚରମ ସୀମାରେ ପହଞ୍ଚିଲାଣି । ଦଳର ହାଇକମାଣ୍ଡ ବି ନାଚାର । ପରିସ୍ଥିତି ଏପରି ଯେ, କ୍ୟାପଟେନ୍‌ ଅରମରିନ୍ଦର ସିଂହ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ସହ କଂଗ୍ରେସରୁ ମଧ୍ୟ ଇସ୍ତଫା ଦେବାକୁ ଯାଉଥିବା ଚର୍ଚ୍ଚା ହେଉଛି ।

ପଞ୍ଜାବରେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ରେସରେ ଅନେକ ଦାବିଦାର ରହିଛନ୍ତି । ସୁନୀଲ ଜାଖଡ, ସୁଖଜିନ୍ଦର ରନ୍ଧାଓ୍ବା ଏବଂ ପ୍ରତାପ ସିଂହ ବାଜଓ୍ବାଙ୍କ ନାଁ ଚର୍ଚ୍ଚାରେ ରହିଛି । ଦସିନ ୪ଟାରେ ରାଜ୍ୟପାଳଙ୍କୁ ଭେଟିବାକୁ ସିଏମ୍‌ ଅମରିନ୍ଦର ସମୟ ମାଗିଥିବା ବେଳେ ତାଙ୍କ ବାସଭବନରେ ଏବେ ନେତା ଏବଂ ମନ୍ତ୍ରୀଙ୍କ ସୁଅ ଛୁଟୁଛି । ଅନେକ ବିଧାୟକ ଏବଂ ମନ୍ତ୍ରୀ ବାସଭବନରେ ଅମରିନ୍ଦର ସିଂହଙ୍କୁ ଭେଟି ଆଲୋଚନା କରୁଛନ୍ତି । ପଞ୍ଜାବ କ୍ୟାବିନେଟ୍‌ରେ ମନ୍ତ୍ରୀ ଥିବା ସାଧୁ ସିଂହ ଧର୍ମଶୋତ ଏବଂ ବିଜୟ ଇନ୍ଦର ସିଙ୍ଗଲା କ୍ୟାପଟେନ୍‌ଙ୍କ ସହ ଆଲୋଚନା ଜାରି ରଖିଛନ୍ତି ।

ଏହା ସହିତ ପଞ୍ଜାବ କଂଗ୍ରେସର କିଛି ବିଧାୟକ ମଧ୍ୟ ସିଏମ୍‌ଙ୍କ ବାସଭବନରେ ପହଞ୍ଚି ଆଲୋଚନା ଜାରିରଖିଛନ୍ତି । ଦଳୀୟ ନେତାଙ୍କ ସହିତ ଆଲୋଚନା ପରେ କ୍ୟାପଟେନ୍‌ ଅମରିନ୍ଦର ସିଂହ ସିଏମ୍‌ ପଦରୁ ଇସ୍ତଫା ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.