ସୋଆ ଏବଂ ଏନଏସଏସର ଆଂଚଳିକ ନିର୍ଦ୍ଦେଶାଳୟ ପକ୍ଷରୁ ଆୟୋଜିତ ଜାତୀୟ ଏକତା ଶିବିର ଉଦ୍‌ଯାପିତ

Published By : Prameya-News7 Bureau | November 06, 2018 IST

ଭୁବନେଶ୍ବର ୬|୧୧:  ଶିକ୍ଷା ଓ ଅନୁସନ୍ଧାନ (ଡିମଡ ଟୁ ବି ୟୁନିଭର୍ସିଟି) ଏବଂ ଏନ୍ଏସ୍ଏସ୍‌ର ଆଂଚଳିକ ନିର୍ଦ୍ଦେଶାଳୟ ପକ୍ଷରୁ ସପ୍ତାହ ବ୍ୟାପୀ ଆୟୋଜନ ହୋଇଥିବା ଜାତୀୟ ଏକତା ଶିବିରର ଉଦ୍ଯାପନୀ ହୋଇଛି । ଏହି ଶିବିରରେ ଓଡିଶା ସମେତ ୧୦ଟି ରାଜ୍ୟର ୨୧ଟି ବିଶ୍ବବିଦ୍ୟାଳୟର ୨୦୦ରୁ ଉର୍ଦ୍ଧ୍ବ ଏନ୍ଏସ୍ଏସ୍ର ସ୍ବେଚ୍ଛାସେବୀ ଭାଗ ନେଇଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ଉତ୍କଳ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସୋମେନ୍ଦ୍ର ମୋହନ ପଟ୍ଟନାୟକ । ସେ କହିଥିଲେ ଯେ, ନିଜକୁ ଆବିଷ୍କାର କରିବା ବହୁ ଜରୁରୀ ଏବଂ ସମାଜ ସହ ନିଜକୁ ଯୋଡ଼ିବା ପାଇଁ ଏହା ସାହାଯ୍ୟ କରିଥାଏ । ଅନେକ ଯୁବକ ନିଜକୁ ଅସାଧାରଣ କରି ଗଢ଼ିତୋଳିବାର ଲକ୍ଷ୍ୟ ରଖିଥାନ୍ତି । ତେବେ ମୁଁ ଭାବୁଛି ଏହା ଏକ ସାଧାରଣ ଇଚ୍ଛା । ଯଦି ନିଜକୁ ସାଧାରଣ ଭାବେ ରହିବା ପାଇଁ ଇଚ୍ଛା ପ୍ରକାଶ କରିବ ତେବେ ଏହା ଅସାଧାରଣ ବୋଲି କୁହାଯିବ । ସାଧାରଣ ପରି ରହିବା ଦ୍ବାରା ହିଁ ଉଚ୍ଚତମ ଶିଖରକୁ ଉଠିପାରିବ । ପରିସ୍ଥିତି ଯାହା ବି ହେଉ ନା କାହିଁକି ଅନ୍ୟମାନଙ୍କୁ ଭଲ ପାଇବା ଏବଂ ଅନ୍ୟ ପାଇଁ ବଞ୍ଚିବା ଶିଖିବା ଉଚିତ୍ । ଜୀବନର ମହତ୍ବ ବୁଝିବା ଉଚିତ୍ । ଟଙ୍କା ରେଜଗାର କରିବା କିମ୍ବା ଧନୀ ହେବା ଭୁଲ୍ ନୁହେଁ କିନ୍ତୁ ସମାଜ ପ୍ରତି କିଛି ଦାୟିତ୍ବ ରହିଛି ବୋଲି ସେ କହିଛନ୍ତି । ସୋଆ କୁଳପତି ପ୍ରଫେସର ଅମିତ ବାନାର୍ଜୀଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ସ୍ନାୟୁବିଶେଷଜ୍ଞ ତଥା ସୋଆର (ସ୍ବାସ୍ଥ୍ୟ ନିର୍ଦ୍ଦେଶକ) ଡ. ଅଶୋକ ମହାପାତ୍ର ଓ ବିଶିଷ୍ଟ ସମାଜସେବୀ ଶ୍ରୀ ଜଗଦାନନ୍ଦ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ଏନ୍ଏସ୍ଏସ୍ର ଆଂଚଳିକ ନିର୍ଦ୍ଦେଶକ ଶ୍ରୀ ଆର୍. ଗୋକୁଳକ୍ରିଷ୍ଣନ୍, ସୋଆ ଛାତ୍ରମଙ୍ଗଳ ଡିନ୍ ଡ. ଜ୍ୟୋତି ରଞ୍ଜନ ଦାସ ଏବଂ ସୋଆ ଏନ୍ଏସ୍ଏସ୍ କାର୍ଯ୍ୟକ୍ରମ ସଂଯୋଜକ ଡ. ନଚିକେତା ଶର୍ମା ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଶ୍ରୀ ଜଗଦାନନ୍ଦ କହିଥିଲେ ଏନ୍ଏସ୍ଏସ୍ ଶିବିରଗୁଡ଼ିକ ଛାତ୍ରଛାତ୍ରୀମାନଙ୍କୁ ସମାଜ ସହ ଯୋଡ଼ିବାରେ ସହାୟକ ହେବ । ଏହି ସାତ ଦିନ ଭିତରେ ସେମାନେ ବୁଝିପାରିବେ ଯେ ସେମାନେ ସମାଜ ପାଇଁ କିଭଳି କାର୍ଯ୍ୟ କରିବା ଉଚିତ୍ । ସେମାନେ କେତେ ସମୟ ସମାଜକୁ ଦେଉଛନ୍ତି ତାହା ମଧ୍ୟ ବୁଝିପାରିବେ ବୋଲି ସେ କହିଥିଲେ । ପ୍ରଫେସର ମହାପାତ୍ର ମଧ୍ୟ ସମାନ୍ ଚିନ୍ତାଧାରାରେ ବକ୍ତବ୍ୟ ରଖି କହିଥିଲେ ଯେ, ଆର୍ଥିକ ସ୍ଥିତି ବା ଏଥିରେ ଉନ୍ନତି କେବେ ବି ଭଲ ମଣିଷ ହେବାରେ ସହାୟକ ହୋଇ ନଥାଏ । ଆର୍ଥିକ ସ୍ବଚ୍ଛଳତା ମଣିଷକୁ ଆନନ୍ଦ ଦେଇପାରିବ ନାହିଁ ଯଦିଓ କେରଳ ସବୁଠାରୁ ଶିକ୍ଷିତ ରାଜ୍ୟ ସେଠାରେ ଆତ୍ମହତ୍ୟାର ମାତ୍ରା ସର୍ବାଧିକ । ଟଙ୍କାର ଅର୍ଥ ଆନନ୍ଦ ନୁହେଁ । ଖୁସି ମନ ଭିତରୁ ହିଁ ଆସିଥାଏ । ତେଣୁ ମନକୁ ସନ୍ତୁଳିତ ରଖି ଜୀବନ ବଂଚିବା ଆବଶ୍ୟକ ବୋଲି ସେ କହିଥିଲେ । ଆସାମ, ଆନ୍ଧ୍ରପ୍ରଦେଶ, ଛତିଶଗଡ, ଗୁଜୁରାଟ, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ତେଲେଙ୍ଗାନା, ପଶ୍ଚିମବଂଗ ଏବଂ ଓଡ଼ିଶାର ଏନ୍ଏସ୍ଏସ୍ ସ୍ବେଚ୍ଛାସେବୀମାନେ ଏହି ଶିବିରରେ ଯୋଗ ଦେଇଥିଲେ । ସାତ ଦିନିଆ ଶିବିରରେ ସ୍ବେଚ୍ଛାସେବୀ ମାନେ ଯୋଗାଭ୍ୟାସ କରିବା ସହ ମିଳିତ ଆଲୋଚନା, ଅନ୍ୟାନ୍ୟ କାର୍ଯ୍ୟକ୍ରମ ତଥା କୁଇଜ୍ ପ୍ରତିଯୋଗିତାରେ ଭାଗ ନେବା ସହ ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞମାନଙ୍କ ବକ୍ତବ୍ୟ ଛାତ୍ରଛାତ୍ରୀମାନେ ଶୁଣିଥିଲେ । ଶିବିରରେ ଏକ ସ୍ବାସ୍ଥ୍ୟ ପରୀକ୍ଷା ଆୟୋଜିତ ହୋଇଥିଲା ଏବଂ ଫାୟାର୍ ସେଫ୍ଟି ଡେମୋନଷ୍ଟ୍ରେସନ୍ ମଧ୍ୟ ଆୟୋଜନ କରାଯାଇଥିଲା । ଏହି ଅବସରରେ ଶନିବାର ଦିନ ଏନ୍ଏସ୍ଏସ୍ ପକ୍ଷରୁ ଏକ ସ୍ବତନ୍ତ୍ର ପୋଷ୍ଟାଲ୍ କଭର୍ ଉନ୍ମୋଚନ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.