ବ୍ରିଟେନ୍ ଏବଂ ଜର୍ମାନୀରେ କରୋନା ଟୀକାର କ୍ଲିନିକଲ୍ ଟ୍ରାଏଲ୍ ଆରମ୍ଭ, ୮୦% ସଫଳତା ନେଇ ବୈଜ୍ଞାନିକଙ୍କ ଆଶା

Published By : Prameya-News7 Bureau | April 23, 2020 IST

ଲଣ୍ଡନ ୨୩।୪: ସାରା ବିଶ୍ବରେ ଏବେ କରୋନା ସଙ୍କଟ ଦିନକୁ ଦିନ ବଢି ବଢି ଚାଲିଛି । ଏମିତିରେ ସାରା ବିଶ୍ବର ଅନୁସନ୍ଧାନକାରୀମାନେ କରୋନା ଟୀକା ଉଦ୍ଭାବନ କରିବାରେ ଲାଗି ପଡିଛନ୍ତି । ହେଲେ ଏ ପର୍ଯ୍ୟନ୍ତ କରୋନାର ଟୀକା କିମ୍ବା ଔଷଧ ସମ୍ପୂର୍ଣ୍ଣ ଭାବେ ବିକଷିତ ହୋଇପାରିନି ।  ବର୍ତ୍ତମାନ ବିଶ୍ବରେ ଅବଶ୍ୟ ୧୫୦ଟି ଟୀକା ପ୍ରକଳ୍ପ ଉପରେ କାମ ଚାଲିଛି । କିନ୍ତୁ ପାଞ୍ଚଟି ଦେଶ ମଧ୍ୟରେ ଜର୍ମାନୀ ଏବଂ ବ୍ରିଟେନ୍ ଅଛି ଯାହାକୁ କ୍ଲିନିକାଲ୍ ପରୀକ୍ଷା ପାଇଁ ଅନୁମତି ଦିଆଯାଇଛି । ବ୍ରିଟେନର ଅକ୍ସଫୋର୍ଡ ୟୁନିଭରସିଟି ୫୧୦ ଏବଂ ଜର୍ମାନୀର ଫେଡେରାଲ୍ ଇନଷ୍ଟିଚ୍ୟୁଟ୍ ୨୦୦ ସୁସ୍ଥ ଲୋକଙ୍କ ଉପରେ କରୋନା ଟୀକା ପରୀକ୍ଷା କରିବେ  । ଯେଉଁମାନେ ଉପରେ ଏହା ପ୍ରୟୋଗ କରାଯିବ ସେମାନଙ୍କୁ ୧୮ ବର୍ଷରୁ ୫୫ ବର୍ଷ ମଧ୍ୟରେ ରଖାଯାଇଛି | ପରୀକ୍ଷା ସମୟରେ ବିଭିନ୍ନ ଲୋକଙ୍କୁ ବିଭିନ୍ନ ପ୍ରକାରର ଟୀକା ଦିଆଯିବ ଏବଂ ଏହା ଭାଇରସ୍ ବିଲୋପ କରିବାରେ କେତେ ପ୍ରଭାବଶାଳୀ ତାହା ଦେଖାଯିବ ।

ବ୍ରିଟେନର ସ୍ବାସ୍ଥ୍ୟମନ୍ତ୍ରୀ ମ୍ୟାଟ୍ ହାନକକ୍ କହିଛନ୍ତି ଯେ, କରୋନା ଭାଇରସ୍ ର ମୁକାବିଲା ପାଇଁ ଏହି ଟୀକା ହେଉଛି ଏକମାତ୍ର ପ୍ରଭାବଶାଳୀ ଉପାୟ । ଟୀକା ପରୀକ୍ଷା ପାଇଁ ଲଣ୍ଡନର ଇମ୍ପେରିଆଲ୍ କଲେଜକୁ ୨.୨୫ କୋଟି ପାଉଣ୍ଡ ଅର୍ଥ ରାଶି ପ୍ରଦାନ କରାଯାଇଛି ।

ଅକ୍ସଫୋର୍ଡ ଅନୁସନ୍ଧାନ ନିର୍ଦ୍ଦେଶକ ପ୍ରଫେସର ସାରା ଗିଲବର୍ଟ ଅନୁମାନ କରିଛନ୍ତି ଯେ ଏହି ଟୀକା ପ୍ରାୟ ୮୦ ପ୍ରତିଶତ ସଫଳ ହେବ । କିନ୍ତୁ ଏକ ରିପୋର୍ଟ ଅନୁଯାୟୀ ଅକ୍ସଫୋର୍ଡ ୟୁନିଭରସିଟି ଏବଂ ବ୍ରିଟେନର ଭାଇରୋଲୋଜିଷ୍ଟମାନେ ମଧ୍ୟ ଏହାକୁ ନେଇ ଚିନ୍ତିତ ଅଛନ୍ତି। ବୈଜ୍ଞାନିକମାନେ ଭୟ କରୁଛନ୍ତି ଯେ ଯଦି ଏଥିରେ କିଛି ଭୁଲ ହୁଏ, ତେବେ ହଜାର ହଜାର ଲୋକ ଏହା ଦ୍ବାରା ପ୍ରଭାବିତ ହୋଇପାରନ୍ତି । ଲ୍ୟାବ୍ ର ସୁରକ୍ଷାକୁ ନେଇ ଅନେକ ପ୍ରକାରର ପ୍ରଶ୍ନ ମଧ୍ୟ ଉଠିଛି । ବ୍ରିଟେନର ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତା ସାର୍ ପାଟ୍ରିକ୍ ୱାଲାନ୍ସ ମଧ୍ୟ ଏ ବିଷୟରେ ଚିନ୍ତା ପ୍ରକଟ କରିଛନ୍ତି ।

ଏହାସହ ଜର୍ମାନୀର ବାୟୋଟେକ୍ କମ୍ପାନୀ ବାୟୋ ଏନ୍ ଟେକ୍ କୋଭିଡ-୧୯ର ଟୀକା ପ୍ରସ୍ତୁତ କରିଛି । ଆମେରିକାର ଫାର୍ମାସ୍ୟୁଟିକାଲ୍ କମ୍ପାନୀ ପିଫାଇଜର ସହିତ ବାୟୋ ଏନ୍ ଟେକ୍ ଏହି ଟୀକା ତିଆରି କରିଛି । ଯାହାର ନାମ ବିଏନଟି-୧୬୨ । ଜର୍ମାନୀ ପରେ ଏହା ଆମେରିକାରେ ମଧ୍ୟ ପରୀକ୍ଷା ହେବାର ସମ୍ଭାବନା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.