ଭିଜିଲାନ୍ସ ପଞ୍ଝାରେ କିରାଣୀ, ମୃତ୍ୟୁ ପ୍ରମାଣପତ୍ର ପାଇଁ ନେଉଥିଲେ ୬୦୦ ଟଙ୍କା ଲାଞ୍ଚ

Published By : Prameya-News7 Bureau | March 05, 2021 IST

ବରଗଡ,୦୫|୦୩: ବରଗଡ଼ ବ୍ଲକ ଅଧୀନ କଟାପାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର (ସିଏଚ୍‌ସି)ରେ ଭି.ଏସ୍‌(ଭାଇଟାଲ ଷ୍ଟାଟିଷ୍ଟିକ୍‌) କିରାଣୀ ଭାବେ କାର୍ଯ୍ୟରତ ମନୋଜ କୁମାର ସ୍ବାଇଁ ଗୁରୁବାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ମୃତ୍ୟୁକାଳୀନ ପ୍ରମାଣପତ୍ର (ଡେଥ୍‌ ସାର୍ଟିଫିକେଟ୍‌) ଦେବା ପାଇଁ ଜଣେ ମୃତକଙ୍କ ସମ୍ପର୍କୀୟଙ୍କଠାରୁ ୬୦୦ ଟଙ୍କା ଲାଞ୍ଚ ମାଗୁଥିବା ବେଳେ ବରଗଡ଼ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି ।

ଭିଜିଲାନ୍ସ ପକ୍ଷରୁ ଏକ ମାମଲା(ନଂ.୧୧/୨୦୨୧) ରୁଜୁ ହୋଇଛି। ଗିରଫ କିରାଣୀଙ୍କୁ ସମ୍ବଲପୁର ଭିଜିଲାନ୍ସର ସ୍ପେଶାଲ ଜଜ୍‌ଙ୍କ କୋର୍ଟକୁ ଚାଲାଣ କରାଯାଇଥିବା ଭିଜିଲାନ୍ସ ସୂଚନା ଦିଆଯାଇଛି। ସୂଚନା ଅନୁସାରେ, ସୁବର୍ଣ୍ଣପୁର ଜିଲା ବିନିକା ଥାନା ଅଧୀନ ନନ୍ଦନମାଲ ଗ୍ରାମର ସର୍ବେଶ୍ୱର ବିଶି ତାଙ୍କର ସମ୍ପର୍କୀୟ ସ୍ବର୍ଗତ ସୁକୁନୁ ଅମାତ୍‌ଙ୍କ ମୃତ୍ୟୁକାଳୀନ ପ୍ରମାଣପତ୍ର ପାଇଁ କଟାପାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଆବେଦନ କରିଥିଲେ । ତେବେ ଜନ୍ମମୃତ୍ୟୁ ପ୍ରମାଣପତ୍ର ପ୍ରଦାନ ଦାୟିତ୍ୱରେ ଥିବା ସ୍ବାସ୍ଥ୍ୟକେନ୍ଦ୍ରର କିରାଣୀ ସ୍ବାଇଁ ୬୦୦ ଟଙ୍କା ଦାବି କରିଥିଲେ ।

ଏହି ସମ୍ପର୍କରେ ବୁଧବାର ସର୍ବେଶ୍ୱର ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ଭିଜିଲାନ୍ସ ଏକ ମାମଲା ରୁଜୁ କରି ଲାଞ୍ଚ ଦାବି କରୁଥିବା କିରାଣୀଙ୍କୁ ଧରିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଥିଲା। ଯୋଜନା ଅନୁଯାୟୀ, ମୃତକଙ୍କ ସମ୍ପର୍କୀୟ ସର୍ବେଶ୍ୱର କଟାପାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇ କିରାଣୀ ସ୍ବାଇଁଙ୍କୁ ରାସାୟନିକ ପ୍ରଲେପଦିଆ ୬୦୦ ଟଙ୍କା ପ୍ରଦାନ କରିଥିଲେ। ସେତିକିବେଳେ ବରଗଡ଼ ଭିଜିଲାନ୍ସ ଡିଏସ୍‌ପି ପରମେଶ୍ୱରଙ୍କ ନେତୃତ୍ୱରେ ପୂର୍ବରୁ ଛପି ରହିଥିବା ଭିଜିଲାନ୍ସ ଟିମ୍‌ ଚଢ଼ାଉ କରି ଟଙ୍କା ଜବତ୍‌ କରିବା ସହିତ କିରାଣି ସ୍ବାଇଁଙ୍କୁ ଗିରଫ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.