କ୍ଲିନ ଡୁଙ୍ଗୁରିପାଲି : ସ୍ବଚ୍ଛ ଓ ସୁସ୍ଥ ଡୁଙ୍ଗୁରିପାଲି ପାଇଁ ଅଣ୍ଟା ଭିଡ଼ିଛି ସ୍ଥାନୀୟ ବଣିକ ସଂଘ

Published By : Prameya-News7 Bureau | November 26, 2018 IST

ସୁବର୍ଣ୍ଣପୁର ୨୬/୧୧ : ସ୍ବଚ୍ଛ ଭାରତ ଅଭିଯାନକୁ ତ୍ବରାନ୍ବୀତ କରିବା ସହ ସୁସ୍ଥ ଓ ସୁନ୍ଦର ଭାରତ ଗଢିବା ଦିଗରେ ଏବେ ସାମିଲ ହୋଇଛି ସୁବର୍ଣ୍ଣପୁର ଜିଲ୍ଲା । ଗତ ୩୦ ବର୍ଷ ଧରି ଡଷ୍ଟୟାର୍ଡ ପାଲଟିଥିବା ଡୁଙ୍ଗୁରିପାଲି ସହରକୁ କ୍ଲିନ ଡୁଙ୍ଗୁରିପାଲି କରିବା ପାଇଁ ଅଣ୍ଟା ଭିଡିଛି ସ୍ଥାନୀୟ ବଣିକ ସଂଘ । ପ୍ରସାଶନର ବିନା ସାହାଯ୍ୟରେ ସମଗ୍ର ସହରରେ ସଫେଇ କାର୍ଯ୍ୟକ୍ରମ ହାତକୁ ନେବା ସହ ପଲିଥିନ ମୁକ୍ତ ଡୁଙ୍ଗୁରିପାଲିର ବାର୍ତ୍ତା ଦେଇଛି ସଂଘ । ଚାରିଆଡ଼େ ଖାଲି କୁଢ କୁଢ ମଇଳା ଆବର୍ଜନା । ପୁତମୟ ଗନ୍ଧରେ ଫାଟି ପଡୁଛି ଗଳି କନ୍ଦି । ରାସ୍ତା କଡ଼ରେ ଗଦା ହୋଇଛି ଅଳିଆ ପାହାଡ଼ । ଏ ଦୃଶ୍ୟ ଆଜିର କି କାଲିର ନୁହେଁ, ଗତ 30 ବର୍ଷ ହେବ ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲି ସହରବାସୀ ଏଭଳି ପରିବେଶରେ ଦିନ କାଟୁଛନ୍ତି । ଅସ୍ବାସ୍ଥ୍ୟକର ପରିବେଷ ପାଇଁ ଅନେକ ସମୟରେ ଲୋକେ ବିଭିନ୍ନ ରୋଗରେ ପଡି ଜୀବନ ମଧ୍ୟ ହାରୁଛନ୍ତି । ଏଭଳି ସ୍ଥିତିରେ ଜିଲ୍ଲା ପ୍ରଶାସନର ସ୍ଥାଣୁ ପାଲଟିଥିବା ବେଳେ ସ୍ବଚ୍ଛ ଡୁଙ୍ଗୁରିପାଲୀ ପାଇଁ ଅଣ୍ଟା ଭିଡ଼ିଛି ସ୍ଥାନୀୟ ବଣିକ ସଂଘ । ସ୍ବଉଦ୍ୟମରେ ଟ୍ରାକ୍ଟର ଓ ଜେସିବି ଲଗାଇ ସହରର ଅଳିଆ ଆବର୍ଜନାକୁ ସଫା କରି ସ୍ବଚ୍ଛ ଡୁଙ୍ଗୁରିପାଲି ବା ସୁସ୍ଥ ଡୁଙ୍ଗୁରିପାଲି ପାଇଁ ଜନ ସାଧାରଣଙ୍କୁ ଆହ୍ବାନ ଦେଇଛି । ସହରର  ବସଷ୍ଟାଣ୍ଡ, ଡାକ୍ତରଖାନା ଛକ, ବଲାଙ୍ଗିର ରାସ୍ତା, ବରପାଲି ରାସ୍ତା ତଥା ସୋନପୁର ରାସ୍ତାରେ ଜମା ହେଉଥିବା କୁଢ କୁଢ ଆବର୍ଜନାକୁ ସଫା କରିଛନ୍ତି ସଂଘର କର୍ମକର୍ତ୍ତା । କେଉଁଠି ଡ୍ରୋଜର ଲଗାଇ ସଫା କରୁଛନ୍ତି ତ କେଉଁଠି ଟ୍ରାକ୍ଟର ଯୋଗେ ବୋହି ନେଉଛନ୍ତି ଗଦା ହୋଇଥିବା ଅଳିଆସବୁ । ଯଦି ଜିଲ୍ଲା ପ୍ରଶାସନର ସହଯୋଗ ମିଳନ୍ତା ତେବେ ଆଗାମୀ ଦିନରେ ପଲିଥିନ୍ ମୁକ୍ତ ସହର ଗଠନ କରିବା ସହ ଆଗାମୀ ଦିନରେ ପ୍ରତି ସପ୍ତାହରେ ୨ଟି ଟ୍ରାକ୍ଟର ସହରର ଗଳି କନ୍ଦି ବୁଲି ଆବର୍ଜନା ଗୋଟେଇ ସହର ବାହାରେ ଫିଙ୍ଗିବାର କାର୍ଯ୍ୟକ୍ରମ ମଧ୍ୟ ହାତକୁ ନେବାକୁ କହିଛି ସଂଘ । ଡୁଙ୍ଗୁରିପାଲି ସହରରେ ବଣିକ ସଂଘ ତରଫରୁ ଆୟୋଜିତ କାର୍ଯୟକ୍ରମ କ୍ଲିନ ଡୁଙ୍ଗୁରିପାଲି ସତରେ ସମସ୍ତଙ୍କ ପାଇଁ ଏକ ଭିନ୍ନ ଉଦାହରଣ ସୃଷ୍ଟି କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.