ଏହି ରାଜ୍ୟରେ ଆସନ୍ତାକାଲିଠୁ ଆରମ୍ଭ ହେବ ପଞ୍ଚମରୁ ଦ୍ଵାଦଶ ପର୍ଯ୍ୟନ୍ତ ପାଠପଢା
6/01/2021 at 5:22 PM

ଚଣ୍ଡିଗଡ ୦୬।୦୧: ଜାନୁଆରୀ ୭ରୁ ରାଜ୍ୟର ସମସ୍ତ ସରକାରୀ, ଅନୁଦାନପ୍ରାପ୍ତ ବିଦ୍ୟାଳୟ ଏବଂ ଘରୋଇ ସ୍କୁଲ ଖୋଲାଯିବାକୁ ପଞ୍ଜାବ ସରକାର ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ପଞ୍ଚମରୁ ଯୁକ୍ତ ୨ ପର୍ଯ୍ୟନ୍ତ ବିଦ୍ୟାର୍ଥୀଙ୍କ ପାଇଁ ବିଦ୍ୟାଳୟ ଆସନ୍ତାକାଳିଠୁ ଖୋଲୁଛି। ବିଦ୍ୟାଳୟରେ ସାମାଜିକ ଦୂରତା ନିୟମ କଠୋରତାର ସହ ପାଳନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟ ଶିକ୍ଷା ମନ୍ତ୍ରୀ ବିଜୟ ଇନ୍ଦର ସିଙ୍ଗଲା କହିଛନ୍ତି ଛାତ୍ର-ଛାତ୍ରୀ ଏବଂ ଅଭିଭାବକଙ୍କ ମତ ଅନୁସାରେ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି।
ଅନ୍ୟ ଶ୍ରେଣୀ ପାଇଁ ବର୍ତ୍ତମାନ ସ୍କୁଲ ବନ୍ଦ ରହିବ ଯଦ୍ଵାରା ବିଦ୍ୟାଳୟରେ ସ୍ଥିତି ନିୟନ୍ତ୍ରଣ ରଖାଯାଇ ପାରିବ। ଛାତ୍ର-ଛାତ୍ରୀଙ୍କୁ ସ୍କୁଲ ଭିତରେ ସମସ୍ତ ଜାଗାରେ ସାମାଜିକ ଦୂରତା ନିୟମ ପାଳନ କରିବାକୁ ପଡିବ। ଶ୍ରେଣୀ ଗୃହରେ ସାମାଜିକ ଦୂରତାକୁ ଦୃଷ୍ଟିରେ ବିଶେଷ ବ୍ୟବସ୍ଥା କରାଯିବ। ଛାତ୍ର-ଛାତ୍ରୀଙ୍କ ବ୍ୟତୀତ ଶିକ୍ଷକ ଏବଂ ଅନ୍ୟ କର୍ମଚାରୀଙ୍କୁ ମଧ୍ୟ କୋଭିଡ୍-୧୯ ନିୟମ ପାଳନ କରିବାକୁ ପଡିବ। ସ୍କୁଲଗୁଡିକରେ ଛାତ୍ର-ଛାତ୍ରୀଙ୍କ ସୁରକ୍ଷାର ଉପରେ ସଂପୂର୍ଣ୍ଣ ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ନିର୍ଦ୍ଦେଶ ଦେଇଛନ୍ତି।
ଶିକ୍ଷାମନ୍ତ୍ରୀ ସିଙ୍ଗଲା କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ସମସ୍ତ ସ୍କୁଲଗୁଡିକରେ କୋଭିଡ୍-୧୯ ସାବଧାନତା ଅବଲମ୍ବନ କରାଯିବ। ପ୍ରଥମେ ଶିକ୍ଷା ବିଭାଗ ପକ୍ଷରୁ ଅନେକ ସ୍କୁଲ ମ୍ୟାନେଜମେଣ୍ଟ ଏବଂ ଅଭିବାବକଙ୍କ ମତାମତ ନିଆଗଲା। ପିଲାଙ୍କ ସୁରକ୍ଷା ସୁନିଶ୍ଚିତ କରିବା ସହ ପରୀକ୍ଷା ପୂର୍ବରୁ ସିଲାବସ ସାରିବାକୁ ନିର୍ଣ୍ଣୟ ନିଆଯାଇଛି।