ୟୁଟ୍ୟୁବ୍‌ରୁ ‘ବ୍ଲାକ୍‌ମେଲ୍‌’ ବିଦ୍ୟା ଶିଖିଲା ଅଷ୍ଟମ ଫେଲ୍‌ ଯୁବକ, ୪୦୦ ଝିଅଙ୍କ ସୋସିଆଲ୍‌ ମିଡିଆ ଆକାଉଣ୍ଟ ହ୍ୟାକ୍‌ କରି ମାଗିଲା ଟଙ୍କା

Published By : Prameya-News7 Bureau | January 28, 2021 IST

ଲକ୍ଷ୍ନୌ ୨୮/୦୧: ଅଷ୍ଟମ ଶ୍ରେଣୀରୁ ପାଠ ଛାଡ଼ିଥିବା ବ୍ୟକ୍ତି ଏବେ ଜଣେ ହ୍ୟାକର। ୨୬ ବର୍ଷୀୟ ଯୁବକ ୪୦୦ ଝିଅଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ହ୍ୟାକ୍‌ କରି ଟଙ୍କା ମାଗୁଥିଲା। ଏପରିକି ଟଙ୍କା ନଦେଇପାରିଲେ ଅଶ୍ଳୀଳ ଫଟୋ, ଚାଟ ଆଦି ଭାଇରାଲ କରିବା ନେଇ ଦେଉଥିବା ଧମକ। ପ୍ରଥମେ ଝିଅଙ୍କୁ ଲିଙ୍କ ପଠାଉଥିଲା ଅଭିଯୁକ୍ତ। ଲିଙ୍କ କ୍ଳିକ୍‌ କଲେ ଅଶ୍ଳୀଳ ଭିଡିଓ ଦେଖିହେବ ବୋଲି କହୁଥିଲା। ଯେମିତି ଜଣେ ଝିଅ ଏହା ଉପରେ କ୍ଳିକ୍‌ କରୁଥିଲା ପରବର୍ତ୍ତୀ ଷ୍ଟେପରେ ତାକୁ ଇମେଲ୍‌ ଆଇଡ୍‌ରେ ଲଗଇନ୍‌ କରିବାକୁ ସୂଚନା ମିଳୁଥିଲା। ଯଦି କେହି ଇମେଲ୍‌ ଦେଇ ଲଗଇନ୍ କରୁଥିଲା ସଂଗେସଂଗେ ଅଭିଯୁକ୍ତ ତାଙ୍କର ସମସ୍ତ ଡାଟା ହ୍ୟାକ୍‌ କରିନେଉଥିଲା। ପରେ ଟଙ୍କା ପାଇଁ ବ୍ଲାକମେଲ୍‌ କରୁଥିଲା।

ଜଣେ ଝିଅ ଏନେଇ ଥାନାରେ ଅଭିଯୋଗ କରିବା ପରେ ମାମଲା ସାମ୍ନାକୁ ଆସିଥିଲା। ସାଇବର ସେଲ୍‌ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଥିଲା। ପରେ ପୋଲିସ ଅଭିଯୁକ୍ତ ବିନିତ ମିଶ୍ରକୁ ଗିରଫ କରିଥିବା ଜଣାପଡ଼ିଛି। ଏହି ଘଟଣା ଉତ୍ତରପ୍ରଦେଶର ହୋଇଥିବା ବେଳେ ହ୍ୟାକର ବିନିତ ମିଶ୍ରକୁ ପୋଲିସ ପଚରା ଉଚରା ଜାରି ରଖିଛି।

ପଚରା ଉଚରା ବେଳେ ବିନିତ ନିଜର ଦୋଷ ସ୍ବିକାର କରିଥିବା ବେଳେ ଝିଅଙ୍କୁ ବ୍ଳାକ୍‌ମେଲ୍‌ କରିବାର କଳା ୟୁଟ୍ୟୁବରୁ ଶିଖିଛି ବୋଲି କହିଛି। ଲିଙ୍କ ପଠାଇ ଝିଅଙ୍କ ସୋସିଆଲ ମିଡିଆ ଆକାଉଣ୍ଟ କବଜା କରୁଥିବା ବିନିତ ଅଶ୍ଳୀଳ ଫଟୋ ଏବଂ ଚାଟ୍‌ ସବୁ ଭାଇରାଲ କରିଦେବାକୁ ଧମକ ଦେଉଥିଲା। ଏମିତି କରି ସେ ଝିଅମାନଙ୍କ ପାଖରୁ ଟଙ୍କା ଆଦାୟ କରୁଥିଲା। ଯିଏ ଟଙ୍କା ଦେବାକୁ ମନା କରୁଥିଲା ତାଙ୍କୁ ଧମକ ଦେଉଥିବା ବି ମାନିଛି ଅଭିଯୁକ୍ତ। ତେବେ ବିନିତ ପାଖରୁ ଜବତ ହୋଇଥିବା ଲାପଟପ୍‌କୁ ପରୀକ୍ଷା ପାଇଁ ପୋଲିସ ପଠାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.