“ମୋଦି ହେ ତୋ ମୁଁମକିନ୍ ହେ” ନାରା ଶୁଣି ଅଷ୍ଟମ ଶ୍ରେଣୀ ଛାତ୍ର ନିଜ ବାପାଙ୍କ ଚାକିରୀ ପାଇଁ ମୋଦିଙ୍କୁ ଲେଖିଲେ ୩୭ଟି ଚିଠି
8/06/2019 at 2:14 PM

ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ସାର୍ଥକ ତ୍ରିପାଠୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଲେଖିଛନ୍ତି ୩୭ଟି ଚିଠି । ସାର୍ଥକ ଉତ୍ତର ପ୍ରଦେଶରେ ରୁହନ୍ତି । ନିଜ ବାପାଙ୍କ ଚାକିରୀ ଫେରେଇଦେବା ପାଇଁ ମୋଦିଙ୍କୁ ଗୁହାରି କରିଛନ୍ତି । ସାର୍ଥକଙ୍କ ବାପା ଉତ୍ତର ପ୍ରଦେଶ ଷ୍ଟାଫ ଏକ୍ସଚେଞ୍ଜ ଅଫିସରେ ଚାକିରୀ କରୁଥିଲେ । ବାପାଙ୍କ ଚାକିରୀ ଯିବାପରେ ସାର୍ଥକ ମୋଦିଙ୍କୁ ଗୋଟିଏ କି ଦୁଇଟି ନୁହେଁ ବରଂ ୩୭ଟି ଚିଠି ଲେଖିଛନ୍ତି ।
ସେ ଲେଖିଛନ୍ତି ଯେ, ତାଙ୍କ ବାପାଙ୍କ ଚାକିରୀ ଯିବା ପରେ ତାଙ୍କ ପରିବାରରେ ଅନେକ ସମସ୍ୟା ଦେଖାଦେଇଛି । ଆର୍ଥିକ ଅବସ୍ଥା ଶୋଚନୀୟ ହୋଇପଡିଛି । ସେଥିପାଇଁ ବାପାଙ୍କ ଚାକିରୀ ଫେରାଇ ଦେବା ପାଇଁ ସେ ମୋଦିଙ୍କୁ ଚିଠି ଲେଖି ଆନ୍ତରିକ ଗୁହାରି ଜଣେଇଛନ୍ତି । ସେ ଲେଖିଛନ୍ତି ଯେ, କୌଣସି କାରଣରୁ ତାଙ୍କ ବାପାଙ୍କୁ ଚାକିରୀରୁ ବାହାର କରିଦିଆଯାଇଛି । ଯେଉଁମାନେ ତାଙ୍କ ବାପାଙ୍କୁ ଚାକିରୀରୁ ବାହାର କରିଦେଇଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସେ ଗୁହାରି କରିଛନ୍ତି । ସେ ୨୦୧୬ ମସିହାରୁ ମୋଦିଙ୍କୁ ଚିଠି ଲେଖୁଛନ୍ତି । କିନ୍ତୁ ଆଜି ପର୍ଯ୍ୟନ୍ତ ତାଙ୍କୁ ଗୋଟିଏ ହେଲେ ଚିଠିର ଜବାବ ମିଳିନାହିଁ ।
ସାର୍ଥକ ଆଉ ଏକ ଚିଠିରେ ଲେଖିଛନ୍ତି ଯେ, ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏକ ସ୍ଲୋଗାନ ଶୁଣିଛନ୍ତି ଯେଉଁଥିରେ କୁହାଯାଏ “ମୋଦି ହେ ତୋ ମୁଁମକିନ୍ ହେ”, ସେଥିପାଇଁ ମୋଦି ଥରେ ତାଙ୍କ ଗୁହାରି ଶୁଣନ୍ତୁ ବୋଲି ନିବେଦନ କରିଛନ୍ତି ।