ଆନ୍ଧ୍ରରେ ଜିଲ୍ଲାର ନାଁ ପରିବର୍ତ୍ତନକୁ ନେଇ ହିଂସା, ମନ୍ତ୍ରୀଙ୍କ ଘରେ ନିଆଁ ଲଗାଇଲେ ପ୍ରଦର୍ଶନକାରୀ, ଅନେକ ଆହତ

Published By : Prameya-News7 Bureau | May 24, 2022 IST

ହାଇଦ୍ରାବାଦ: ଆନ୍ଧ୍ର ପ୍ରଦେଶର ଅମଲାପୁରମରେ ମଙ୍ଗଳବାର ଜୋରଦାର ହିଂସା ହୋଇଛି । କୋନାସୀମା ଜିଲ୍ଲାର ନାଁ ପରିବର୍ତ୍ତନକୁ ବିରୋଧ କରି ପ୍ରଦର୍ଶନକାରୀ ହିଂସା କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ନିକଟରେ ରାଜ୍ୟ ସରକାର କୋନାସୀମା ଜିଲ୍ଲାର ନାଁ ପରିବର୍ତ୍ତନ କରି ବିଆର ଆମ୍ୱେଦକର କୋନାସୀମା କରିବାକୁ ଘୋଷଣା କରିଥିଲେ।

ମଙ୍ଗଳବାର ରାଜ୍ୟ ସରକାରଙ୍କ ଏହି ପ୍ରସ୍ତାବ ବିରୋଧ କରି ରାସ୍ତାକୁ ଓହ୍ଲାଇଥିଲେ ପ୍ରଦର୍ଶନକାରୀ। ଜିଲ୍ଲା ମୁଖ୍ୟାଳୟରେ ପ୍ରଦର୍ଶନକାରୀଙ୍କ ଉପରେ ପୋଲିସ ଲାଠି ଚାର୍ଜ କରିବା ପରେ ସହରରେ ହିଂସା ସୃଷ୍ଟି ହୋଇଥିଲା । ପୋଲିସ କାର୍ଯ୍ୟାନୁଷ୍ଠାନରେ ଉତକ୍ଷିପ୍ତ ହୋଇ ପ୍ରଦର୍ଶନକାରୀ ଶାସକ ଦଳ ବିଧାୟକ ପି.ସତିସ୍ ଏବଂ ପରିବହନ ମନ୍ତ୍ରୀ ପି.ବିଶ୍ୱଋପୁଙ୍କ ଘରେ ନିଆଁ ଲଗାଇ ଦେଇଥିଲେ। ତେବେ ପୋଲିସ ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲା । ଅନ୍ୟପଟେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ଯାଇଁ ପ୍ରଦର୍ଶନକାରୀ ଆକ୍ରୋଶର ଶିକାର ହୋଇଛନ୍ତି ପୋଲିସକର୍ମୀ । ଯେଉଁଥିରେ ଅନେକ ପୋଲିସକର୍ମୀ ମଧ୍ୟ ଆହତ ହୋଇଛନ୍ତି। ଏହାସହ ପୋଲିସ ଗାଡିରେ ମଧ୍ୟ ପ୍ରଦର୍ଶନକାରୀ ନିଆଁ ଲଗାଇ ଦେଇଥିଲେ।

ଘଟଣା ଉପରେ ରାଜ୍ୟର ଗୃହମନ୍ତ୍ରୀ ତାନେତୀ ବନୀତି କହିଛନ୍ତି, କିଛି ରାଜନୈତିକ ଦଳ ଏବଂ ଅସାମାଜିକ ଲୋକେ ହିଂସା ଘଟାଇଛନ୍ତି। ଘଟଣାରେ ୨୦ ଜଣ ପୋଲିସକର୍ମୀ ଆହତ ହେବା ଦୁର୍ଭାଗ୍ୟପୂର୍ଣ୍ଣ । ମାମଲାର ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଉଲ୍ଲେଖଯୋଗ୍ୟ ଯେ, ଏପ୍ରିଲ ୪ରେ ପୂର୍ବ ଗୋଦାବରୀ ଜିଲ୍ଲାରୁ ଅଲଗା କରି କୋନାସୀମା ଜିଲ୍ଲା ଗଠନ ହୋଇଥିଲା । ଗତ ସପ୍ତାହରେ ରାଜ୍ୟ ସରକାର କୋନାସୀମା ଜିଲ୍ଲାର ନାଁ ପରିବର୍ତ୍ତନ କରି ବିଆର ଆମ୍ୱେଦକର କୋନାସୀମା ଜିଲ୍ଲା କରିବା ନେଇ ବିଜ୍ଞପ୍ତି ପ୍ରକାଶ କରିଥିଲେ। ଯାହାକୁ ଜୋରଦାର ବିରୋଧ କରୁଛନ୍ତି ସ୍ଥାନୀୟ ଲୋକେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.