ପାରାଦୀପ୨୭/୧୦: କାଦୁଆ ଛିଟିକାକୁ କେନ୍ଦ୍ରକରି ୨ ଗୋଷ୍ଠୀ ମଧ୍ୟରେ ଏସିଡ୍ ମାଡ। ମିଳିଥିବା ସୂଚନା ମୁତାବକ, ଗତ ୨୫ ତାରିଖରେ ପାରାଦୀପ ଲକ ଥାନା ଅଞ୍ଚଳରେ ଟ୍ରକ ଯିବାବେଳେ ନୃସିଂ ମଙ୍ଗରାଜ ନାମକ ଜଣେ ବ୍ୟକ୍ତିଙ୍କ ମୁହଁରେ କାଦୁଅ ଛିଟିକା ପଡିଥିଲା। ଏହାକୁ ନେଇ ଆରମ୍ଭ ହୋଇଯାଇଥିଲା ପାଟିତୁଣ୍ଡ।
ଗୋଟିଏ ଗୋଷ୍ଠୀରେ ନୃସିଂ ମଙ୍ଗରାଜ, ରଣଜିତ ମଙ୍ଗରାଜ, ସୌମ୍ୟଜିତ ମଙ୍ଗରାଜ ଏବଂ ଜିତେନ୍ଦ୍ର ମଙ୍ଗରାଜ ଥିବା ବେଳେ ଅନ୍ୟ ଏକ ଗୋଷ୍ଠୀରେ ତିଳକ କିଆ ଯାଦବ ଖାନ, ରିୟାଜ ଖାନ ଓ ପ୍ରିୟ ନାଥ ରାଉତରାୟ ଥିଲେ। କାଦୁଅ ଛିଟିକା କାହିଁକି ପଡିଲା ବୋଲି କହି ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ।
ଏମାନଙ୍କ ମଧ୍ୟରେ ତିଳକ, ରିୟାଜ ଏବଂ ପ୍ରିୟନାଥ ମିଶି ମଙ୍ଗରାଜ ଗୋଷ୍ଠୀର ଲୋକମାନଙ୍କୁ ଏସିଡ୍ ମାଡି କରିଥିବା ଥାନାରେ ଅଭିଯୋଗ ହୋଇଥିଲା। ଏହି ଘଟଣାରେ ପୋଲିସ୍ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅନ୍ୟପଟେ ଏସିଡ୍ ମାଡ ଘଟଣାରେ ପୋଲିସ୍ କହିଛି ଯେ, ଏହା ଏସିଡ୍ ନୁହେଁ, ତାହା କଷ୍ଟିକ୍ ସୋଡା ଥିଲା । ଏହି ଘଟଣାରେ ପୋଲିସ୍ ବର୍ତ୍ତମାନ ତଦନ୍ତ ଚଳାଇଛି।