ପ୍ରିୟଙ୍କା ଗାନ୍ଧୀଙ୍କ ରୋଡ଼ ଶୋ'ରେ ଶୁଣିବାକୁ ମିଳିଲା ମୋଦି ନାରା : ବିଜେପି ଓ କଂଗ୍ରେସ କର୍ମୀ ହାତାହାତି

Published By : Prameya-News7 Bureau | April 09, 2019 IST

ବିଜନୌର ୯/୪ : ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଆଜି ପ୍ରଚାରର ଶେଷ ଦିନ | କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଆଜି ପଶ୍ଚିମାଞ୍ଚଳ ଉତ୍ତର ପ୍ରଦେଶକୁ ଯାଇଛନ୍ତି | ବିଜନୌରରେ ଆଜି ପ୍ରିୟଙ୍କାଙ୍କ ରୋଡ଼ ଶୋ' ଚାଲିଥିବାବେଳେ ହଙ୍ଗାମା ହୋଇଯାଇଥିଲା | ରୋଡ଼ ଶୋ'ବେଳେ ବିଜେପି ଓ କଂଗ୍ରେସ ସମର୍ଥକଙ୍କ ମଧ୍ୟରେ ହାହାତୀ ପରିସ୍ଥିତି ସୃଷ୍ଟି ହୋଇଥିଲା | ପ୍ରିୟଙ୍କା ଗାନ୍ଧୀ କଂଗ୍ରେସ ପ୍ରାର୍ଥୀ ନାସିମୁଦ୍ଦିନ ସିଦ୍ଦିକିଙ୍କ ପାଇଁ ପ୍ରଚାର କରୁଥିଲେ | ରୋଡ଼ ଶୋ'ବେଳେ କିଛି ବିଜେପି କର୍ମୀ ସେଠାକୁ ଯାଇଥିଲେ | ସେତେବେଳେ ପ୍ରିୟଙ୍କା ତାଙ୍କ ଆଡକୁ ଦେଖି ହସି ହସି ତାଙ୍କ ଉପରକୁ ଫୁଲ ଫୋପାଡ଼ିଥିଲେ |

ଏହାପରେ ସେଠାରେ ଉପସ୍ଥିତ ବିଜେପି ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ସମ୍ନାସାମ୍ନି ହୋଇଥିଲେ | ବିଜେପି କର୍ମୀଙ୍କୁ ଦେଖି କଂଗ୍ରେସ କର୍ମୀ ଚୌକିଦାର ଚୋର ହେ ନାରା ଦେଇଥିଲେ | ବିଜେପି କର୍ମୀ ବି ଛାଡିବା ଲୋକ ନଥିଲେ | ସେମାନେ ସେଠାରେ ମୋଦି ମୋଦି ନାରା ଲଗାଇବା ଆରମ୍ଭ କରିଥିଲେ | ବିଜେପି କର୍ମୀ ରାଗିଯାଇ ପ୍ରିୟଙ୍କାଙ୍କ ମୋର୍ଚ୍ଚା ସାମ୍ନାରେ ଛିଡା ହୋଇପଡିଲେ | ତାଙ୍କ ଉପରକୁ ପ୍ରିୟଙ୍କା ଫୁଲ ମାଳ ପକାଇଥିଲେ |

{"id":101667}


ସୂଚନାଯୋଗ୍ୟ ଯେ, ୧୧ ତାରିଖ ବିଜନୌରରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ | ସେଠାରୁ କଂଗ୍ରେସର ନାସିମୁଦ୍ଦିନ ସିଦ୍ଦିକି ପ୍ରାର୍ଥୀ ଥିବାବେଳେ ତାଙ୍କ ବିପକ୍ଷରେ ଲଢ଼ୁଛନ୍ତି ଭରତେନ୍ଦ୍ର ସିଂ | ଅପରପକ୍ଷରେ ବହୁଜନ ସମାଜବାଦୀ ପାର୍ଟି ତରଫରୁ ନିର୍ବାଚନ ଲଢ଼ୁଛନ୍ତି ମାଲୁକ ନାଗର |


ପ୍ରିୟଙ୍କା ଗାନ୍ଧୀ ଓ ରାହୁଲ ଗତକାଲି ବିଜନୌର ଯାଇଥାନ୍ତେ ପ୍ରଚାର ପାଇଁ | କିନ୍ତୁ ପାଣିପାଗ ଭଲ ନଥିବାରୁ ସେମାନେ ଗତକାଲି ନଯାଇ ଆଜି ଯାଇଥିଲେ | ଜ୍ୟୋତିରଦିତ୍ୟ ସିନ୍ଧିଆ ମଧ୍ୟ ପ୍ରିୟଙ୍କାଙ୍କ ସହ ଯାଇଥିଲେ |


ବିଜନୌର ଛଡା ପ୍ରିୟଙ୍କା ଆଜି ସାହାରଣପୁରରେ ମଧ୍ୟ ପ୍ରଚାର କରିବେ | ସାହାରଣପୁରରେ ଇମ୍ରାନ ମାସୁଦ କଂଗ୍ରେସ ପ୍ରାର୍ଥୀ ଅଛନ୍ତି | ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସନ୍ଧ୍ୟା ୫ଟା ରେ ପ୍ରଚାର ଶେଷ ହୋଇଯିବ | ପ୍ରଥମ ପର୍ଯ୍ୟାୟ ପାଇଁ ୨୦ ରାଜ୍ୟର ୯୧ ଆସନ ପାଇଁ ମତଦାନ ହେବ | ପଶ୍ଚିମାଞ୍ଚଳ ଉତ୍ତର ପ୍ରଦେଶର ୮ଟି ଆସନ ପାଇଁ ୧୧ ତାରିଖରେ ଭୋଟ ଗ୍ରହଣ ହେବ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.