ଗଲଓ୍ଵାନ ବିବାଦ ଉପରେ PMOର ସ୍ପଷ୍ଟୋକ୍ତି- କବଜା କରିବାକୁ ଉଦ୍ୟମ କରିଥିଲା ଚୀନ, ସୈନିକ ବଳିଦାନ ଦେଇ କଲେ ବିଫଳ

Published By : Prameya-News7 Bureau | June 20, 2020 IST

ନୂଆଦିଲ୍ଲୀ ୨୦।୦୬: ପୂର୍ବ ଲଦାଖର ବାସ୍ତବ ନିୟନ୍ତ୍ରଣ ରେଖା(LAC)ରେ ଭାରତ ଓ ଚୀନ ସୈନିକଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ପରେ ଦୁଇ ଦେଶ ମଧ୍ୟରେ ଉତ୍ପନ ଉତ୍ତେଜନାପୂର୍ଣ୍ଣ ମାହୋଲ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଗତକାଲି ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ପ୍ରଧାନମନ୍ତ୍ରୀ ବୈଠକରେ ଦୃଢତାର ସହ କହିଥିଲେ ଯେ, ଆମ ଅଞ୍ଚଳରେ ନା କିଏ ଅନୁପ୍ରବେଶ କରିଛି, ନା ଆମ ଶିବିରକୁ କିଏ କବଜା କରିଛି। ଏହାକୁ ବୟାନକୁ ନେଇ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ପ୍ରଶ୍ନ ଉଠାଇଛନ୍ତି। ଏହି ପ୍ରଶ୍ନକୁ ନେଇ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ(PMO) ପକ୍ଷରୁ ସ୍ପଷ୍ଟୋକ୍ତି ଦିଆଯାଇଛି।

ଶନିବାର ପିଏମଓ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଚୀନ ଅନୁପ୍ରବେଶ କରିବାକୁ ଉଦ୍ୟମ କରିଥିଲା, ହେଲେ ସୈନିକ  ବଳିଦାନ ଦେଇ ଢାଞ୍ଚାଗତ ନିର୍ମାଣ ଓ ଅନୁପ୍ରବେଶ ଉଦ୍ୟମକୁ  ବିଫଳ କରିଛନ୍ତି। ଗତକାଲି ପ୍ରଧାନମନ୍ତ୍ରୀଙ୍କ ବୟାନ ପରେ ରାହୁଲ ଗାନ୍ଧୀଙ୍କ ସହିତ ବିରୋଧୀ ଦଳର ଅନେକ ନେତା ପ୍ରଶ୍ନ କରିଥିଲେ ଯେ, ଯଦି ଚୀନ ଅନୁପ୍ରବେଶ କରିନଥିଲା ତେବେ ସୈନିକ ସହିଦ କେମିତି ହେଲେ ?

ପିଏମଓ ପକ୍ଷରୁ ଜାରି ବୟାନରେ ଏହା ମଧ୍ୟ କୁହାଯାଇଛି ଯେ, ସର୍ବଦଳୀୟ ବୈଠକରେ ଏହା ସ୍ପଷ୍ଟ କରାଯାଇଥିଲା ଯେ, ସରକାର ଏଲଏସିରେ କୌଣସି ପ୍ରକାରର ଏକତରଫା ପରିବର୍ତ୍ତନ ହେବାକୁ ଦେବେ ନାହିଁ। ବାସ୍ତବିକ ନିୟନ୍ତ୍ରଣ ରେଖା(LAC) ଯିଏ ବି ଅନୁପ୍ରବେଶ କରିବାକୁ ଉଦ୍ୟମ କରିବ ଏହାର ଦୃଢ ଜବାବ ଦିଆଯିବ।

ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ଯେ, ଏହା ଦୁର୍ଭାଗ୍ୟପୂର୍ଣ୍ଣ ଯେ, ଏମିତି ସମୟରେ ପ୍ରଧାନମନ୍ତ୍ରୀଙ୍କ ଟିପ୍ପଣୀ ଉପରେ ଅନାବଶ୍ୟକ ବିବାଦ କରାଯାଉଛି, ଯେଉଁ ସମୟରେ ଆମର ବୀର ଯବାନ ସୀମାର ରକ୍ଷା କରୁଛନ୍ତି। ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଟିପ୍ପଣୀ ଗଲଓ୍ଵାନରେ ଜୁନ ୧୫ରେ ହୋଇଥିବା ଘଟଣା ଉପରେ କେନ୍ଦ୍ରିତ ଥିଲା। ଏହି ଘଟଣାରେ ୨୦  ଭାରତୀୟ ସୈନିକ ସହିଦ ହୋଇଥିଲେ।

କଣ କହିଥିଲେ ରାହୁଲ ଗାନ୍ଧୀ

କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ କଡା ହମଲା କରି କହିଛନ୍ତି ଯେ, ଗତକାଲି ସର୍ବଦଳୀୟ ବୈଠକରେ ମୋଦୀ ଦେଇଥିବା ବୟାନ ସାବ୍ୟସ୍ତ କରୁଛି ଯେ, ଚୀନୀ ଆକ୍ରମଣ ସାମ୍ନାରେ ସେ ଆତ୍ମ ସମର୍ପଣ କରିଛନ୍ତି। ସେ ପ୍ରଶ୍ନ କରିଛନ୍ତି ଯେ, ଯଦି ଭୂମି ଚୀନର ଥିଲା ତେବେ ଆମ ସୈନିକଙ୍କୁ କଣ ମାରି ମାରାଗଲା ଏବଂ ବୀର ଯବାନଙ୍କ ଉପରେ କେଉଁଠି ଆକ୍ରମଣ ହୋଇଥିଲା। କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମ ଲଦାଖରେ ଚୀନ ସହିତ ଗତିରୋଧ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିବୃତିକୁ ନେଇ ଶନିବାର ପ୍ରଶ୍ନ କରିଛନ୍ତି ଯେ, କଣ ପ୍ରଧାନମନ୍ତ୍ରୀ ଚୀନକୁ କ୍ଲିନଚିଟ୍‌ ଦେଇ ଦେଲେ ?

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.