ସ୍ଵାସ୍ଥ୍ୟ ମନ୍ତ୍ରଣାଳୟର ସ୍ପଷ୍ଟୀକରଣ: ସୁପ୍ରିମକୋର୍ଟର ବିଚାରପତି ନିଜ ଇଚ୍ଛା ଅନୁସାରେ ଟିକା ଚୟନ କରି ପାରିବେ ନାହିଁ

Published By : Prameya-News7 Bureau | March 01, 2021 IST

ନୂଆଦିଲ୍ଲୀ ୦୧।୦୩: ସୋମବାରଠୁ ସମଗ୍ର ଦେଶରେ ସର୍ବବୃହତ ଟିକାକରଣର ଦ୍ଵିତୀୟ ପର୍ଯ୍ୟାୟ ଆରମ୍ଭ ହୋଇ ଯାଇଛି। ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଅନେକ ବରିଷ୍ଠ ନେତା ଟିକା ନେଇଛନ୍ତି। ଏହି କ୍ରମରେ ସୁପ୍ରିମକୋର୍ଟର ଜଜମାନେ ମଧ୍ୟ ଟିକା ନେଇଛନ୍ତି। ଏହାର ସୂଚନା ଦେଇଛନ୍ତି ସୁପ୍ରିମକୋର୍ଟର ରେଜିଷ୍ଟାର। ୬୦ ବର୍ଷରୁ ଉର୍ଦ୍ଧ୍ଵ ବ୍ୟକ୍ତି ଏବଂ ଯେଉଁମାନଙ୍କ  ବୟସ ୪୫ ବର୍ଷରୁ ଅଧିକ ଏବଂ ସେମାନେ ରୋଗରେ ପୀଡିତ ଥିବେ ସେମାନଙ୍କୁ ଦ୍ଵିତୀୟ ପର୍ଯ୍ୟାୟ ଟିକାକରଣରେ ସାମିଲ କରାଯାଇଛି।

ପୂର୍ବରୁ ପ୍ରକାଶିତ ରିପୋର୍ଟରେ କୁହାଯାଇଥିଲା ଯେ, ସୁପ୍ରିମକୋର୍ଟର ବିଚାରପତି ଭାରତରେ ଉପଲବ୍ଧ ଦୁଇଟି ଭ୍ୟାକସିନ ଭାରତ ବାୟୋଟେକ୍‌ର କୋଭାକ୍ସିନ ଓ ସିରମ ଇନଷ୍ଟିଚ୍ୟୁଟ୍‌ର କୋଭିସିଲ୍‌ଡ ମଧ୍ୟରୁ ଯେ କୌଣସି ଗୋଟିଏ ଟିକା ଚୟନ କରି ପାରିବେ।  

ହେଲେ ନିକଟରେ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସ୍ପଷ୍ଟୀକରଣ ଦେଇଛି ଯେ, ବିଚାରପତି ନିଜ ଇଚ୍ଛା ଅନୁସାରେ ଟିକା ଚୟନ କରି ପାରିବେ ନାହିଁ। ସଂପର୍ଣ୍ଣ ଟିକାକରଣ ପ୍ରକ୍ରିୟା କୋ-ଓ୍ଵିନ ପୋର୍ଟାଲ ମାଧ୍ୟମରେ ହେବ। ସୁପ୍ରିମକୋର୍ଟରେ ଥିବା ସରକାରୀ ସୁବିଧା (CGHS ଡିସପେନସାରି) ଟିକାକରଣ ଉଦ୍ଦେଶ୍ୟରେ ବ୍ୟବହୃତ ହେବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।  

ଟିକା ଗ୍ରହଣ ପାଇଁ ବିଚାରପତିମାନେ ହସ୍ପିଟାଲ କିମ୍ବା ସୁପ୍ରିମକୋର୍ଟ କୋଠା ଚୟନ କରିବେ ପାରିବେ ବୋଲି ସୁପ୍ରିମକୋର୍ଟ ରେଜିଷ୍ଟାର କହିଛନ୍ତି। ଏପରିକି ଏଥିରେ ବିଚାରପତିଙ୍କ ପରିବାର ସଦସ୍ୟ ମଧ୍ୟ ସାମିଲ  ହୋଇ ପାରିବେ। ଏହା ବ୍ୟତୀତ ଏହି ଟିକାକରଣରେ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଏବଂ ତାଙ୍କ ପରିବାରର ସଦସ୍ୟ ମଧ୍ୟ ସାମିଲ ହୋଇ ପାରିବେ।

ମାର୍ଚ୍ଚ ୧ରୁ ଟିକାକରଣର ଦ୍ଵିତୀୟ ପର୍ଯ୍ୟାୟ ଆରମ୍ଭ ହୋଇ ଯାଇଛି। ଟିକାକରଣ ପାଇଁ କୋ-ଓ୍ଵିନ ପୋର୍ଟାଲ ଏବଂ ଆରୋଗ୍ୟ ସେତୁରେ ନାଁ ପଞ୍ଜିକରଣ କରି ପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.