ଟେଷ୍ଟ ମ୍ୟାଚ୍ ପରିଚାଳନାରେ ପ୍ରଥମ ମହିଳା, କ୍ଲେୟାର ପୋଲୋସାକଙ୍କ ପାଖରେ ରହିଛି ଦିନିକିଆ ମ୍ୟାଚ୍‌ର ଅଭିଜ୍ଞତା

Published By : Prameya-News7 Bureau | January 07, 2021 IST

ସିଡନୀ,୦୭/୦୧:  କ୍ଲେୟାର ପୋଲୋସାକ ଗୁରୁବାର ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ସିଡନୀ ଟେଷ୍ଟରେ ମ୍ୟାଚର ଅମ୍ପାୟାରିଂ କରୁଥିବା ପ୍ରଥମ ମହିଳା ମ୍ୟାଚ୍ ଅଧିକାରୀ ହୋଇଛନ୍ତି । ଅଷ୍ଟ୍ରେଲିଆର ନ୍ୟୁ ସାଉଥ୍ ଓ୍ୱେଲସର ୩୨ ବର୍ଷୀୟ ପୋଲୋସାକ ମ୍ୟାଚରେ ଚତୁର୍ଥ ଅମ୍ପାୟାରର ଭୂମିକା ତୁଲାଉଛନ୍ତି । ଏହାପୂର୍ବରୁ ସେ ପୁରୁଷ ଏକଦିବସୀୟ ଅନ୍ତରାଷ୍ଟ୍ରୀୟ କ୍ରିକେଟ ମ୍ୟାଚରେ ଅମ୍ପାୟାରିଂ କରୁଥିବା ପ୍ରଥମ ମହିଳା ଅମ୍ପାୟାର ଭାବେ ଉପଲବ୍ଧି ହାସଲ କରିଥିଲେ ।

ସେ ୨୦୧୯ରେ ନାମୀବୀୟା ଓ ଓମାନ ବିପକ୍ଷ ବିଶ୍ୱ କ୍ରିକେଟ ଲିଗରେ ଅମ୍ପାୟାରିଂ କରିଥିଲେ । ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ତୃତୀୟ ମ୍ୟାଚରେ  ଦୁଇ ପୂର୍ବତନ ବୋଲର ପଲ୍ ରିଫେଲ୍ ଓ ପଲ୍ ଓ୍ୱିଲସନ୍ ପଡିଆ ଅମ୍ପାୟାରର ଦାୟିତ୍ୱ ତୁଲାଉଛନ୍ତି । ସେହିପରି ବ୍ରୁସ୍ ଅକ୍ସେନଫୋର୍ଡ ତୃତୀୟ ଅମ୍ପାୟାର ହେବା ସହ ମ୍ୟାଚ୍ ରେଫରୀ ହୋଇଛନ୍ତି ଡେଭିଡ୍ ବୁନ୍ ।

ଟେଷ୍ଟ୍ ମ୍ୟାଚ୍ ପାଇଁ ଆଇସିସିର ନିୟମାନୁସାରେ, ଚତୁର୍ଥ ଅମ୍ପାୟାରଙ୍କୁ ଘରୋଇ କ୍ରିକେଟ୍ ବୋର୍ଡ ଦ୍ୱାରା ନିଜ ଆଇସିସି ଅମ୍ପାୟାରର ଅନ୍ତରାଷ୍ଟ୍ରୀୟ ପ୍ୟାନେଲରେ ନିଯୁକ୍ତ କରାଯାଏ । ପୋଲୋସାକ୍ ଏହାସହ ଅଷ୍ଟ୍ରେଲିଆରେ ୨୦୧୭ ଲିଷ୍ଟ୍-ଏ ମ୍ୟାଚରେ ଅମ୍ପାୟାରିଂ କରିଥିବା ପ୍ରଥମ ମହିଳା ଥିଲେ । ଚତୁର୍ଥ ଅମ୍ପାୟାରଙ୍କ କାମ ପଡିଆକୁ ବଲ୍ ନେବା, ଅମ୍ପାୟାରଙ୍କ ପାଇଁ ଡ୍ରିଙ୍କସ୍ ନେବା, ଲଞ୍ଚ୍ ଓ ଚା ବ୍ରେକରେ ପିଚକୁ ସମୀକ୍ଷା କରିବା ଆଦି ହୋଇଥାଏ । ଲାଇଟ୍ ମିଟର୍ ଓ ଆଲୋକର ଯାଞ୍ଚ୍ ମଧ୍ୟ ଚତୁର୍ଥ ଅମ୍ପାୟାର କରିଥାନ୍ତି । ଯଦି କୌଣସି ପରିସ୍ଥିତିରେ ତୃତୀୟ ଅମ୍ପାୟାର ପଡିଆ ଅମ୍ପାୟାରଙ୍କ ସ୍ଥାନ ନିଏ ତେବେ ଚତୁର୍ଥ ଅମ୍ପାୟାର ତୃତୀୟ ଅମ୍ପାୟାରର ଦାୟିତ୍ୱ ନେଇଥାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.