ICMRର ଦାବି, କରୋନାର ଡେଲଟା ପ୍ଲସ୍‌ ଭ୍ୟାରିଆଣ୍ଟକୁ ମାତ୍‌ ଦେବାକୁ ସକ୍ଷମ କୋଭାକ୍ସିନ୍‌ ଟିକା

Published By : Prameya-News7 Bureau | August 02, 2021 IST

ନୂଆଦିଲ୍ଲୀ ୦୨/୦୮ : ଦେଶରେ କରୋନା ସଂକ୍ରମଣ ବିରୁଦ୍ଧରେ ଲଢେଇ ଜାରି ରହିଛି । ଏହାରି ମଧ୍ୟରେ ଆଉ ଏକ ବଡ ଏବଂ ଗୁରୁତ୍ବପୂର୍ଣ୍ଣ ଖବର ସାମ୍ନାକୁ ଆସିଛି । ଇଣ୍ଡିଆନ୍‌ କାଉନସିଲ ଅଫ୍‌ ମେଡିକାଲ ରିସର୍ଚ୍ଚର ଏକ ଗବେଷଣାରୁ ନୂଆ ତଥ୍ୟ ଜଣାପଡିଛି । ଷ୍ଟଡି ଅନୁଯାୟୀ, କରୋନାର ଡେଲଟା ଭ୍ୟାରିଆଣ୍ଟକୁ ପ୍ରତିହତ କରିବାରେ କୋଭାକ୍ସିନ୍‌ ଟିକା ବେଶ ପ୍ରଭାବୀ ବୋଲି ଜଣାପଡିଛି ।

ଭାରତରେ ଦେଖାଯାଉଥିବା କରୋନାର ଡେଲଟା ଭ୍ୟାରିଆଣ୍ଟ ଭୟଙ୍କର ଏବଂ ସଂକ୍ରାମକ ମଧ୍ୟ । କିନ୍ତୁ ଏକ ରିସର୍ଚ୍ଚରୁ ଜଣାପଡିଥିଲା ଯେ ଡେଲଟା ପ୍ଲସ୍ ଭ୍ୟାରିଆଣ୍ଟ ଡେଲଟା ଭାଇରସଠାରୁ କମ ସଂକ୍ରାମକ ହୋଇପାରେ । ବିଶ୍ବର ୮୫ଟି ଦେଶରେ ଡେଲଟା ଭ୍ୟାରିଆଣ୍ଟ ଦେଖିବାକୁ ମିଳିଛି । ଏହି ମାମଲା ଲଗାତାର ଭାବେ ବୃଦ୍ଧି ପାଇବାରେ ଲାଗିଛି ।

କୋଭିଡ୍‌ର ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ବିଶେଷଜ୍ଞମାନେ ଚେତାବନୀ ଦେବା ସହିତ ଡେଲଟା ଭ୍ୟାରିଆଣ୍ଟ ଦ୍ବାରା ସଂକ୍ରମଣ ଆହୁରି ବୃଦ୍ଧି ପାଇପାରେ ବୋଲି କହିଛନ୍ତି । ଚିକେନ୍‌ଫକ୍ସ ଭଳି ଡେଲଟା ପ୍ଳସ୍‌ ଭ୍ୟାରିଆଣ୍ଟ ବିସ୍ତାର କରିପାରେ ବୋଲି ଚେତାବନୀ ଦେଇଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ । ଇନ୍‌ସାକୋଜ୍ର ତଥ୍ୟ ଅନୁଯାୟୀ, ଜୁନ୍ ଏବଂ ଜୁଲାଇ ମାସରେ ପ୍ରତି ୧୦ ଜଣ କୋଭିଡ୍ ସଂକ୍ରମିତଙ୍କ ତୁଳନାରେ ୮ ଜଣ ଅତ୍ୟଧିକ ସଂକ୍ରାମକ ଡେଲଟା ଭ୍ୟାରିଆଣ୍ଟର ଥିଲେ ।

ICMRର ଏକ ବିଶେଷଜ୍ଞ କମିଟି କୋଭାକ୍ସିନ୍‌ ଏବଂ କୋଭିସିଲଡ୍‌ ଉଭୟ ଭ୍ୟାକସିନ୍‌ର ମିଶ୍ରଣକୁ ନେଇ ଭେଲୋର ସ୍ଥିତ ସିଏମ୍‌ସି ମେଡିକାଲ ପରୀକ୍ଷଣ ପାଇଁ ଦେବାକୁ ଅପିଲ କରିଛି । ଉଭୟ ଟିକାର ପରୀକ୍ଷଣ ପରେ ଏହା ଡେଲଟା ଭ୍ୟାରିଆଣ୍ଟକୁ ସମ୍ପୂର୍ଣ୍ଣ ଭାବେ ମାତ୍‌ ଦେବାକୁ ସକ୍ଷମ ହେବ କି ନାହିଁ ତାହା ଜଣାପଡିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.