Wednesday, November 13, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

୧୫ ତାରିଖ ସୁଦ୍ଧା ପ୍ରକାଶ ପାଇବ ଅଯୋଧ୍ୟା ରାୟ, ଉତ୍ତର ପ୍ରଦେଶର ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଖବର ନେଲେ ମୁଖ୍ୟ ବିଚାରପତି

ନୂଆଦିଲ୍ଲୀ୮|୧୧: ଅଯୋଧ୍ୟା ଚୂଡାନ୍ତ ରାୟ ଆଶା ଆଶଙ୍କାରେ ଅଯୋଧ୍ୟାବାସୀ । ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ନେଇ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କୁ ଭେଟି ଅବଗତ କରାଇଛନ୍ତି ୟୁପି ମୁଖ୍ୟ ଶାସନ ସଚିବ ଓ ଡିଜିପି । ଏପଟେ ରାୟ ପୂର୍ବରୁ ସବୁ ରାଜ୍ୟଙ୍କୁ ସତର୍କ ରହିବାକୁ ନିର୍ଦେଶ ଦେଇଛି ଗୃହ ମନ୍ତ୍ରଣାଳୟ । ରାଜ୍ୟରେ ଆଇନ  ଶୃଙ୍ଖଳା ପରିସ୍ଥିତି କାଏମ ରଖିବା ନେଇ ପ୍ରଶାସନ ଓ ପୋଲିସର ବରିଷ୍ଠ ଅଧିକାରୀଙ୍କ ବୈଠକ କରିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ।

ରାମଜନ୍ମଭୁମି ବାବ୍ରି ମସଜିଦ ବିବାଦର ଚୂଡାନ୍ତ ରାୟ ଆସିବାକୁ ରହିଲା ମାତ୍ର ଅଳ୍ପ କିଛି ଦିନ। ଅଯୋଧ୍ୟାକୁ ନେଇ ପୂର୍ବରୁ ଅନେକ ଥର ଦଙ୍ଗା ହୋଇଛି। ତେଣୁ ଏହି ସମ୍ବେଦନଶୀଳ ମାମଲାର ରାୟ ଆସିବା ପୂର୍ବରୁ ସୁରକ୍ଷାକୁ ନେଇ ଆଗେ ଜାଣିବାକୁ ଚାହିଁଥିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ । ଆଜି ଉତ୍ତରପ୍ରଦେଶ ମୁଖ୍ୟ ଶାସନ ସଚିବ ରାଜେନ୍ଦ୍ର କୁମାର ଓ ଡିଜିପି ଓମ୍ ପ୍ରକାଶ ସିଂ, ଦିଲ୍ଲୀ ଆସି ପ୍ରଧାନ ବିଚାରପତିଙ୍କୁ  ଭେଟିଛନ୍ତି। ସୁରକ୍ଷା ବନ୍ଦୋବସ୍ତ ନେଇ ରାଜ୍ୟ ପ୍ରଶାସନ ନେଇଥିବା ପଦକ୍ଷେପ ସମ୍ପର୍କରେ ଅବଗତ କରାଇଛନ୍ତି । ସିଜେଆଇଙ୍କ ଚାମ୍ବରରେ ପ୍ରାୟ ଏକ ଘଣ୍ଟା ଧରି ହୋଇଥିଲା ଏହି ବୈଠକ।

ଅଯୋଧ୍ୟା ଚୂଡାନ୍ତ ରାୟ ପୂର୍ବରୁ ରାଜ୍ୟରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବାପାଇଁ  ବିଭିନ୍ନ ହିନ୍ଦୁ ଓ ମୁସଲିମ ସଂଗଠନ ସହ ରାଜନୈତିକ ଦଳର ନେତାମାନେ ରାଜ୍ୟବାସୀଙ୍କୁ ଅପିଲ କରିଛନ୍ତି। ଏପଟେ ଗୃହମନ୍ତ୍ରଣାଳୟ ସବୁ ରାଜ୍ୟକୁ ସଜାଗ ରହିବାକୁ କହିଛନ୍ତି ।  ଅଯୋଧ୍ୟା ପ୍ରସଙ୍ଗରେ କ୍ୟାବିନେଟର କୌଣସି ମନ୍ତ୍ରୀ ଯେମିତି କୌଣସି ବେପରୁଆ ବୟାନ ନଦିଅନ୍ତି ସେନେଇ  ତାଗିଦ୍ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ସୁରକ୍ଷା ବନ୍ଦୋବସ୍ତ ନେଇ  ରାଜ୍ୟ ପ୍ରଶାସନ ଓ  ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ବୈଠକ କରିଛନ୍ତି  ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଜରୁରୀ  ପରିସ୍ଥିତି ମୁକାବିଲା ପାଇଁ  ଦୁଇଟି ହେଲିକପ୍ଟର ଗୋଟିଏ ଅଯୋଧ୍ୟା ଏବଂ ଆଉ ଗୋଟିଏ ଲକ୍ଷ୍ନୌରେ ଷ୍ଟାଣ୍ଡ ବାଏ ଭାବେ ରଖାଯାଇଛି। ଜିଲ୍ଲାର ବରିଷ୍ଠ ଅଧିକାରୀଙ୍କୁ ଗାଁ ଗାଁ ବୁଲି ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିବାକୁ କୁହାଯାଇଛି ।

 ସୋସିଆଲ ମିଡିଆ ଉପରେ କଡା ନଜର ରଖାଯିବ। ସେହିପରି କିଛି ଲୋକଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ଉପରେ ସ୍ବତନ୍ତ୍ର ନଜର ରଖାଯାଇଛି। ଆଗାମୀ କିଛି ଦିନ ପାଇଁ ରାଜ୍ୟରେ  କୌଣିସ ସେଲିବ୍ରେସନ କିମ୍ବା ପ୍ରତିବାଦ ବିକ୍ଷୋଭ ଉପରେ ରୋକ ଲଗାଯାଇଛି। ଉପଦ୍ରବକାରୀଙ୍କ ବିରୋଧରେ ଏନଏସଏ ଧାରା  ଲଗାଇବାକୁ କୁହାଯାଇଛି।

ରାମଜନ୍ମଭୁମି ବାବ୍ରି ମସଜିଦ ମାମଲାର ୪୦ ଦିନର ମାରାଥନ ଶୁଣାଣି ପରେ ରାୟକୁ ସଂରକ୍ଷିତ ରଖିଥିଲେ ସାମ୍ବିଧାନିକ ଖଣ୍ଡପୀଠ । ନଭେମ୍ବର ୧୫ ସିଜେଆଇ ରଞ୍ଜନ ଗୋଗୋଇଙ୍କ ଶେଷ କାର୍ଯ୍ୟଦିବସ ହୋଇଥିବାରୁ ତା ପୂର୍ବରୁ ଚୂଡାନ୍ତ ରାୟ ଆସିବାର ଯଥେଷ୍ଟ ସମ୍ଭାବନା ରହିଛି।

233 Views

   ସମ୍ବନ୍ଧିତ ଖବର