ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଶୁଣାଣି- ଦରକାର ପଡିଲେ ଶ୍ରୀନଗର ଯିବେ କହିଲେ ପ୍ରଧାନ ବିଚାରପତି

Published By : Prameya-News7 Bureau | September 16, 2019 IST

ନୂଆଦିଲ୍ଲୀ ୧୬।୦୯- ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ନେଇ ସୁପ୍ରିମକୋର୍ଟଙ୍କ ବଡ ଶୁଣାଣି । ଏକାଧିକ ଜନସ୍ବାର୍ଥ ମାମଲାର ଶୁଣାଣି କରି ଜାମ୍ମୁ-କଶ୍ମୀରରେ ତୁରନ୍ତ ସ୍ଥିତି ସ୍ବାଭାବିକ କରିବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ। ଦୁଇ ସପ୍ତାହ ମଧ୍ୟରେ କେନ୍ଦ୍ରକୁ ରିପୋର୍ଟ ତଲବ କରିଛନ୍ତି । ଦରକାର ପଡିଲେ ନିଜେ ସ୍ଥିତି ଅନୁଧ୍ୟାନ କରିବାକୁ ଶ୍ରୀନଗର ଯିବେ ବୋଲି ପ୍ରଧାନ ବିଚାରପତି ରଂଜନ ଗୋଗେଇ  କହିଛନ୍ତି ।

ଧାରା ୩୭୦ ହଟିବା ପରେ କେମିତି ରହିଛି ଜାମ୍ମୁ-କାଶ୍ମୀର ସ୍ଥିତି ?  ଏହା ଉପରେ ଆଗତ ୮ ଟି ପିଟିସନ୍‌ ର ଶୁଣାଣି କରି ସୁପ୍ରିମକୋର୍ଟଙ୍କ ୩ ଜଣିଆ ଖଣ୍ଡପୀଠ କେନ୍ଦ୍ରକୁ କଡା ତାଗିଦ କରିଛନ୍ତି ।  ଜାତୀୟ ସୁରକ୍ଷାକୁ ଦୃଷ୍ଟିରେ ରଖି ତୁରନ୍ତ ସ୍ଥିତି ସ୍ବାଭାବିକ କରିବାକୁ ନିର୍ଦେଶ ଦେଇଛନ୍ତି । ଲୋକେ ଆଇନଗତ ସହାୟତା ପାଇଁ ହାଇକୋର୍ଟ ସହ ଯୋଗାଯୋଗ କରିପାରୁ ନ ଥିବା ଅଭିଯୋଗକୁ ଖଣ୍ଡପୀଠ ଗୁରୁତର ସହ ନେଇଛନ୍ତି । ପ୍ରଧାନ ବିଚାରପତି ଏହି ଅଭିଯୋଗ ଉପରେ ଜାମ୍ମୁ-କାଶ୍ମୀର ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ରିପୋର୍ଟ ମାଗିଛନ୍ତି। ଆବଶ୍ୟକ ହେଲେ ନିଜେ ଶ୍ରୀନଗର ଯାଇ ସ୍ଥିତି ଅନୁଧ୍ୟାନ କରିବେ ବୋଲି ପ୍ରଧାନ ବିଚାରପତି ରଂଜନ ଗୋଗେଇ କହିଛନ୍ତି । 

କେଉଁ ଆଧାରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲାଙ୍କୁ ଅଟକ ରଖାଯାଇଛି ବୋଲି କୋର୍ଟ ଜାଣିବାକୁ ଚାହିଁଥିଲେ ।  ଏହାର ଜବାବ ରଖିଥିଲା କେନ୍ଦ୍ର । ଅବଦୁଲ୍ଲାଙ୍କୁ ଗୃହବନ୍ଦୀ ନୁହେଁ ବରଂ ପବ୍ଲିକ୍ ସେଫଟି ଆକ୍ଟରେ ଅଟକ ଅଛନ୍ତି ବୋଲି କୁହାଯାଇଛି । ଏମଡିଏମକେର ନେତା ଭାଇକୋ ଏନେଇ ଆବେଦନ କରିଥିଲେ । କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଗୁଲାମନବୀ ଆଜାଦଙ୍କ ଆବେଦନର ଶୁଣାଣି କରି ତାଙ୍କୁ କାଶ୍ମୀର ଯିବାକୁ ଅନୁମତି ଦେଇଛନ୍ତି । କିନ୍ତୁ ଏଥିପାଇଁ ସର୍ତ ରଖିଛନ୍ତି କୋର୍ଟ । ଗୁଲାମନବୀ କେବଳ ୪ଟି ଜିଲାକୁ ଗସ୍ତ କରିପାରିବେ । କୌଣସି ରାଜନୈତିକ କାର୍ଯ୍ୟକ୍ରମ କରିପାରିବେ ନାହିଁ ବୋଲି କୋର୍ଟ ନିର୍ଦେଶ ଦେଇଛନ୍ତି ।

 ଘାଟିରେ ଗଣମାଧ୍ୟମର କଣ୍ଠରୋଧ କରାଯାଉଥିବା ଏବଂ ଲୋକଙ୍କୁ ଚିକିତ୍ସାସେବା ମିଳୁ ନ ଥିବା ନେଇ ପିଟିଶନ ଦାଖଲ ହୋଇଛି। ଏସବୁ ପିଟିଶନର ଶୁଣାଣି ବେଳେ ଆଟର୍ନି ଜେନେରାଲ କେ.କେ. ବେଣୁଗୋପାଳ ସରକାରଙ୍କ ତରଫରୁ ପକ୍ଷ ରଖିଥିଲେ।  କହିଥିଲେ  ୮୮ ପ୍ରତିଶତ ପୋଲିସ ଷ୍ଟେସନ ଅଞ୍ଚଳରେ ସ୍ଥିତି ସ୍ବାଭାବିକ । କୌଣସି ସ୍ଥାନରେ ଗୁଳି ଫୁଟିନି, କିନ୍ତୁ କିଛି ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଗଣମାଧ୍ୟମ ବିନା ପ୍ରତିବନ୍ଧକରେ କାର୍ଯ୍ୟ କରୁଥିବା ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.