ଅକ୍ଟୋବର ୨ ତାରିଖରେ ଅବସର ଗ୍ରହଣ କରିବେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଦୀପକ ମିଶ୍ର

Published By : Prameya-News7 Bureau | September 25, 2018 IST

ଦିଲ୍ଲୀ ୨୫/୯ : ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଦୀପକ ମିଶ୍ର ଅକ୍ଟୋବର ୨ ତାରିଖରେ ଅବସର ଗ୍ରହଣ କରିବେ। ତାଙ୍କ ହାତରେ ଆଉ ମାତ୍ର ୬ଟି କାର୍ଯ୍ୟ ଦିବସ ରହିଛି। ଜଷ୍ଟିସ୍ ରଂଜନ ଗୋଗୋଇ ତାଙ୍କ ସ୍ଥାନରେ ଅକ୍ଟୋବର ୩ ତାରିଖରେ ଶପଥ ଗ୍ରହଣ କରିବେ। ତେବେ ଏହି ସୀମିତ ସମୟ ମଧ୍ୟରେ ଜଷ୍ଟିସ୍ ମିଶ୍ର ପ୍ରାୟ ୮ଟି ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରିବେ। ଏମିତି କି ଅବସର ପୂର୍ବରୁ ସେ କିଛି ମାମଲାରେ ଚୂଡ଼ାନ୍ତ ରାୟ ପ୍ରକାଶ କରିପାରନ୍ତି ବୋଲି ଆଶା କରାଯାଉଛି। ପ୍ରଧାନ ବିଚାରପତିଙ୍କ ନିକଟରେ ଏବେ ଅଯୋଧ୍ୟା ଓ ଆଧାର ଭଳି ଗୁରୁତ୍ୱପୂର୍ଣ୍ଣ ମାମଲା ପଡ଼ିରହିଛି। ରାଷ୍ଟ୍ରବାସୀଙ୍କ ସ୍ୱାର୍ଥକୁ ଆଖିରେ ରଖି ଜଷ୍ଟିସ୍ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ବିଭିନ୍ନ ଖଣ୍ଡପୀଠ ଏହି ସ୍ୱଳ୍ପ ଦିନ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିବା ନେଇ ସମ୍ଭାବନା ରହିଛି। ଜଷ୍ଟିସ୍ ମିଶ୍ର ଦେଶର ପ୍ରଥମ ପ୍ରଧାନ ବିଚାରପତି ଭାବେ ସର୍ବାଧିକ ସମ୍ବିଧାନ ପୀଠର ନେତୃତ୍ୱ ନେଉଛନ୍ତି। ଏମିତି କି ଅନେକ ଖଣ୍ଡପୀଠରେ ଅଧ୍ୟକ୍ଷତା କରି ଗୁଡ଼ାଏ ମାମଲାର ଫଇସଲା କରିଛନ୍ତି। ରାଜନୈତିକ, ଧାର୍ମିକ ଓ ଅର୍ଥନୈତିକ କ୍ଷେତ୍ର ପାଇଁ ମହତ୍ତ୍ୱପୂର୍ଣ୍ଣ ଥିବା ଅନେକ ମାମଲାର ସେ ଉପଯୁକ୍ତ ପରିଚାଳନା କରିଛନ୍ତି। ନିକଟରେ ପ୍ରଧାନ ବିଚାରପତି ଜଷ୍ଟିସ୍ ମିଶ୍ରଙ୍କ ନେତୃତ୍ୱରେ ପାଞ୍ଚଜଣିଆ ସମ୍ବିଧାନ ପୀଠ ଧାରା ୩୭୭ ବାବଦରେ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ସମଲିଙ୍ଗୀ ସଂପର୍କକୁ ବର୍ଷ ବର୍ଷ ଧରି ଅପରାଧ ବିବେଚନା କରାଯାଉଥିବା ବେଳେ ଜଷ୍ଟିସ୍ ମିଶ୍ରଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ନିଜର ଐତିହାସିକ ରାୟ ବଳରେ ଏହି ସଂପର୍କକୁ ଅପରାଧମୁକ୍ତ କରିଛନ୍ତି। ଫଳରେ ମାନବାଧିକାର କ୍ଷେତ୍ରରେ ଏହା ମହତ୍ତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇପାରିଛି। ଏବେ ଜଷ୍ଟିସ୍ ମିଶ୍ରଙ୍କ ଅବସର ପାଇଁ ୮ରୁ କମ୍ ଦିନ ବାକି ଥିବା ବେଳେ ତନ୍ମଧ୍ୟରେ ୬ଟି କାର୍ଯ୍ୟଦିବସ ରହିଛି। ତାଙ୍କ ନେତୃତ୍ୱରେ ଗଠିତ ଭିନ୍ନ ଭିନ୍ନ ସମ୍ବିଧାନ ଖଣ୍ଡପୀଠ ୮ଟି ମାମଲାରେ ଶୁଣାଣି କରିବେ। ଆଧାର କାର୍ଡଠାରୁ ଅଯୋଧ୍ୟା ମାମଲା ଯାଏ ଏହି ୮ଟି ମାମଲାରେ ଜଷ୍ଟିସ୍ ମିଶ୍ରଙ୍କ ସମେତ ମୋଟ ୮ ଜଣ ବିଚାରପତି ରହିଛନ୍ତି। ଏମାନଙ୍କ ମଧ୍ୟରେ ଜଷ୍ଟିସ୍ କୁରିଆନ୍ ଯୋଶେଫ୍ , ଏ କେ ସିକ୍ରି, ଆର୍ ଏଫ୍ ନରିମାନ୍ , ଏ ଏମ୍ ଖାନ୍ ଓ୍ଵିଲ୍ କର, ଡି ଓ୍ଵାଇ ଚନ୍ଦ୍ରଚୂଡ଼, ଅଶୋକ ଭୂଷଣ, ସଂଜୟ କିଶନ୍ କୌଲ୍ , ଏସ୍ ଅବ୍ ଦୁଲ୍ ନାଜିର ଏବଂ ଇନ୍ଦୁ ମାଲ୍ ହୋତ୍ରା ରହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.