ମୁଖ୍ୟ ବିଚାରପତିଙ୍କ ମା’ଙ୍କୁ ଚୂନା ଲଗାଇଲା କେୟାରଟେକର୍ : ଅଢେଇ କୋଟି ଟଙ୍କା ଠକେଇ
10/12/2020 at 12:43 PM

ନୂଆଦିଲ୍ଲୀ ୧୦/୧୨ : ସର୍ବୋଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ବା ଚିଫ୍ ଜଷ୍ଟିସ୍ ଅଫ୍ ଇଣ୍ଡିଆ ଅରବିନ୍ଦ ବୋବଡ଼େ (CJI SA Bobde) ଙ୍କ ମା’ଙ୍କୁ ପାରିବାରିକ ସମ୍ପତ୍ତି ଦେଖାଶୁଣା କରୁଥିବା ଜଣେ ବ୍ୟକ୍ତି ଅଢେଇ କୋଟି ଟଙ୍କାର ଚୂନ ଲଗାଇଛନ୍ତି। ବୁଧବାର ଦିନ ଜଣେ ପୋଲିସ ଅଧିକାରୀ ଏ ସମ୍ବନ୍ଧରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ୪୯ ବର୍ଷ ବୟସ୍କ ଅଭିଯୁକ୍ତ ତାପସ ଘୋଷଙ୍କୁ ମଙ୍ଗଳବାର ରାତିରେ ଗିରଫ କରାଯାଇଛି। ନାଗପୁର ପୋଲିସର ଏକ ସ୍ୱତନ୍ତ୍ର ଯାଞ୍ଚ ଟିମ (SIT) ଡିସିପି ବିନୀତା ସାହୁଙ୍କ ନେତୃତ୍ତ୍ୱରେ ମାମଲାର ତଦନ୍ତ କରୁଛି। ଅଧିକାରୀ କହିଛନ୍ତି ଯେ, ଆକାଶବାଣୀ ଛକ ନିକଟରେ ବୋବଡ଼େ ପରିବାରର ଆବାସ ନିକଟରେ ତାଙ୍କ ସମ୍ପତ୍ତି ଅଛି ଯାହାର ନାଁ ସିଡନ ଲନ୍। ବିଭିନ୍ନ ଆୟୋଜନରେ ଏହାକୁ ଭଡା ଦିଆଯାଇଥାଏ। ସିଜେଆଇ ଅରବିନ୍ଦ ବୋବଡ଼େଙ୍କ ମା’ ମୁକ୍ତା ବୋବଡ଼େ ଏହି ସମ୍ପତ୍ତିର ମାଲିକାଣି ଏବଂ ତାପସ ଘୋଷଙ୍କୁ ଏହାର ଦେଖାଶୁଣା ପାଇଁ ନିଯୁକ୍ତି ଦିଆଯାଇଥିଲା।

ପୋଲିସ ଅଧିକାରୀ କହିଛନ୍ତି, ତାପସ ଘୋଷ ଗତ ୧୦ ବର୍ଷ ହେଲା ଏହି ସମ୍ପତ୍ତି ଦେଖାଶୁଣା କରୁଛନ୍ତି। ମୁକ୍ତା ବୋବଡ଼େଙ୍କ ବୟସ ଓ ସ୍ୱାସ୍ଥ୍ୟବସ୍ଥାର ଫାଇଦା ଉଠାଇ ଘୋଷ ଲନର ମିଛ ରସିଦ କାଟି ଅଢେଇ କୋଟି ଟଙ୍କା ଠକେଇ କରିଛନ୍ତି। ତେବେ ଠକେଇ ରାଶି ଆହୁରି ଅଧିକ ହୋଇପାରେ ବୋଲି ସନ୍ଦେହ କରାଯାଉଛି।
ସେ କହିଛନ୍ତି ତାପସ ଘୋଷ ଓ ତାଙ୍କ ପତ୍ନୀ ଲନ ଭଡାରୁ ପ୍ରାପ୍ତ ହୋଇଥିବା ରାଶି ଜମା କରିନାହାନ୍ତି। ଠକେଇ ମାମଲା ସାମ୍ନାକୁ ଆସିବା ପରେ ପୋଲିସ ଏସଆଇଟି ଗଠନ କରିଥିଲା। ଟିମରେ ଅପରାଧ ଶାଖାର ଅଧିକାରୀ ମଧ୍ୟ ସାମିଲ ଅଛନ୍ତି। ସେ କହିଛନ୍ତି ମଙ୍ଗଳବାର ରାତିରେ ସୀତାବୁଲଡି ଥାନାରେ ମାମଲା ରୁଜ୍ଜୁ କରାଯାଇଥିଲା ଏବଂ ତାପସ ଘୋଷଙ୍କୁ ପଚରାଉଚୁରା ପରେ ଗିରଫ କରାଯାଇଛି।