ନାବାଳିକା ଶୋଷଣ ମାମଲାରେ ସିଭିଲ୍ ଜଜ୍ ବରଖାସ୍ତ

Published By : Prameya-News7 Bureau | October 28, 2020 IST

ହରିଦ୍ୱାର ୨୮/୧୦ : ଉତ୍ତରାଖଣ୍ଡ ହରିଦ୍ୱାରରେ ଆଇନ ବ୍ୟବସ୍ଥା ଏକ ଦୃଢ ନିର୍ଣ୍ଣୟ ନେଇଛି। ନାବାଳିକା ଶୋଷଣ ମାମଲାରେ ଜଣେ ସିଭିଲ୍ ଜଜଙ୍କୁ ବରଖାସ୍ତ କରାଯାଉଛି। ହରିଦ୍ୱାରର ତତ୍କାଳୀନ ସିଭିଲ ଜଜ ଦିପାଲୀ ଶର୍ମାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଦିପାଲୀ ଶର୍ମାଙ୍କ ବିରୋଧରେ ନାବାଳିକା ଶୋଷଣର ଗମ୍ଭୀର ଆରୋପ ଲାଗିଥିଲା। ନୈନିତାଲ ଉଚ୍ଚତମ ନ୍ୟାୟାଳୟଙ୍କ ସମ୍ପୂର୍ଣ୍ଣ ବେଞ୍ଚ ଏହି ମାମଲାରେ ଦିପାଲୀ ଶର୍ମାଙ୍କୁ ବରଖାସ୍ତ କରିବାକୁ ସୁପାରିଶ କରିଥିଲେ। ଏହାପରେ ସରକାରଙ୍କ ତରଫରୁ ଏହି ଆଦେଶ ଜାରି କରାଯାଇଥିଲା। ଅତିରିକ୍ତ ମୁଖ୍ୟ ସଚିବ କାର୍ମିକ ରାଧା ରତୁଡିଙ୍କ ଦ୍ୱାରା ଦିପାଲୀ ଶର୍ମାଙ୍କୁ ବରଖାସ୍ତ କରିବାକୁ ଆଦେଶ ଜାରି କରାଯାଇଛି।

ନୈନିତାଲ ହାଇକୋର୍ଟ ୱେବସାଇଟରେ ଦିପାଲୀ ଶର୍ମାଙ୍କୁ ବରଖାସ୍ତ କରିବା ଆଦେଶ ଅପଲୋଡ୍ କରାଯାଇଛି। ମିଡ଼ିଆ ରିପୋର୍ଟ ଅନୁଯାୟୀ, ନ୍ୟାୟ ସଚିବ ପ୍ରେମ ସିଂହ ଖିମାଲ୍ ନ୍ୟାୟିକ ସେବା ଅଧିକାରୀ ଦିପାଲୀ ଶର୍ମାଙ୍କ ସେବା ସମାପ୍ତ ନେଇ ସ୍ପଷ୍ଟ କରିଛନ୍ତି। ଦିପାଲୀଙ୍କ ବିରୋଧରେ ନାବାଳିକାକୁ ଶାରୀରିକ ଏବଂ ମାନସିକ ଶୋଷଣ କରାଯାଉଥିବା ଅଭିଯୋଗ ରହିଛି। ମିଡ଼ିଆ ରିପୋର୍ଟ ଅନୁଯାୟୀ, ଉତ୍ତରାଖଣ୍ଡରେ କିଶୋର ନ୍ୟାୟ ଅଧିନିୟମ ଅନୁସାରେ କୌଣସି ସରକାରୀ ଅଧିକାରୀ ବରଖାସ୍ତ ହେବା ଏହା ସମ୍ଭବତଃ ପ୍ରଥମ ମାମଲା।

ହରିଦ୍ୱାରର ତତ୍କାଳୀନ ସିଭିଲ୍ ଜଜ୍ ଦିପାଲୀ ଶର୍ମାଙ୍କ ଉପରେ ୨୦୧୯ ମସିହାରେ ଜଣେ ନାବାଳିକାଙ୍କୁ ନିଜ ବାସଭବନରେ ରଖି ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ହୋଇଥିଲା। ଚଢ଼ାଉ ବେଳେ ନାବାଳିକା ତାଙ୍କ ଘରୁ ଉଦ୍ଧାର ହୋଇଥିଲେ। ଯାଞ୍ଚ ପରେ ଦିପାଲୀଙ୍କ ବିରୋଧରେ ହୋଇଥିବା ଅଭିଯୋଗ ସ୍ପଷ୍ଟ ହୋଇଥିଲା। ଏହାପରେ ସିଡ଼କୁଲ ଥାନାରେ ମାମଲା ରୁଜ୍ଜୁ କରାଯାଇ ଦିପାଲୀଙ୍କୁ ନିଲମ୍ବିତ କରାଯାଇଥିଲା। ମାମଲାର ଶୁଣାଣି ପରେ ହାଇକୋର୍ଟ ବେଞ୍ଚ ଦିପାଲୀଙ୍କୁ ବରଖାସ୍ତ କରିବାକୁ ଆଦେଶ ଦେଇଥିଲେ।

ସୂଚନା ଅନୁଯାୟୀ, ଅଭିଯୋଗ ପରେ ଯେତେବେଳେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା ସେତେବେଳେ ତତ୍କାଳୀନ ଜିଲ୍ଲା ଜଜ୍ ରାଜେନ୍ଦ୍ର ସିଂହ ଚୌହାନ ତତ୍କାଳୀନ ଏସଏସପି କିଷାନ କୁମାର ବିକେ, ଏଡ଼ିଜେ ଅମରିନ୍ଦର ସିଂହ ସେଠାରେ ଉପସ୍ଥିତ ଥିଲେ। ଜିଲ୍ଲା ଜଜଙ୍କ ଉପସ୍ଥିତିରେ ଜିଲ୍ଲା ହସ୍ପିଟାଲରେ ନାବାଳିକାଙ୍କ ମେଡିକାଲ ଯାଞ୍ଚ କରାଯାଇଥିଲା। ନାବାଳିକାଙ୍କ ଶରୀରରେ ୨୦ ଟି କ୍ଷତ ଚିହ୍ନ ଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.