କରୋନା ବଦଳାଇଦେଲା କର୍ମ : ଦିନ ମଜୁରୀ ଲାଗୁଛନ୍ତି ସିଭିଲ୍ ଇଞ୍ଜିନିୟର

Published By : Prameya-News7 Bureau | October 22, 2020 IST

ବଲାଙ୍ଗୀର ୨୨।୧୦: କରୋନା କାରଣରୁ ବଦଳିଯାଇଛି ଜୀବନ ଜୀବିକା । ଏମିତିରେ ରାଜ୍ୟ ବାହାରେ କାମ କରି ଦୁଇ ପଇସା ରୋଜଗାର କରୁଥିବା ମଣିଷକୁ ଫେରିବାକୁ ପଡିଛି ନିଜ ଭିଟା ମାଟିକୁ । ନିଜ ଭିଟା ମାଟିରେ କିଛି କାମ ଦାମ ନଥିବାରୁ ଏବେ ସାଜିଛନ୍ତି ଦିନ ମଜୁରିଆ । ଏଭଳି ଦେଖିବକୁ ମିଳିଛି ବଲାଙ୍ଗୀର ଜିଲ୍ଲାରେ । ଉଚ୍ଚ ଶିକ୍ଷା ପରେ ବି ସାଜିଛନ୍ତି ଦିନ ମଜୁରିଆ ।

ଗାଁରେ ମନେରଗା କାମ କରୁଛନ୍ତି ସିଭିଲ ଇଞ୍ଜିନିୟରିଂ ପାଠ ପଢିଥିବା ଯୁବକ । ହାତରେ କୋଦାଳ ଧରି ମାଟି ହାଣୁଛନ୍ତି ଯୁବ ଇଞ୍ଜିନିୟର । ଏଭଳି ଦଶ୍ୟ ଦେଖିବାକୁ ମିଳିଛି ବଲାଙ୍ଗୀର ଦେଓଗାଁ ବ୍ଲକ ଜୁର୍ଲାକାନିରେ । ମହାତ୍ମା ଗାନ୍ଧି ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ କାମ କରୁଛନ୍ତି ଗାଁର ଅନନ୍ତ ବରିଆ । ରାଜ୍ୟ ବାହାରେ ଏକ କମ୍ପାନୀରେ ସାଇଟ ଇଞ୍ଜିନିୟର ଭାବେ କାମ କରୁଥିଲେ ଅନନ୍ତ । ହେଲେ କରୋନା ବଦଳାଇ ଦେଲା ଅନନ୍ତଙ୍କ ଜୀବନ ଜୀବିକା । ଗରିବ ପରିବାରରେ ଜନ୍ମ ହୋଇଥିବାରୁ ଧାର ଉଧାର କରି ବହୁ କଷ୍ଟରେ ଅନନ୍ତକୁ ପାଠ ପଢାଇ ଥିଲେ ବାପା-ମା’ । ହେଲେ ନିଜ ଭିଟା ମାଟିରେ କିଛି ଭଲ କାମ ନମିଳିବାରୁ ବେକାର ବସିବା ଅପେକ୍ଷା କିଛି କାମ କରି ଦୁଇ ପଇସା ରୋଜଗାର କରିବା ଭଲ ବୋଲି କହିଛନ୍ତି ଅନନ୍ତ । ସେପଟେ ଅନନ୍ତଙ୍କ ଏପରି ମାଟି କାମ ଦେଖି ବେଶ୍ ଚିନ୍ତାରେ ଅନନ୍ତଙ୍କ ବାପା-ମା’ ।

ବଲାଙ୍ଗୀର ଦେଓଗାଁ ବ୍ଲକ୍ ଜୁର୍ଲାକାନି ଗାଁର ବୈଷ୍ଣବ ବେରିଆଙ୍କ ୨ ଝିଅ ଓ ଦୁଇ ପୁଅ ଭିତର ଅନନ୍ତ ହେଉଛି ବଡ଼ପୁଅ । ଦୁଇ ଭଉଣୀଙ୍କ ବିବାହ ସରିଥିବା ବେଳେ ସାନ ପୁଅ ବି ଦିନ ମଜୁରିଆ ଭାବରେ କାମ କରନ୍ତି । ସେପଟେ ଦିନ ମଜୁରିଆ କାମ କରି ବହୁ ଦୁଃଖ କଷ୍ଟରେ ଅନନ୍ତଙ୍କୁ ପାଠ ପଢାଇଥିଲେ ପରିବାର ।

୨୦୧୮ରେ ବି-ଟେକ୍ ସରିବା ପରେ କ୍ୟାମ୍ପସ ସିଲେକସନରେ ଅନନ୍ତ ଚେନ୍ନାଇର ଏକ ପ୍ରାଇଭେଟ୍ କମ୍ପାନୀରେ ସାଇଟ୍ ଇଞ୍ଜିନିୟର ଭାବରେ କାମ କରୁଥିଲେ । କିଛି ଦିନ ତଳେ ନିଜ ଗାଁରେ ମନରେଗା ମାଟି କାମ କରୁଥିବା ବେଳେ ଜିଲ୍ଲାପାଳଙ୍କ ନଜରକୁ ଆସିଥିଲେ ଅନନ୍ତ । ପରେ ଜିଲ୍ଲାପାଳ ଅଫିସକୁ ଆସି ତାଙ୍କ ସହ ଦେଖା ହେବାକୁ କହିଥିଲେ ଜିଲ୍ଲାପାଳ ଚଞ୍ଚଳ ରାନା । ଏପରିକି ଡିଆରଡିଏରେ ଅନନ୍ତଙ୍କୁ ଡିଇଓ ଚାକିରି ପାଇଁ ଅଫର ମଧ୍ୟ ଦେଇଛନ୍ତି । ପରେ ଅନନ୍ତଙ୍କୁ ତାଙ୍କ ଯୋଗ୍ୟତା ଅନୁଯାଇ ଏକ ଚାକିରୀରେ ଦେବାକୁ ଜିଲ୍ଲାପାଳ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.