ଜୋର୍‌ ଧରିଲାଣି ଉପନିର୍ବାଚନ ତାତି, ମଇଦାନକୁ ଓହ୍ଲାଇବେ ସିନେଷ୍ଟାର ଅରିନ୍ଦମ

Published By : Prameya-News7 Bureau | September 19, 2020 IST

ବାଲେଶ୍ବର୧୯/୯:  ଜୋର୍‌ ଧରିଲାଣି ଉପନିର୍ବାଚନ ତାତି । ବାଲେଶ୍ବର ଓ ତିର୍ତ୍ତୋଲ ବିଧାନସଭା ନିର୍ବାଚନ ଲାଗି ମାହୋଲ ଗରମ୍‌ ଥିବା ବେଳେ ନେତାଙ୍କ ଦଳଡିଆଁ ପର୍ବ ବି ତେଜ୍‌ ହେଲାଣି । ସେପଟେ ବାଲେଶ୍ବର ପାଇଁ ସିନେଷ୍ଟାର ଅରିନ୍ଦମଙ୍କୁ ବିଜେଡି ପ୍ରାର୍ଥୀ କରିବ ବୋଲି ଚର୍ଚ୍ଚା ଜୋର୍ ଧରିଥିବା ବେଳେ ଦିବଙ୍ଗତ ବିଧାୟକ ମଦନ ମୋହନ ଦତ୍ତଙ୍କ ପୁଅ ମାନସ ଦତ୍ତଙ୍କୁ ପ୍ରାର୍ଥୀ କରିବାକୁ ଯୋଜନା କରିଛି ବିଜେପି। ସେହିଭଳି କଂଗ୍ରେସରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ ପ୍ରାର୍ଥୀ ହେବେ ବୋଲି ଯେଉଁ ଚର୍ଚ୍ଚା ହେଉଥିବା ସେଥିରେ ପୂର୍ଣ୍ଣଛେଦ ଟାଣିଛନ୍ତି ଖୋଦ୍‌‌ ଦଳୀୟ ପର୍ଯ୍ୟବେକ୍ଷକ ତାରା ପ୍ରସାଦ ବାହିନୀପତି ।

ବାଲେଶ୍ବର ଉପ ନିର୍ବାଚନ ମଇଦାନକୁ ଓହ୍ଲାଇବେ ସିନେଷ୍ଟାର ଅରିନ୍ଦମ। ଅଭିନେତା ଅରିନ୍ଦମ ରାୟଙ୍କୁ ପ୍ରାର୍ଥୀ କରିପାରେ ବିଜେଡି । ଏବେ ଏଭଳି କିଛି ଚର୍ଚ୍ଚା ଜୋର୍‌ ଧରିଥିବା ବେଳେ ଗଲା ନିର୍ବାଚନରେ ବିଜେପି ହାତକୁ ଚାଲିଯାଇଥିବା ବାଲେଶ୍ବର ସଦର ଆସନକୁ ଛଡ଼ାଇ ନେବାକୁ ରଣନୀତି ପ୍ରସ୍ତୁତ କରୁଛି ବିଜେଡି । ସେଠି ଦଳ ୨ ଜଣ ପ୍ରାର୍ଥୀଙ୍କ ନାଁକୁ ନେଇ  ବିଚାର କରୁଛି  ଦଳ ।

ସେପଟେ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନରେ ଆରମ୍ଭ ହେଲାଣି ଦଳ ଡିଆଁ  । କଂଗ୍ରେସ ଟିକେଟ ଦୌଡରେ ନିରାଶ ହୋଇଥିବା ରାଜକିଶୋର ବେହେରା ହାତ ଛାଡି  ପଦ୍ଣ ଧରିଲେଣି । ରାଜକିଶୋରଙ୍କୁ ବିଜେପି ତିର୍ତ୍ତୋଲରେ ପ୍ରାର୍ଥୀ କରିବାକୁ  ଏକ ପ୍ରକାର ଚୁଡାନ୍ତ କରି ସାରିଛି । ସେପଟେ ବିଜେପିରୁ ଟିକେଟ ଆଶାୟୀ ଥିବା ବିଜେପିର ପୂର୍ବତନ ପ୍ରାର୍ଥୀ  ରମାକାନ୍ତ ଭୋଇ ଦଳ ଛାଡିବା ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ତିର୍ତ୍ତୋଲରେ ୩ ପ୍ରମ୍ମୁଖ ଦଳ ଏବେ ନେତାଙ୍କ  ଦଳବଦଳ  ନେଇ ଅଙ୍କ କଷୁଛନ୍ତି । ହେଲେ ଦଳ ବଦଳ କଂଗ୍ରେସ ଉପରେ ପ୍ରଭାବ ପକାଇବନି ବୋଲି କହିଥିବାବେଳେ ବିଜେପି ଦଳର ବଳ ବଢିବ ବୋଲି କହିଛି । ଆଉ ବିଜେଡି କହିଛି ଦଳରେ ଅନେକ ଯୋଗ୍ୟ ପ୍ରାର୍ଥୀ ଅଛନ୍ତି ମୁଖ୍ୟମନ୍ତ୍ରୀ ଠିକ ସମୟରେ ନିଷ୍ପତ୍ତି ନେବେ ।

ବାଲେଶ୍ବର ସଦର ବିଧାନସଭା ଆସନ ବିଜେପି ଦଖଲରେ ଥିଲା ଆଉ ତିର୍ତ୍ତୋଲ ଥିଲା ବିଜେଡି ହାତରେ ।  କଂଗ୍ରେସ ୨ଟି ଯାକ ସିଟରେ ୩ ନମ୍ବରେ ଥିଲା ।  ଏବେ ଦୁଇ ବିଧାୟକଙ୍କ ଦେହାନ୍ତ ପରେ ଖାଲିପଡିଥିବା ସିଟରେ  ନଭେମ୍ବର ୨୯ ସୁଦ୍ଧା ଉପନିର୍ବାଚନ ସାରିବାକୁ ଘୋଷଣା କରିଛନ୍ତି ନିର୍ବାଚନ କମିଶନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.