ବ୍ୟାଙ୍କ ମାନଙ୍କୁ NPAଚାପ ମୁକ୍ତ କରିବାକୁ ହେଲେ ଦେଶକୁ ଦରକାର Bad ବ୍ୟାଙ୍କ : CII

Published By : Prameya-News7 Bureau | December 20, 2020 IST

ନୂଆଦିଲ୍ଲୀ ୨୦।୧୨: ସରକାରୀ ବ୍ୟାଙ୍କମାନଙ୍କ ବାଲାନ୍ସ ସିଟ୍‌ରେ ଅଟକି ରହିଥିବା ଋଣ ଜନିତ ସମସ୍ୟା ନିରାକରଣ ଲାଗି କନଫେଡେରେସନ ଅଫ ଇଣ୍ଡିଆନ ଇଣ୍ଡଷ୍ଟ୍ରିଜ (ସିଆଇଆଇ) ସରକାରଙ୍କୁ ବ୍ୟାଡ ବ୍ୟାଙ୍କ ପରାମର୍ଶ ଦେଇଛନ୍ତି। ଏପରି ଋଣ ନିମନ୍ତେ ଦେଶକୁ ଗୋଟିଏ କି ଦୁଇଟି ନୁହେଁ ଅନେକ ବ୍ୟାଡ ବ୍ୟାଙ୍କର ଆବଶ୍ୟକତା ଥିବା କହିଛନ୍ତି ସିଆଇଆଇ।

ଜାଣନ୍ତୁ ବ୍ୟାଡ ବ୍ୟାଙ୍କ କଣ
ବ୍ୟାଡ ବ୍ୟାଙ୍କ ଏପରି ଆର୍ଥିକ ସଂସ୍ଥା ଯେଉଁମାନେ ଅନ୍ୟ ଆର୍ଥିକ ସଂସ୍ଥା ଓ ବ୍ୟାଙ୍କମାନଙ୍କର ଫଶି ରହିଥିବା ଋଣ କ୍ରୟ କରି ତାର ପରିଚାଳନା କରନ୍ତି। ସିଆଇଆଇ ଅର୍ଥମନ୍ତ୍ରାଳୟଙ୍କୁ ଦେଇଥିବା ବଜେଟ ପୂର୍ବ ପ୍ରସ୍ତାବରେ ଏପରି ବ୍ୟାଙ୍କମାନଙ୍କ ସମ୍ପର୍କରେ ସୂଚିତ କରିଛନ୍ତି। ଯେଉଁଥିରେ ଦେଶକୁ ଏବେ ଅନେକ ବ୍ୟାଡ ବ୍ୟାଙ୍କର ଆବଶ୍ୟକତା ଥିବା ନେଇ ଏକ ସ୍ମାରକ ମଧ୍ୟ ଦେଇଛନ୍ତି।

କରୋନା ଲକଡାଉନ ପରେ ବଢିଛି ସମସ୍ୟା
ଦେଶରେ କରୋନା ଲକଡାଉନ୍‌ ଲାଗୁ ପରେ ବ୍ୟାଙ୍କମାନଙ୍କର ଏନପିଏ ସମସ୍ୟା ବଢିବାରେ ଲାଗିଥିଲା। ଏଣୁ ସରକାର ଏପରି ଆଇନ ପ୍ରଣୟନ କରନ୍ତୁ ଯେଉଁଥିରେ ବିଦେଶୀ ପୋର୍ଟଫୋଲିଓ ନିବେଶକ (ଏଫପିଆଇ) ଓ ବିକଳ୍ପ ନିବେଶ କୋଷ (ଏଆଇଏଫ) ବ୍ୟାଙ୍କମାନଙ୍କ ଏନପିଏ ଖାତା କିଣିପାରିବେ ବୋଲି ସିଆଇଆଇ ସୁପାରିଶ କରିଛନ୍ତି। ସିଆଇଆଇ ସଭାପତି ଉଦୟ କୋଟାକ୍ କୋଭିଡ ପରବର୍ତ୍ତି ପରିସ୍ଥିତିରେ ସମସ୍ୟାରେ ଫଶିଥିବା ଋଣ  ନିସ୍ତାରଣ ଲାଗି ବଜାରରେ ଧାର୍ଯ୍ୟ ଦରରେ ଆଧାରିତ ସମାଧାନ ତନ୍ତ୍ର ଖୋଜିବା ଏବେ ଜରୁରି ବୋଲି କହିଛନ୍ତି।

ଏଥିଲାଗି ପୂର୍ବରୁ ହୋଇଥିଲା ସୁପାରିଶ
ତେବେ ସରକାରଙ୍କୁ ବ୍ୟାଡ ବ୍ୟାଙ୍କ ପ୍ରସ୍ତାବ କିଛି ନୂଆ କଥା ନୁହେଁ। ଏଥିଲାଗି ୨୦୧୭ ମସିହାରେ ମଧ୍ୟ ପ୍ରସ୍ତାବ ଦିଆଯାଇଥିଲା। ଏନପିଏ ବଢିଲେ ବ୍ୟାଙ୍କମାନଙ୍କ ଆର୍ଥିକ କ୍ଷମତା ହ୍ରାସ ହୁଏ। ଯାହାର ପ୍ରଭାବ ବଜାରରେ ଅନୁଭୁତ ହୁଏ। ଦେଶରେ ମହାମାରୀ ଯୋଗୁ ବ୍ୟାଙ୍କମାନଙ୍କର ଏନପିଏ ସମସ୍ୟା ଆହୁରି ବଢିପାରେ ବୋଲି କୁହାଯାଇଛି। ଦେଶର ବ୍ୟାଙ୍କିଙ୍ଗ କ୍ଷେତ୍ର ମହାମାରୀ ପୂର୍ବରୁ ହିଁ ବୁଡି ସାରିଛି। ଏଣୁ ସେମାନେ ଏଥିରୁ ମୁକୁଳିବା ଲାଗି ଉଦ୍ୟମ ଚଳାଇଥିବା ବେଳେ ଏବେ ବ୍ୟାଙ୍କମାନେ ମହାମାରୀ ଜନିତ ମାଡରୁ ବାହାରିବାକୁ ବେଶ୍ ସମୟ ଲାଗିବ ବୋଲି କୁହାଯାଉଛି। ଏଣୁ ବ୍ୟାଡ ବ୍ୟାଙ୍କ ହିଁ ବ୍ୟାଙ୍କ ଓ ସରକାରଙ୍କୁ ବିପର୍ଯ୍ୟୟରୁ ରକ୍ଷା କରିପାରିବ ବୋଲି ସିଆଇଆଇ ସ୍ମାରକରେ ଉଲ୍ଲେଖ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.