ଚର୍ଚ୍ଚର ପାଦ୍ରି ଯୁବତୀଙ୍କୁ ଦୁର୍ବ୍ୟବହାର କରିବା ସହ ମାଡମିଟ୍ କରିଥିବା ଅଭିଯୋଗ

Published By : Prameya-News7 Bureau | September 29, 2018 IST

ନୂଆଦିଲ୍ଲୀ ୨୯|୯: ଦିଲ୍ଲୀ କରୋଲବାଗ୍ ସ୍ଥିତ ଏକ ଚର୍ଚ୍ଚର ପାଦ୍ରିଙ୍କ ବିରୋଧରେ ଅଭିଯୋଗ ହୋଇଛି । ସେ ଜଣେ ଯୁବତୀଙ୍କୁ ଦୁର୍ବ୍ୟବହାର କରିବା ସହ ମାଡମିଟ୍ର କରିବାର ଅଭିଯୋଗ ହୋଇଛି । ପାଦ୍ରିଙ୍କ ଭାଇ ସେହି ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ୫ବର୍ଷ ଯାଏଁ ଦୁଷ୍କର୍ମ କରିଥିଲେ । ମାତ୍ର ଏହାର ବିରୋଧ କରିବାରୁ ପାଦ୍ରି ତାଙ୍କୁ ଖରାପ ବ୍ୟବହାର ପ୍ରଦର୍ଶନ କରିବା ସହ ମାରପିଟ୍ କରିଥିଲେ । ସେହି ସମୟରେ ପାଦ୍ରିଙ୍କ ସ୍ତ୍ରୀ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଥିଲେ । ଯୁବତୀଙ୍କ ଅଭିଯୋଗ ଅନୁସାରେ ଗୁରଗାଓଁ ସେକ୍ଟର-୫୧ ମହିଳା ଥାନା ପୁଲିସ ପାଦ୍ରି, ତାଙ୍କ ଭାଇ ଏବଂ ତାଙ୍କ ସ୍ତ୍ରୀଙ୍କ ବିରୋଧରେ ଏତଲା ଦାୟର କରିଛି । ସୂଚନା ଅନୁସାରେ, ଅଭିଯୋଗ କରିଥିବା ୨୭ବର୍ଷୀୟ ଯୁବତୀଙ୍କ ଘର ପଶ୍ଚିମବଙ୍ଗରେ । ସେ ଦୀନେଶ ଦାସ ନାମକ ଜଣେ ପାଦ୍ରିଙ୍କ ଘରେ କାମକରୁଥିଲା । ଦୀନେଶଙ୍କ ଘରେ ତାଙ୍କ ମାଆ, ସ୍ତ୍ରୀ, ଭାଇ ଏବଂ ଛୁଆମାନେ ରହୁଥିଲେ । ଗୋଟିଏ ଦିନ ଘରେ କେହି ନଥିବାରୁ ସୁଯୋଗ ନେଇ ଦୀନେଶଙ୍କ ଭାଇ ତାଙ୍କୁ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲେ । ଯୁବତୀ ଜଣଙ୍କ ବିରୋଧ କରିବାକୁ ସେ ତାଙ୍କୁ ବିବାହ କରିବେ ବୋଲି କହିଥିଲେ । କିଛି ବର୍ଷ ଏମିତି ଚାଲିଲା । ଦିନେ ଦୀନେଶଙ୍କ ଭାଇର ବିବାହ ଠିକ୍ ହେବାରୁ ଯୁବତୀ ଜଣଙ୍କ ଦୀନେଶଙ୍କୁ ସବୁ କଥା କହିଥିଲେ । ଏହାଶୁଣି ଦୀନେଶ ତାଙ୍କୁ ମାଡ ମାରିବା ସହ ଗାଳିଗୁଲଜ କରିଥିଲେ । ଏହାପରେ ଯୁବତୀ ଜଣଙ୍କ ତାଙ୍କ ଘରେ କାମ କରିବା ଛାଡିଦେଇ ଅନ୍ୟତ୍ର ରହିବାକୁ ଲାଗିଲେ । ମାତ୍ର ଦୀନେଶଙ୍କ ଭାଇ ସେଠାରେ ମଧ୍ୟ ପହଞ୍ଚି ବିବାହର ପ୍ରଲୋଭନ ଦେଖାଇ ତାଙ୍କ ସହ ଦୁଷ୍କର୍ମ କରିଲେ । କିଛିଦିନ ପରେ ଆଉ ସେ ଆସିନଥିଲେ । ତାଙ୍କ ସହ ଯୁବତୀଙ୍କର ଯୋଗାଯୋଗ ହୋଇପାରିଲାନାହିଁ । ସେ ଦୀନେଶଙ୍କ ଘରକୁ ଯାଇଥିଲେ ମାତ୍ର ସେଠାରୁ ତାଙ୍କୁ ଧକ୍କାମାରି ବାହାର କରିଦେଇଥିଲେ । ପୀଡିତାଙ୍କ କହିବା ଅନୁସାରେ ଦୀନେଶଙ୍କ ଭାଇଙ୍କ ପାଖରେ ତାଙ୍କର କେତେକ ଆପତ୍ତିଜନକ ଭିଡିଓ ମଧ୍ୟ ଥିଲା । ମହିଳା ଥାନାରେ ଅଭିଯୋଗ ପରେ ମାଜିଷ୍ଟ୍ରେଟଙ୍କ ନିକଟରେ ପୀଡିତାଙ୍କ ବୟାନ ରେକର୍ଡ କରାଯାଇଥିବା ଥାନା ଅଧିକାରୀ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.