ପୂଜାରା @୩୩ : କିସ୍ତୀରେ ପୁଅର ବ୍ୟାଟ୍ କିଣିଥିଲେ ମାଆ, ନିଜ ହାତରେ ସିଲାଇଥିଲେ ବ୍ୟାଟିଂ ପ୍ୟାଡସ୍

Published By : Prameya-News7 Bureau | January 25, 2021 IST

ନୂଆଦିଲ୍ଲୀ,୨୫।୦୧:   ଭାରତୀୟ ଦଳର ଟେଷ୍ଟ କ୍ରିକେଟର ତଥା ବ୍ୟାଟସମ୍ୟାନ୍ ଚେତେଶ୍ୱର ପୂଜାରାଙ୍କର ସୋମବାର ହେଉଛି ୩୩ ତମ ଜନ୍ମଦିନ । ସେ ୧୯୮୮ ଜାନୁଆରୀ ୨୫ ତାରିଖରେ ରାଜକୋଟରେ ଜନ୍ମଲାଭ କରିଥିଲେ । ଆଜି ତାଙ୍କୁ ଭାରତୀୟ ଟେଷ୍ଟ ଦଳର ମୂଳଦୁଆ ବୋଲି କୁହାଯାଉଛି । ସେ ୮୧ଟି ଟେଷ୍ଟ ଖେଳି ୬୧୧୧ ରନ୍ କରିଛନ୍ତି । ତାଙ୍କର ଆଭରେଜ ହେଉଛି ୪୭.୭୪ । ସେ ୧୮ଟି ଶତକ ଲଗାଇବା ସହ ୨୮ଟି ଅର୍ଦ୍ଧଶତକ ଲଗାଇଛନ୍ତି ।

ନିକଟରେ ଅଷ୍ଟ୍ରେଲିଆ ବିପକ୍ଷରେ ମିଳିଥିବା ଐତିହାସିକ ବିଜୟରେ ପୂଜାରାଙ୍କ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଥିଲା । ସେ ଶତକ ଲଗାଇନଥିଲେ ବି ୯୨୮ଟି ବଲର ସାମ୍ନା କରିଥିଲେ । ସେ ତିନୋଟି ଅର୍ଦ୍ଧଶତକ ସହ ୨୭୧ ରନ୍ କରିଥିଲେ । ତେବେ ତାଙ୍କ ପିଲାଦିନ ବହୁତ କଷ୍ଟକର ଥିଲା । ତାଙ୍କ ସଫଳତା ପଛରେ ତାଙ୍କ ମାଆଙ୍କର ବଡ ହାତ ରହିଛି । ମାଆ ରୀନା ପୂଜାରାଙ୍କ ପାଇଁ କଣ କରିଥିଲେ ତାହା ଆମେ ଆପଣଙ୍କୁ କହିବୁ ।

ପୂଜାରା ସାନ ଥିବା ବେଳେ ମାଆ ରୀନା ପୁଅ ଦେଶ ପାଇଁ କ୍ରିକେଟ ଖେଳିବ ବୋଲି ସ୍ୱପ୍ନ ଦେଖିଥିଲେ । ପିତା ଅରବିନ୍ଦ ପୂଜାରା ମଧ୍ୟ ଚେତେଶ୍ୱରଙ୍କର ପ୍ରତିଭାକୁ ଚିହ୍ନିପାରିଥିଲେ । ପୂଜାରାଙ୍କୁ ପ୍ରଥମ ବଲ୍ ଓ ବ୍ୟାଟ୍ ତାଙ୍କ ମାଆ ଉପହାର ଭାବେ ପ୍ରଦାନ କରିଥିଲେ । ସେହି ସମୟରେ ସେ ୧୫୦୦ ଟଙ୍କାର ବ୍ୟାଟ୍ କିଣି ପୁଅକୁ ଦେଇଥିଲେ ଓ କିସ୍ତୀରେ ଟଙ୍କା ସୁଝିଥିଲେ । ଏପରିକି ସେ ପୁଅ ପାଇଁ ନିଜ ହାତରେ ବ୍ୟାଟିଂ ପ୍ୟାଡ୍ ସିଲାଇ କରିଥିଲେ ।

ପୂଜାରା ନିଜ ଦମରେ ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିଥିଲେ । କିନ୍ତୁ ଭାରତୀୟ ଦଳରେ ସେ ସ୍ଥାନ ପାଇବା ପୂର୍ବରୁ ମାଆ କ୍ୟାନସରରେ ପ୍ରାଣ ହରାଇଥିଲେ । ସେ ନିଜ ମାଆଙ୍କୁ ହରାଇଥିଲେ ବି ତାଙ୍କ ସ୍ୱପ୍ନ ପୂରଣ କରିଥିଲେ । ସେ ୨୦୧୦ ଅକ୍ଚୋବର ୯ରେ ଅଷ୍ଟ୍ରେଲିଆ ବିପକ୍ଷରେ ପଦାର୍ପଣ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.