Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କ୍ରିସ ଗେଲଙ୍କ ବଡ ରେକର୍ଡ, ଟି୨୦ କ୍ରିକେଟରେ ଲଗାଇଲେ ୧୦୦୦ ଛକା

30/10/2020 at 9:47 PM

ଦୁବାଇ, ୩୦।୧୦:   କିଙ୍ଗସ୍ ଏକାଦଶ ପଞ୍ଜାବ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଚାଲିଥିବା ଆଇପିଏଲ ୨୦୨୦ର ୫୦ ତମ ମ୍ୟାଚ୍ କ୍ରିସ୍ ଗେଲଙ୍କ ପାଇଁ ବହୁତ ଖାସ ଅଟେ । ଏହି ମୁକାବିଲାରେ ଗେଲ୍ ଟି୨୦ କ୍ରିକେଟରେ ୧୦୦ଟି ଛକା ପୂରଣ କରିଛନ୍ତି । ଗେଲ୍ ଏହି କାରନାମା ୧୮.୫ ଓଭରରେ କାର୍ତ୍ତିକ ତ୍ୟାଗୀଙ୍କ ବଲରେ ସଟ୍ ଖେଳି ହାସଲ କରିଥିଲେ । ତେବେ ଶତକ ଲଗାଇବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଗେଲ୍ ।

ଏହି ମ୍ୟାଚରେ  ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବକୁ ପ୍ରଥମ ଓଭରରେ ହିଁ ଝଟକା ଲାଗିଥିଲା। ମନଦୀପ ସିଂହ ଖାତା ଖୋଲିବା ପୂର୍ବରୁ ଜୋଫ୍ରା ଆର୍ଚରଙ୍କ ଶିକାର ହୋଇଥିଲେ। ଏହା ପରେ ଅଧିନାୟକ କେଏଲ ରାହୁଲ ଓ କ୍ରିସ ଗେଲ୍ ଦଳର ବ୍ୟାଟିଂ ଭାର ସମ୍ଭାଳିଥିଲେ। ଦୁଇ ବ୍ୟାଟସମ୍ୟାନ ଦ୍ରୁତ ଗତିରେ ବ୍ୟାଟିଂ କରିଥିଲେ। ବିଶେଷ କରି କ୍ରିସ୍ ଗେଲ୍ ନିଜର ଚିରାଚରିତ ଢଙ୍ଗରେ ବ୍ୟାଟିଂ କରିଥିଲେ। ଦୁଇ ବ୍ୟାଟସମ୍ୟାନ ଶତକୀୟ ଭାଗିଦାରୀ ଯୋଡି ଦଳର ସ୍ଥିତି ମଜବୁତ କରିବା ସହ ବିଶାଳ ସ୍କୋରର ମୂଳଦୁଆ ପକାଇଥିଲେ। ୧୨୧ ରନ ସ୍କୋରରେ କେଏଲ ରାହୁଲ ୪୬ ରନ କରି ପାଭିଲିୟନ ଫେରିଥିଲେ।

ଅନ୍ୟପଟେ କ୍ରିସ୍ ଗେଲ ଆଇପିଏଲରେ ୩୦ତମ ଅର୍ଦ୍ଧଶତକ ହାସଲ କରିଥିଲେ। କ୍ରିସ୍ ଗେଲ ଓ ନିକୋଲାସ ପୂରନ ବିସ୍ଫୋରକ ବ୍ୟାଟିଂ କରି ଦ୍ଵିତୀୟ ଓ୍ଵିକେଟ୍‌ରେ ୪୧ ରନ ଯୋଡିଥିଲେ। ୧୬୨ ରନ ସ୍କୋରରେ ପୂରନ ପାଭିଲିୟନ ଫେରିଥିଲେ। ସେ ମାତ୍ର ୧୦ ବଲରୁ ୩ ଛକା ସହ ୨୨ ରନ କରିଥିଲେ। ହେଲେ ଚମତ୍କାର ବ୍ୟାଟିଂ କରିଥିବା କ୍ରିସ୍‌ ଗେଲ୍‌ ୧ ରନ ପାଇଁ ଶତକରୁ ବଞ୍ଚିତ ହୋଇଥିଲେ। କ୍ରିସ୍ ଗେଲ୍‌ଙ୍କୁ ବୋଲ୍ଡ କରି ଜୋଫ୍ରା ଆର୍ଚର ଦଳକୁ  ଚତୁର୍ଥ ସଫଳତା ଦେଇଥିଲେ। ଗେଲ୍ ୬୩ ବଲରୁ ୬ ଚୌକା ଓ ୮ ଛକା ସହ ୯୯ ରନ କରିଥିଲେ। ପଞ୍ଜାବ ନିର୍ଦ୍ଧାରିତ ଓଭରରେ ୪ ଓ୍ଵିକେଟ୍ ହରାଇ ୧୮୫ ରନ କରିଛି। ରାଜସ୍ଥାନ ପକ୍ଷରୁ ଜୋଫ୍ରା ଆର୍ଚର ଓ ବେନ ଷ୍ଟୋକ୍ସ ପ୍ରତ୍ୟେକ ୨ଟି ଲେଖାଏଁ ଓ୍ଵିକେଟ୍ ନେଇଥିଲେ।

   Related Posts