ଟି୨୦ କ୍ରିକେଟରେ କ୍ରିସ୍ ଗେଲ୍‌ଙ୍କ ବିରଳ ରେକର୍ଡ, କେବଳ ଛକା ଓ ଚଉକାରେ ପୂରଣ କଲେ ୧୦ ହଜାର ରନ୍

Published By : Prameya-News7 Bureau | October 16, 2020 IST

ଦୁବାଇ, ୧୬|୧୦:  ବିସ୍ଫୋରକ ବ୍ୟାଟସମ୍ୟାନ୍ କ୍ରିସ୍ ଗେଲ୍ ଗୁରୁବାର ଏକ ବିରଳ ରେକର୍ଡ ସ୍ଥାପନ କରିଛନ୍ତି । ଏହି ବ୍ୟାଟସମ୍ୟାନ୍ ଜଣଙ୍କ ଟି୨୦ କ୍ରିକେଟରେ କେବଳ ଛକା ଓ ଚଉକା ବଳରେ ୧୦ ହଜାର ରନ୍ ପୂରଣ କରିଛନ୍ତି । କ୍ରିସ ଗେଲ ଏପରି କାରନାମା ହାସଲ କରିଥିବା ବିଶ୍ୱର ପ୍ରଥମ ଖେଳାଳି ଅଟନ୍ତି । ସେ ମୋଟ ୧୦୨୭ଟି ଚଉକା ଓ ୩୮୨ଟି ଛକା ଲଗାଇଛନ୍ତି । ଏହାସହ ସେ ଆଇପିଏଲରେ ଆଉ ଏକ ରେକର୍ଡ ମଧ୍ୟ ହାସଲ କରିଛନ୍ତି । ସେ ମୋଟ୍ ୨୭ଟି ଇନିଂସରେ ୫ବା ଅଧିକ ଛକା ଲଗାଇଛନ୍ତି । ଏପରି କୀର୍ତ୍ତି ହାସଲ କରିଥିବା ସେ ପ୍ରଥମ ଖେଳାଳି ଅଟନ୍ତି ।

ଗୁରୁବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ଧୂଆଧାର ପାଳି ଖେଳିଥିଲେ । ସେ ୩୬ ବଲରୁ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ । ସେ ମୋଟ ୪୫ଟି ବଲ ଖେଳି ୫ ଛକା ଓ ଗୋଟିଏ ଚଉକା ସାହାଯ୍ୟରେ ୫୩ ରନ୍ କରିଥିଲେ । ନିଜ ଅର୍ଦ୍ଧଶତକୀୟ ଇନିଂସ ବଳରେ ଗେଲ୍ ଆଇପିଏଲରେ ନିଜର ୪୫୦୦ ରନ୍ ପୂରଣ କରିଛନ୍ତି ।

ଏହି ମ୍ୟାଚରେ ପଞ୍ଜାବକୁ ବିଜୟ ପାଇଁ ଶେଷ ବଲରେ ଗୋଟିଏ ରନ୍ ଦରକାର ଥିଲା । ଗେଲ୍ ନିକୋଲାସ ପୂରନଙ୍କ ଶେଷ ବଲରେ ଛକା ମାରି ଦଳକୁ ବିଜୟୀ କରିଥିଲେ ।

ଆଇପିଏଲରେ ୪୫୦୦ ରନ୍ କରିଥିବା ଗେଲ୍ ହେଉଛନ୍ତି ଅଷ୍ଟମ ଖେଳାଳି ।  ଏହାପୂର୍ବରୁ ବିରାଟ କୋହଲି, ସୁରେଶ ରାଇନା, ଡେବିଡ ଓ୍ୱାର୍ଣ୍ଣର, ରୋହିତ ଶର୍ମା, ଶିଖର ଧାଓ୍ୱନ, ଏବି ଡିଭିଲର୍ସ ଓ ମହେନ୍ଦ୍ର ସିଂ ଧୋନୀ ୮ହଜାର ରନ୍ କ୍ଲବରେ ସାମିଲ ହୋଇଥିଲେ ।

ଗେଲ୍ ଆଇପିଏଲରେ ଏବେସୁଦ୍ଧା ୧୨୬ଟି ମ୍ୟାଚ୍ ଖେଳିଥିବା ବେଳେ ୩୩୧ଟି ଛକା ଲଗାଇଛନ୍ତି । ଆଇପିଏଲରେ ସର୍ବାଧିକ ଛକା ମାରିବାର ରେକର୍ଡ ମଧ୍ୟ ଗେଲଙ୍କ ନାମରେ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.