କେବେ ଟିମ୍‌କୁ ଫେରିବେ ଗେଲ୍ ? ମଜାଳିଆ ଉତ୍ତର ଦେଲେ ପଞ୍ଜାବ ଅଧିନାୟକ ରାହୁଲ

Published By : Prameya-News7 Bureau | September 25, 2020 IST

ଦୁବାଇ, ୨୫।୦୯:  ଚଳିତ ଆଇପିଏଲରେ କିଙ୍ଗସ୍ ଏକାଦଶ ପଞ୍ଜାବ ସମସ୍ତଙ୍କୁ ଚକିତ କରିଛି । ପ୍ରଥମ ମ୍ୟାଚ୍‌ରେ ଦଳ ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ପରାସ୍ତ ହୋଇଥିଲେ ସୁଦ୍ଧା ଦ୍ୱିତୀୟ ମ୍ୟାଚରେ ଆରସିବିକୁ ବଡ ବ୍ୟବଧାନରେ ପରାସ୍ତ କରିଛି । ତେବେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ରେ ପଞ୍ଜାବର ଷ୍ଟାର୍ ବ୍ୟାଟସମ୍ୟାନ୍ ମୟଙ୍କ ଅଗ୍ରଓ୍ୱାଲ ୮୯ ରନ୍‌ର ଆକର୍ଷଣୀୟ ଇନିଂସ ଖେଳିଥିଲେ । କିନ୍ତୁ ଏହି ମ୍ୟାଚରେ ଦଳ ଜିତିପାରି ନଥିଲା ।

ଆରସିବି ବିପକ୍ଷ ମୁକାବିଲାରେ କେଏଲ ରାହୁଲ ମାତ୍ର ୬୯ ବଲ୍‌ରୁ ବିସ୍ଫୋରକ ୧୩୨ ରନ୍ କରିଥିଲେ । ରାହୁଲ ଓ ମୟଙ୍କ ଉଭୟ ଭଲ ଫର୍ମରେ ଅଛନ୍ତି । ଫଳରେ କ୍ରିସ୍ ଗେଲଙ୍କୁ ନେଇ ସନ୍ଦେହ ଦେଖାଦେଇଛି । ଗେଲ୍ ଏବେ ପଞ୍ଜାବ ସହ ରହିଛନ୍ତି । ସେ କେବେ ଦଳରେ ସାମିଲ ହେବେ ଫ୍ୟାନ୍ ମାନେ ଅପେକ୍ଷା କରି ରହିଛନ୍ତି । ପଞ୍ଜାବର ଅଧିନାୟକ ରାହୁଲଙ୍କୁ ଏବାବଦରେ ପ୍ରଶ୍ନ କରାଯାଇଥିଲା ।

ଏହାର ଉତ୍ତରରେ ରାହୁଲ କହିଥିଲେ ଯେ, ଏଥିରେ ବ୍ୟସ୍ତ ହେବାର ନାହିଁ । ଗେଲ୍ ସଠିକ୍ ସମୟରେ ପଡିଆକୁ ଓହ୍ଲାଇବେ । ସେ ଏବେ ଘରେ ଅଛନ୍ତି ବୋଲି ଅନ୍ୟମାନଙ୍କୁ ବ୍ୟାଟିଂ ମିଳୁଛି । ଗେଲ୍ ଏବେ ଖେଳକୁ ଉପଭୋଗ କରୁଛନ୍ତି ।

ଏବେ ପଞ୍ଜାବ ଆଇପିଏଲର ପଏଁଣ୍ଟ ତାଲିକାରେ ଶୀର୍ଷରେ ରହିଛି । ଦଳ ସମସ୍ତ ବିଭାଗରେ ଭଲ ପ୍ରଦର୍ଶନ କରୁଛି । ସମସ୍ତ ଖେଳାଳି ସଠିକ ଯୋଗଦାନ କରୁଛନ୍ତି । ଦଳ ଆସନ୍ତା ରବିବାର ରାଜସ୍ଥାନ ରୟାଲ୍ସକୁ ଭେଟିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.