ଚୋରି କରିବାକୁ ଆସି ନିଘୋଡ ନିଦରେ ଶୋଇପଡିଲେ ଚୋର : ୨ ଜଣଙ୍କୁ ଛେଚି ପୋଲିସରେ ଦେଲେ ଗାଁ ଲୋକେ

Published By : Prameya-News7 Bureau | September 30, 2021 IST

ରାଜଗାଙ୍ଗପୁର,୩୦/୦୯: ଶୋଇପଡିଲେ ୨ ଚୋର । ଚୋରି କରିବାକୁ ଆସିଥିଲେ ନିଘୋଡ଼ ନିଦରେ ଶୋଇ ପଡ଼ିଲେ । ସକାଳୁ ଲୋକେ ଦୁଇ ଚୋରଙ୍କୁ ଧରି ନିର୍ଦ୍ଧୁମ ମାଡ ମାରି ସହ ପୁଲିସକୁ ହସ୍ତାନ୍ତର କଲେ । ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ଆଇଟି କଲୋନୀ ଅଞ୍ଚଳରେ ଘଟିଥିବା ଏହି ଘଟଣା ସହରରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଘଟଣା ଅନୁଯାୟୀ ରାଜଗାଙ୍ଗପୁର ଆଇଟି କଲୋନୀରେ ଥିବା ଇଏସ୍‌ଆଇ ଡାକ୍ତରଖାନାର ବନ୍ଦ ପଡିଥିବା ଏକ ବାସଗୃହରେ ଗତ ୨୭ ତାରିଖ ରାତିରେ ଦୁର୍ବୃତ୍ତ ତାଲା ଭାଙ୍ଗି ଘରେ ଥିବା ଦୁଇଟି ଫାଲଡିଂ ଖଟ, ସିଲିଂ ଫ୍ୟାନ, ପ୍ଲାଷ୍ଟିକ ଚୌକି ସହ କିଛି ଆସବାବପତ୍ର ଚୋରି କରି ନେଇଯାଇଥିଲେ । ସକାଳୁ ପାଖ ଘରେ ରହୁଥିବା ଡାକ୍ତରଖାନାର ଫାର୍ମାସିଷ୍ଟ କୁଞ୍ଜବିହାରୀ ପଣ୍ଡା ଚୋରି ହାଇଥିବା ଜାଣି ପାରି ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । ଉକ୍ତ ଘରେ ଚୋରଙ୍କ କବଳରୁ ବର୍ତ୍ତିଯାଇଥିବା ଟିଭି, ଅକ୍ସିଜେନ ସିଲିଣ୍ଡର ଓ ଦୁଇଟି ମେଡ଼ିକାଲ ବେଡ଼କୁ ସେ ରହୁଥିବା ନିଜ ଘରକୁ ସ୍ଥାନାନ୍ତର କରିବା ସହ ଉକ୍ତ ଘରେ ନୂଆ ତାଲା ପକାଇ ଥିଲେ ।

ଚୋରି କରି ନେଇ ପାରି ନଥିବା ଜିନିଷପତ୍ରକୁ ନେବା ଉଦ୍ଦେଶ୍ୟରେ ଗତ ରାତିରେ ଉକ୍ତ ଘରେ ପଡ଼ିଥିବା ତାଲା ଓ ଶିକୁଳି ଭାଙ୍ଗି ଚୋର ଘର ଭିତରକୁ ପଶିଥିଲେ । କିନ୍ତୁ ଘରେ କିଛି ନ ପାଇ ଶେଷରେ ନିରାଶ ହୋଇ ଘର ସମ୍ନା ରାସ୍ତାରେ ନିଘୋଡ଼ ନିଦରେ ଶୋଇପଡ଼ିଥିଲେ । ବଡ଼ି ଭୋରରେ ଶ୍ରୀ ପଣ୍ଡା ଫୁଲ ତୋଡିବାକୁ ଉଠି ଦେଖିଲା ବେଳକୁ ପୁନର୍ବାର ଉକ୍ତ ଘରର ତାଲା ଭଙ୍ଗା ହୋଇଥିବା ବେଳେ ଘର ଆଗରେ ଦୁଇ ଅଜଣା ଯୁବକ ନିଘୋଡ଼ ନିଦରେ ରାସ୍ତା ଉପରେ ଶୋଇଥିଲେ । ସେମାନଙ୍କ ନିକଟରେ ଏକ ଲୁହା ରଡ଼ ପଡ଼ିଥିଲା । ଶ୍ରୀ ପଣ୍ଡା ଚୋର ଆଶଙ୍କା କରି ଆଖପାଖ ଲୋକଙ୍କୁ ଡାକିବା ସହ ପୁଲିସକୁ ଖବର ଦେଇଥିଲେ । ଚୋରଙ୍କ ନିଦ ଭାଙ୍ଗିଲା ବେଳକୁ ଫେରାର ହେବାକୁ ସମସ୍ତ ବାଟ ବନ୍ଦ ହୋଇଯାଇଥିଲା । ଲୋକେ ଉଭୟଙ୍କୁ କାବୁ କରି ପୁଲିସକୁ ହସ୍ତାନ୍ତର କରିଥିଲେ ।

ବର୍ତ୍ତମାନ ଦୁଇ ଜଣ ଯାକ ପୁଲିସ୍‌ ହେପାଯତରେ ରହିଥିବା ବେଳେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ଏତଲାକୁ ଭିତ୍ତି କରି ପୁଲିସ ଉଭୟଙ୍କୁ ଗିରଫ କରି ତଦନ୍ତ କରିବା ସହ ଚୋରି ହୋଇଥିବା ସାମଗ୍ରୀ ଉଦ୍ଧାର କରିଛି । ଗିରଫ ହୋଇଥିବା ଉଭୟ ସମ୍ପର୍କରେ ଦୁଇ ଭାଇ ହୋଇଥିବା ବେଳେ ସେମାନେ ସ୍ଥାନୀୟ ବାରୁପଡ଼ା ଅଞ୍ଚଳର ପିଟର କେର୍କେଟା ଓ ଡେଭିଡ କେର୍କେଟା ବୋଲି ଜଣାପଡ଼ିଛି । ପ୍ରଥମ ଥର ଚୋରି କରିବା ପରେ ଦ୍ୱିତୀୟ ଥର ଦୁଇ ଭାଇ ରାତିରେ ପ୍ରଚୁର ମଦ ପିଇ ଚୋରି କରିବାକୁ ପଶିଥିଲେ । ଅତ୍ୟାଧିକ ନିଶା ହେବାରୁ ଯାଇ ନପାରି ଘର ସମ୍ନା ରାସ୍ତାରେ ଶୋଇପଡ଼ଥିବା ଅନୁମାନ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.