ଦୀପାବଳି ଗଧ ମେଳା: ୨ଦିନରେ ୨୦ କୋଟିର କାରବାର, ସର୍ବାଧିକ ବୋଲି ଲାଗିଛି ୧ଲକ୍ଷ ୨୫ ହଜାର ଟଙ୍କା, ଜାଣନ୍ତୁ କାହା ଉପରେ

Published By : Prameya-News7 Bureau | November 05, 2021 IST

ଚିତ୍ରକୁଟ ୫।୧୧: ଦୀପାବଳିରେ ପ୍ରତିବର୍ଷ ମନ୍ଦାକିନୀ କୂଳରେ ଅନୁଷ୍ଠିତ ହେଉଥିବା ୫ ଦିନିଆ ଗଧମେଳାରେ ଏବେ ଜୋରଦାର କିଣାବିକା ହେଉଛି। ଗୁରୁବାର ଦୀପାବଳିରେ ଏଠାରେ ଦୀପିକା ନାମକ ଏକ ମାଈ ଗଧ ସର୍ବାଧିକ ୧ ଲକ୍ଷ ୨୫ ହଜାର ଟଙ୍କାରେ ବିକା ହୋଇଛି। ଗତ ୨ ଦିନରେ ଏଠାରେ ୯ ହଜାର ଗଧ ବିକ୍ରି ହୋଇଥିବା ବେଳେ ଏପର୍ଯ୍ୟନ୍ତ ମୋଟ ୨୦ କୋଟିର କାରବାର ହୋଇଥିବା ଜଣାପଡିଛି। ମେଳାରେ କେବଳ ଗଧ ନୁହନ୍ତି ଖଚର ବି ବିକା ହୁଅନ୍ତି। ଦେଶ ତଥା ଦେଶ ବାହାରୁ ମେଳାକୁ ଲୋକେ ଗଧ ଓ ଖଚର କିଣିବାକୁ ଆସିଥାନ୍ତି।

ଏହି ବାର୍ଷିକ ମେଳାରେ ଉତ୍ତରପ୍ରଦେଶ, ଛତିଗଡ଼, ବିହାର, ଝାରଖଣ୍ଡ ଓ ନେପାଳର ଲୋକେ ଗଧ କିଣାବିକା କରିଥାନ୍ତି। ମେଳାରେ ଗଧଙ୍କ ନିଲାମ ଡକାଯାଏ ଓ ଯିଏ ସର୍ବାଧିକ ବୋଲି ଲଗାନ୍ତି ସେ ଅର୍ଥ ପୈଠ କରି ପଶୁ କିଣି ନିଅନ୍ତି। ଏଠାରେ ଗଧ ଓ ଖଚର ୧ ହଜାରରୁ ଆରମ୍ଭ କରି ୫ ଲକ୍ଷ ଟଙ୍କାରେ ବିକ୍ରି ହୋଇଥାନ୍ତି। ଏହି ମେଳାରେ ଗଧଙ୍କ ପ୍ରାୟ ପ୍ରଜାତି ମିଳିଯାଆନ୍ତି। ବେପାରୀ ଦର ଉପରେ ଡିସ୍କାଉଣ୍ଟ ଦେବା ସହ ଆକର୍ଷଣୀୟ ଅଫର ମଧ୍ୟ ଦେଉଛନ୍ତି।

{"id":539051,"sizeSlug":"full","linkDestination":"none"}

ବେପାରୀ ସେମାନଙ୍କ ବେପାର ଲାଗି ଗଧମାନଙ୍କ ଆକର୍ଷଣୀୟ ନାମକରଣ ବି କରିଛନ୍ତି।  ଏଠାରେ ଶାହରୁଖ, ସଲମାନ ଆଦି ସିନେତାରକାଙ୍କ ନାମରେ ଗଧବି ବିକା ହେବାକୁ ଆସିଛନ୍ତି।  ଏଥର ଦୀପିକା ନାମରେ ଏକ ମାଈ ଗଧ ଏପର୍ଯ୍ୟନ୍ତ ସବୁଠୁ ଅଧିକ ଦର ୧ଲକ୍ଷ ୨୫ ହଜାର ଟଙ୍କାରେ ବିକ୍ରି ହୋଇଥିବା ଜଣାପଡିଛି। ମେଳାରେ ବିକ୍ରି ଲାଗି ପ୍ରାୟ ୧୫ ହଜାର ଗଧ ଓ ଖଚରଙ୍କୁ ଠୁଳ କରାଯାଇଛି। ଏଥିରୁ ଦୁଇ ଦିନରେ ୯ ହଜାର ପଶୁ ବିକ୍ରି ହୋଇଥିବା ଜଣାପଡିଛି।

ଏଠାରେ ଗଧ ମେଳା ନୂଆ ନୁହେଁ। ମୋଗଲ ଶାସନରେ ଆଉରଙ୍ଗ ଜେବଙ୍କ କାଳରୁ ଏଠାରେ ଗଧମେଳା ଅନୁଷ୍ଠିତ ହୋଇ ଆସୁଛି। ମୋଗଲ ବାଦଶାହ ଆଉରଙ୍ଗ ଜେବ ହିଁ ଏହି ମେଳା ପ୍ରାରମ୍ଭ କରିଥିଲେ। ସେନାରେ ଘୋଡା ଓ ଭାରବାହୀ ପ୍ରାଣୀଙ୍କ ଅଭାବ ପୁରଣ ଲାଗି ବାଦଶାହ ଏହି ମେଳା ଆୟୋଜନ କରିଥିଲେ। ସେବେଠାରୁ ଏଠାରେ ଗଧମେଳା ଅନୁଷ୍ଠିତ ହୋଇ ଆସୁଥିବା ବେଳେ ପରବର୍ତ୍ତି ସମୟରେ ସ୍ଥାନୀୟ ଓ ବାହାରର ଚାଷୀ ସେମାନଙ୍କ ଚାଷ ଓ ପରିବହନ ଆବଶ୍ୟକତା ଲାଗି ଏଠାରୁ ପଶୁ କିଣିବାକୁ ପହଞ୍ଚୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.