ଚିତ୍ରକୋଣ୍ଡା ଡଙ୍ଗା ବୁଡି ଘଟଣା, ନିଖୋଜ ୩ଜଣଙ୍କ ମଧ୍ୟରୁ ଜଣଙ୍କର ମିଳିଲା ମୃତଦେହ

Published By : Prameya-News7 Bureau | May 21, 2021 IST

ଚିତ୍ରକୋଣ୍ଡା,୨୧/୦୫:  ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଜଳ ଭଣ୍ଡାର ଭିତରେ ଡଙ୍ଗା ବୁଡି ଘଟଣାରେ ନିଖୋଜ ଥିବା ୩ ଜଣଙ୍କ ମଧ୍ୟରୁ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି । ୭୦ ବର୍ଷୀୟ ବୃଦ୍ଧାଙ୍କ ମୃତଦେହ ଗୁରୁବାର ସନ୍ଧ୍ୟାରେ ଉଦ୍ଧାର ହୋଇଛି । ମୃତ ମହିଳା ହେଉଛନ୍ତି ଦାମୋଦରବେଡା ଗ୍ରାମର ବୁଦ୍ରୀ ମୁଦୁଲି । ଅନ୍ୟ ଦୁଇ ଜଣଙ୍କ ବର୍ତ୍ତମାନ ସୁଦ୍ଧା କୌଣସି ପତ୍ତା ମିଳିନାହି ।

୭୨ ଘଣ୍ଟାରୁ ଅଧିକ ସମୟ ଧରି ଦମକଳ ବାହିନୀ ଓ ସ୍ଥାନୀୟ ଗାଁ ଲୋକେ ଚିତ୍ରକୋଣ୍ଡା ଜଳ ଭଣ୍ଡାର ନିଖୋଜ ମାନଙ୍କୁ ଖୋଜିବା ଲାଗି ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି । ରାତିରେ ସର୍ଚ୍ଚ ଅପରେସନ ବନ୍ଦ ରହିଥିବା ବେଳେ ଆଜି ସକାଳ ୭ ଟାରୁ ପୁଣି ଥରେ ଆରମ୍ଭ ହୋଇଛି ଏହି ଅପରେସନ । କୁଡୁମୁଲୁଗୁମ୍ମା ତହସିଲଦାରଙ୍କ ସହ ଚିତ୍ରକୋଣ୍ଡା ଥାନା ପୋଲିସ ଗତ ତିନି ଦିନ ଧରି ଘଟଣା ସ୍ଥଳରେ ଉପସ୍ଥିତ ରହିଛନ୍ତି । ନିଖୋଜ ଲୋକଙ୍କୁ ଠାବ କରିବା ଲାଗି ଦମକଳ ବାହିନୀ ପକ୍ଷରୁ ଜୋରଦାର ପ୍ରୟାସ ଚାଲିଛି ।

ସୂଚନାଯୋଗ୍ୟ, ଗତ ମଙ୍ଗଳବାର ଦିନ ଓରାପଦର ଗାଁ ନିକଟରେ ଏକ ଦେଶୀ ଡଙ୍ଗା ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଏଥିରେ ଯାତ୍ରା କରୁଥିବା ୧୩ ଜଣ ଆଦିବାସୀଙ୍କ ମଧ୍ୟରୁ ୧୦ ଜଣ ପହଁରି କୂଳକୁ ଫେରିବା ବେଳେ ୩ ଜଣ ନିଖୋଜ ଥିଲେ । ଡଙ୍ଗା ବୁଡି ଘଟଣା ସଂପର୍କରେ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା ଅଗ୍ନିଶମ ବାହିନୀ । କୁଡୁମୁଲୁଗୁମ୍ମା ତହସିଲଦାର ଓ ଚିତ୍ରକୋଣ୍ଡା ଥାନା ପୋଲିସର ଉପସ୍ଥିତିରେ ଗତ ୩ ଦିନ ଧରି ଏହି ଉଦ୍ଧାର କାର୍ଯ୍ୟ ଚାଲିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.