ଆଶା ଆଶଙ୍କାରେ ଚିଟଫଣ୍ଡ୍ କ୍ଷତିଗ୍ରସ୍ତ, ତଦନ୍ତ କମିଶନଙ୍କ ଅଫିସରେ ପଡିଲା ତାଲା
18/07/2020 at 2:30 PM

କଟକ ୧୮।୦୭: ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖାଯାଇଥିଲା କି’ କମିସନ୍ର ଆଉ କିଛି କାମ ବାକି ରହିଯାଇଛି । ଏଣୁ କମିସନ ଚଲାଇବା ପାଇଁ ଏହାର ଅବଧିକୁ କିଛି ଦିନ ବୃଦ୍ଧି କରାଯାଉ । ଯଦି ବି ଅବଧିକୁ ବୃଦ୍ଧି କରିବାକୁ ସରକାର ଚାହୁନାହାନ୍ତି ତାହେଲେ ଏହାର ଦାୟିତ୍ୱ ହାତକୁ ନିଅନ୍ତୁ । ଏଥିପାଇଁ ସରକାରଙ୍କୁ ପ୍ରାୟ ଗୋଟିଏ ମାସ ସମୟ ଦିଆଯାଇଥିଲା । ଜୁଲାଇ ୧୬ ତାରିଖ ଅର୍ଥାତ ଗତକାଲି ପର୍ଯ୍ୟନ୍ତ କଣ୍ଟ ଧାର୍ଯ୍ୟ ହୋଇଥିଲା । ଯଦି ୧୬ ତାରିଖ ମଧ୍ୟରେ କୌଣସି ଜବାବ ନଆସେ ବା କମିସନଙ୍କ କାର୍ଯ୍ୟକାଳ ବୃଦ୍ଧି ନହୁଏ ତାହେଲେ ୧୭ ତାରିଖରେ ଅର୍ଥାତ ଶୁକ୍ରବାର କମିସନଙ୍କ କାର୍ଯ୍ୟାଳୟରେ ତାଲା ପକାଇ ଦିଆଯିବ ବୋଲି ଲେଖି ଦିଆଯାଇଥିଲା । କିନ୍ତୁ ସରକାର ନା ଚିଠିର ଜବାବ ଦେଲେ, ନା କାର୍ଯ୍ୟକାଳ ବଢାଇଲେ, ନା କମିସନଙ୍କଠାରୁ ଦାୟିତ୍ୱ ନେଲେ । କଣ୍ଟ ପୂରି ଯିବାରୁ ଗତକାଲି କମିସନଙ୍କ ମୌଖିକ ନିର୍ଦ୍ଦେଶକ୍ରମେ ଚିଟ୍ଫଣ୍ଡ କମିସନ କାର୍ଯ୍ୟାଳୟରେ ତାଲା ପକାଇ ଦିଆଯାଇଛି ।
ଗତ ଫେବ୍ରୁଆରୀ ୪ରେ ଚିଟ୍ଫଣ୍ଡ୍ ଠକେଇ ଘଟଣାର ବିଚାର ବିଭାଗୀୟ ତଦନ୍ତ କରୁଥିବା ଜଷ୍ଟିସ୍ ଏମ୍.ଏମ୍. ଦାସ କମିସନଙ୍କ ପରିବର୍ଦ୍ଧିତ କାର୍ଯ୍ୟକାଳ ଶେଷ ପରେ କମିସନଙ୍କ କାର୍ଯ୍ୟାଳୟକୁ ରାଜ୍ୟ ସରକାରଙ୍କୁ ବାରମ୍ବାର ଚିଠି ଲେଖାଯାଇଥିଲା । ସରକାର କମିସନଙ୍କ ଅବଧିକୁ ବୃଦ୍ଧି କରିନଥିଲେ, ଊପରନ୍ତୁ କାର୍ଯ୍ୟାଳୟର କର୍ମଚାରୀଙ୍କ ଦରମା ବି ଫେବ୍ରୁଆରୀରୁ ବନ୍ଦ କରିଥିଲେ । ଅବଶ୍ୟ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ଭାବେ କମିସନ ବନ୍ଦ ନେଇ କୌଣସି ନିର୍ଦ୍ଦେଶନାମା ଜାରି କରାଯାଇନଥିଲା । ଫଳରେ କର୍ମଚାରୀମାନେ କମିସନଙ୍କ କାର୍ଯ୍ୟାଳୟକୁ ଆସିବାକୁ ବାଧ୍ୟ ହେଉଥିଲେ। ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଅନ୍ତିମ ଚିଠି କମିସନଙ୍କ କାର୍ଯ୍ୟାଳୟ ପକ୍ଷରୁ ଗତ ମାସରେ ଲେଖା ଯାଇଥିଲା। ଯେଉଁଥିରେ କୁହାଯାଇଥିଲା, କମିସନଙ୍କ କାର୍ଯ୍ୟାଳୟର ଆଉ କିଛି କାର୍ଯ୍ୟ ବାକି ରହିଛି । ଚୂଡ଼ାନ୍ତ ରିପୋର୍ଟ ଦେବା ବାକି ଅଛି ।
ଯଦି ଆଉ କିଛି ସମୟ ଦିଆଯାଏ, କମିସନ ତଦନ୍ତ ସାରି ଚୂଡ଼ାନ୍ତ ରିପୋର୍ଟ ସରକାରଙ୍କୁ ଦାଖଲ କରିପାରନ୍ତେ । ଯଦି ବି ସରକାର କାର୍ଯ୍ୟକାଳ ନବଢ଼ାଉଛନ୍ତି ତାହେଲେ କମିସନଙ୍କଠାରୁ କାର୍ଯ୍ୟାଳୟର ଦାୟିତ୍ୱ ମଧ୍ୟ ନେବା କଥା । କାର୍ଯ୍ୟାଳୟରେ ଚିଟ୍ଫଣ୍ଡ ବାବଦ ଅନେକ ଗୁରୁତ୍ୱପୂର୍ଣ୍ଣ ରେକର୍ଡ ରହିଥିବାରୁ ତାହାକୁ ଖୋଲା ଛାଡ଼ି ହେଉନାହିଁ । କମ୍ପ୍ୟୁଟର, ସ୍କାନିଂ ମେସିନ୍, ପ୍ରିଣ୍ଟର ଆଦି ଲକ୍ଷାଧିକ ଟଙ୍କାର ସାମଗ୍ରୀ ମଧ୍ୟ ରହିଛି । ଗତକାଲି ସୁଦ୍ଧା ଜବାବ ଦେବାକୁ କମିସନଙ୍କ ଚିଠିରେ କୁହାଯାଇଥିବା ବେଳେ ସରକାର ନା ଚିଠିର ଉତ୍ତର ରଖିଛନ୍ତି ନା ଦାୟିତ୍ୱ ନେଇଛନ୍ତି । ଫଳରେ ଆଜି କମିସନଙ୍କ କାର୍ଯ୍ୟାଳୟରେ ତାଲା ପକାଇ ଦିଆଯାଇଛି ।