କାହା ପାଇଁ ଚିତଉ ଅମାବାସ୍ୟା

Published By : Prameya-News7 Bureau | August 11, 2018 IST

ଶ୍ରାବଣ ମାସ ଅମାବାସ୍ୟାଟି ଚିତାଲାଗି ଅମାବାସ୍ୟା ନାମରେ ପ୍ରସିଦ୍ଧ । ଏହା ଏକ କୃଷି ଭିତ୍ତିକ ପର୍ବ । ଏହି ଅମାବାସ୍ୟାରେ ପ୍ରତ୍ୟକ ଓଡିଆ ଘରେ କବାଟକୁ ସୁନ୍ଦର ଭାବେ ଲିପାପୋଛା କରି ଖଡିଚିତା ଦିଆ ଯାଇଥାଏ । ବିରି, ନଡିଆ, ଚାଉଳ,ଗୁଡରେ ମହିଳା ମାନେ ଚିତଉପିଠା ପ୍ରସ୍ତୁତ କରନ୍ତି । ଘିଅ ପଲମରେ ପ୍ରସ୍ତୁତ ଚିତଉ ପିଠାକୁ ଗରମ କ୍ଷୀରରେ ଭିଜାଇ ନରମ କରାଯାଏ । କୃଷକ ମାନେ ଏହି ଅମାବାସ୍ୟାରେ କ୍ଷେତରେ ଅର୍ଘ୍ୟଦାନ କରି ଚିତଉ ପିଠା ପୂଜା କରନ୍ତି । ପୂଜା ପରେ ପିଠାକୁ ବିଲରେ ପୋତି ଦିଆ ଯାଏ । ବିଶ୍ବାସ ରହିଛି, ଏହି ଅମାବାସ୍ୟାରେ ବିଲରେ ଚିତଉ ପୋତିଲେ ଭଲ ଫସଲ ହୋଇଥାଏ । କେହି କେହି ଏହି ଅମାବାସ୍ୟାକୁ ଚିତଉ ଅମାବାସ୍ୟା ବୋଲି କହିଥାନ୍ତି । ମହା ପ୍ରଭୁଙ୍କୁ ରତ୍ନ ଚିତା ଲାଗି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ମଧ୍ୟ ଚିତାଲାଗି ଅମାବାସ୍ୟା ଅବସରରେ ସ୍ବତନ୍ତ୍ର ପୂଜା ବିଧି ପାଳନ ହୁଏ । ଏହି ଦିନ ଠାକୁରଙ୍କୁ ଚିତଉ ପିଠାର ଭୋଗ ଲାଗିଥାଏ । ମହାପ୍ରଭୁ ମାନଙ୍କର ମସ୍ତକରୁ ସ୍ନାନ ଯାତ୍ରା ରାତିରେ ଦଇତା ସେବକ ମାନଙ୍କ ଦ୍ବାରା ଓଲାଗି କରା ଯାଇଥାଇ ଥିବା ରତ୍ନ ଚିତା ଏହି ଦିନ ପୁଣି ଥରେ ଲାଗି ହୋଇଥାଏ । ଦଇତା ସେବକ ମାନେ ଏହି ଚିତା ଲାଗି କରିଥାନ୍ତି । ଶ୍ରୀ ଜଗନ୍ନାଥଙ୍କ ଚିତାରେ ମୁଖ୍ୟ ରତ୍ନ ହିରା, ଶ୍ରୀ ବଳଭଦ୍ରଙ୍କର ନୀଳା ଓ ମା’ ସୁଭଦ୍ରାଙ୍କର ମାଣିକ୍ୟ । ଏହି ମୁଖ୍ୟ ରତ୍ନ ସହ ଚିତାରେ ସୁନା ପରି ଅନ୍ୟାନ୍ୟ ରତ୍ନ ପଥର ମଧ୍ୟ ରହିଥାଏ । ଚିତାଲାଗି ଅମାବାସ୍ୟାର ମଧ୍ୟାହ୍ନ ଧୂପ ପରେ ଭଣ୍ଡାର ଘରୁ ଚିତା ଗୁଡିକ ଆଣି ଦଇତା ସେବକ ମାନେ ଲାଗି କରିଥାନ୍ତି । ଏହି ଅବସରରେ କୋଠ ସୁଆଁସିଆ ସେବକ ଓଷଦ ପ୍ରସ୍ତୁତ କରି ଦେଇଥାନ୍ତି । ଓଷଦ ଏକ ପ୍ରକାର ଅଠା, ଯାହା ଦ୍ବାରା ରତ୍ନ ଚିତା ଗୁଡିକ ସାରା ବର୍ଷ ଠାକୁରଙ୍କ ଶ୍ରୀ ଅଙ୍ଗରେ ଲାଗି ରହିଥାଏ । କାହିଁକି ହୁଏ ଗେଣ୍ଡେଇସୁଣୀ ପୂଜା [gallery ids="35591"] ଚିତାଲାଗି ଅମାବାସ୍ୟାରେ ଚାଷୀ ଓଡିଆ ଚାଷୀ ଘରର ଝିଅ ମାନେ ନିଜ ବାପା, ଭାଇଙ୍କ ମଙ୍ଗଳ ମନାସୀ ଗଣ୍ଡେଇସୁଣୀ ପୂଜା କରିଥାନ୍ତି । ବିଲରେ ପାଣି କାଦୁଅରେ କାମ କରୁଥିବା ବେଳେ ପାଦକୁ ଗେଣ୍ଡା କାଟି ଦେବାର ଭୟ ଥାଏ । ଗେଣ୍ଡା ଯାହାର ପାଦକୁ କାଟି ଦିଏ, ଛୁରୀରେ କାଟି ଦେଲା ପରି କ୍ଷତ ସୃଷ୍ଟି ହୋଇଥାଏ । ଫଳରେ ଯାହାଙ୍କ ପାଦ ଗେଣ୍ଡା କାଟିଥାଏ ସେ ଦୀର୍ଘ ଦିନ ପର୍ଯ୍ୟନ୍ତ କାମ କରି ପାରନ୍ତି ନାହିଁ । ଚାଷ କାମ ସମୟରେ ଚାଷୀ ଘରେ ବସିଲେ ଚାଷବାସ ଉଜୁଡି ଯିବାର ଭୟ ଥାଏ । ତେଣୁ ଝିଅ ମାନେ ଚିତଉ ପିଠା ହାତରେ ଧରି ଗୀତ ଗାଇ ଗାଇ ନାଳ ,ପୋଖରୀ ଓ ବିଲରେ ଖଣ୍ଡ ଖଣ୍ଡ କରି ଚିତଉ ପିଠା ପକାଇ ଆସନ୍ତି । ଝିଅ ମାନେ ସେମାନଙ୍କ ଗୀତ ମାଧ୍ୟମରେ ଗେଣ୍ଡେଇସୁଣୀଙ୍କୁ ପ୍ରାର୍ଥନା କରିଥାନ୍ତି । ସେମାନଙ୍କ ବାପା ଭାଇଙ୍କ ପାଦକୁ ଗେଣ୍ଡା ନ’କାଟିବା ପାଇଁ ଏହି ପୂଜା କରିଥାନ୍ତି । ଏହାର ଅନ୍ତରାଳେ ଏକ ବିଜ୍ଞାନ ଭିତ୍ତିକ କାରଣ ରହିଛି । ଘିଅ ଓ କ୍ଷୀରର ଗନ୍ଧରେ ଗେଣ୍ଡା ଦୂରକୁ ଚାଲିଯାଏ । ଚିତଉ ପିଠା ବିଲରେ ପକାଇବା ଫଳରେ ଗଣ୍ଡା ମାନେ ବିଲରୁ ଚାଲି ଯାଇଥାନ୍ତି ଓ ଚାଷୀ ସୁରକ୍ଷିତ ରହିଥାଏ । ଉପସ୍ଥାପନା : ରମାବହ୍ଲଭ ମହାପାତ୍ର

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.