ନିର୍ବାଚନ ପୂର୍ବରୁ ଫେରିଲା ଚିଟଫଣ୍ଡ ପ୍ରସଙ୍ଗ : ଆଜିଠାରୁ ଲୋୟର ପିଏମଜିରେ ଆନ୍ଦୋଳନ, ଟଙ୍କା ଫେରସ୍ତ ନହେବା ଯାଏଁ ରାଜଧାନୀ ଛାଡ଼ିବେ ନାହିଁ ଜମାକାରୀ

Published By : Prameya-News7 Bureau | February 19, 2019 IST

ଭୁବନେଶ୍ୱର ୧୯/୨ : ନିର୍ବାଚନ ପୂର୍ବରୁ ପୁଣି ଫେରିଛି ଚିଟଫଣ୍ଡ ପ୍ରସଙ୍ଗ | ୫ ବର୍ଷ ବିତିଯାଇଥିଲେ ମଧ୍ୟ ଜମାକାରୀ ଟଙ୍କାଟିଏ ବି ପାଇଲେ ନାହିଁ | ଆଜି ରାଜଧାନୀରେ ଏକାଠି ହେବେ ଚିଟଫଣ୍ଡ ଜମାକାରୀ | ଭୁବନେଶ୍ୱର ଲୋୟର ପିଏମଜି ଛକରେ ଜମାକାରୀ ସତ୍ୟାଗ୍ରହ କରିବେ | ଚିଟଫଣ୍ଡ ଜମାକାରୀ କ୍ଷତିଗ୍ରସ୍ତ ମଂଚ ଏନେଇ ଆହ୍ୱାନ ଦେଇଛି | ୧୦ ହଜାରରୁ ଅଧିକ କ୍ଷତିଗ୍ରସ୍ତଙ୍କୁ ଏକାଠି କରିବାକୁ ଲକ୍ଷ୍ୟ ରଖାଯାଇଛି | ଅନେକ ଜମାକାରୀ ଗତକାଲି ଠାରୁ ରାଜଧାନୀରେ ପହଂଚି ସାରିଲେଣି | ଚିଟଫଣ୍ଡରେ ରାଜ୍ୟର ଲକ୍ଷ ଲକ୍ଷ ଜମାକାରୀ କ୍ଷତି ସହିଛନ୍ତି | ରାଜ୍ୟ ସରକାର ଗତ ସାଧାରଣ ନିର୍ବାଚନ ପୂର୍ବରୁ ୩୦୦ କୋଟି ଟଙ୍କାର କର୍ପସ ଫଣ୍ଡର ଘୋଷଣା କରିଥଲେ | କିନ୍ତୁ ଆଜି ଯାଏଁ କେହି ହେଲେ ଟଙ୍କାଟିଏ ବି ପାଇଲେନି ବୋଲି ଅଭିଯୋଗ କରିଛି ମଂଚ |


ଅପରପକ୍ଷରେ କମିଶନ କହିଛନ୍ତି ଯେ, ସମସ୍ତ ଜମାକାରୀଙ୍କୁ ଚିହ୍ନଟ କରିବା ପାଇଁ ଆହୁରି ୨/୩ ବର୍ଷ ଲାଗିବ | ତେଣୁ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରସ୍ତ ନହେବା ଯାଏଁ ରାଜଧାନୀ ଛାଡ଼ିବୁ ନାହିଁ ବୋଲି ମଂଚ ଚେତାବନୀ ଦେଇଛି |


ଏନେଇ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ, ଆସନ୍ତା ନିର୍ବାଚନରେ ବିଜେପି ସରକାର ଆସିଲେ ଚିଟଫଣ୍ଡ ଜମାକାରୀଙ୍କ ଅର୍ଥ ଫେରସ୍ତକୁ ପ୍ରାଥମିକତା ଦିଆଯିବ | ଅପରପକ୍ଷରେ କଂଗ୍ରେସ ନେତା ବିଭୁ ପ୍ରସାଦ ତରାଇ କହିଛନ୍ତି ଯେ, ଉଭୟ ବିଜେପି ଏବଂ ବିଜେଡି ସରକାର ଚାହୁଁନାହାନ୍ତି ଯେ, ଓଡିଶାର କ୍ଷତିଗ୍ରସ୍ତ ଜମାକାରୀ ତାଙ୍କ ଟଙ୍କା ଫେରସ୍ତ ପାଆନ୍ତୁ | କିନ୍ତୁ କଂଗ୍ରେସ କ୍ଷମତା ଆସୁ କିମ୍ବା ନଆସୁ କ୍ଷତିଗ୍ରସ୍ତଙ୍କ ସହିତ ସବୁବେଳେ ରହିଛି ବୋଲି କହିଛନ୍ତି ତରାଇ |


ରାଜ୍ୟ ଅର୍ଥମନ୍ତ୍ରୀ ସସି ଭୂଷଣ ବେହେରା ଏନେଇ ପ୍ରତିକ୍ରିୟା ରଖି କହିଛନ୍ତି ଯେ, କ୍ଷୁଦ୍ର ଜମାକାରୀଙ୍କ ଅର୍ଥ ଫେରସ୍ତ କାର୍ଯ୍ୟ ଆରମ୍ଭ ହୋଇସାରିଛି | ଯେଉଁମାନଙ୍କ ପ୍ରପର୍ଟି ନିଲାମ ହୋଇଥିଲା ସେମାନଙ୍କ ଜରିଆରେ ମଧ୍ୟ ଟଙ୍କା ଫେରସ୍ତ କାର୍ଯ୍ୟ ଆରମ୍ଭ ହୋଇଛି | ଏ ପ୍ରକ୍ରିୟାରେ ସହଯୋଗ କରିବା ପାଇଁ ସେ ନିବେଦନ କରିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.