ଏଲଜେପିର ସଭାପତି ହେଲେ ଚିରାଗ ପାଶଓ୍ୱାନ୍

Published By : Prameya-News7 Bureau | November 05, 2019 IST

ନୂଆଦିଲ୍ଲୀ୫/୧୧: ବିଜେପିର ସହଯୋଗୀ ଦଳ ଲୋକଜନଶକ୍ତି ପାର୍ଟିର ସଭାପତି ହେଲେ ସାଂସଦ ଚିରାଗ ପାଶଓ୍ୱାନ୍ (୩୭)। ଦଳର ପ୍ରତିଷ୍ଠାତା ସଭାପତି ରାମବିଳାସ ପାଶଓ୍ୱାନ  ଆଜି ଘୋଷଣା କରିଛନ୍ତି।ଏ ନେଇ ଆଜି ଦିଲ୍ଲୀରେ ଦଳର ବୈଠକ ବସିଥିଲା। ଏହି ବୈଠକରେ ଚିରାଗଙ୍କ ନାମରେ ମୋହର ଲଗା ଯାଇଥିବା କଥା କେନ୍ଦ୍ରମନ୍ତ୍ରୀ ରାମବିଳାସ କହିଛନ୍ତି। ରାମବିଳାସ ପାଶଓ୍ୱାନଙ୍କ ପୁଅ ହେଉଛନ୍ତି ଚିରାଗ।

ଲୋକସଭା ନିର୍ବାଚନ ବେଳେ ତିନି ଦଳ ମିଶି ବିହାରରେ ନିର୍ବାଚନ ଲଢ଼ିଥିଲେ। ଦେଶ ଏବଂ ରାଜ୍ୟରେ ଅଦଳବଦଳ ରାଜନୀତିକୁ ନଜରରେ ରଖି ରାମବିଳାସ ଦଳର ଉତ୍ତରାଧିକାରୀଙ୍କୁ ନେତୃତ୍ୱ ନେବାର ସମୟ ଆସିଛି ବୋଲି ବିଚାର କରିଥିଲେ। ୨୦୦୦ ମସିହାରେ ରାମବିଳାସ ପାଶଓ୍ୱାନ ଏହି ଦଳ ଗଢ଼ିଥିଲେ। ବିହାରରେ ମଧ୍ୟ ବିଜେପି-ଜେଡିୟୁ ମେଣ୍ଟ ସହ ଏଲଜେପି ରହିଛି। ଏହାପରେ ଦଳୀୟ ନେତାଙ୍କ ସହମତି କ୍ରମେ ଚିରାଗଙ୍କୁ ଦଳର ସଭାପତି ହୋଇଛନ୍ତି।

ରାମବିଳାସ ପୁଅ ଚିରାଗଙ୍କୁ ନିଜର ଉତ୍ତରାଧିକାରୀ ଘୋଷଣା କରିବା ପରେ ଦୁଇ ଜଣଙ୍କ ବୟସକୁ ନେଇ ଚର୍ଚ୍ଚା ଆରମ୍ଭ ହୋଯାଇଛି। କାରଣ ରାମବିଳାସଙ୍କ ବୟସ ୭୩ ଏବଂ ଚିରାଗଙ୍କ ବୟସ ୩୭। ୭୩କୁ ଓଲଟାଇଲେ ୩୭ ହେଉଛି। ଉଲ୍ଲେଖନୀୟ ହେଉଛି,  ୭୩ ବର୍ଷ ବୟସରେ ରାମବିଳାସ ଦଳୀୟ କ୍ଷମତାରୁ ଓହରି ଯାଇଥିବା ବେଳେ ତାଙ୍କ ଆସନ ୩୭ ବର୍ଷୀୟ ପୁଅ ଚିରାଗଙ୍କ ହାତକୁ ଟେକି ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.