ଡରାଉଛି ଡ୍ରାଗନ : ଉତ୍ତରାଖଣ୍ଡରେ ଚୀନ୍ ସେନାର ସୀମା ଉଲଂଘନ

Published By : Prameya-News7 Bureau | September 12, 2018 IST

ଚମୋଲି ୧୨|୯: ଉତ୍ତରାଖଣ୍ଡର ଚମୋଲି ଅଞ୍ଚଳରେ ରହିଥିବା ସୀମାକୁ ପୁଣି ଚୀନ୍ ଉଲଂଘନ କରିଛି । ଚୀନ୍ ସେନା ଭାରତୀୟ ସୀମା ଅତିକ୍ରମ କରି ୪ କିଲୋମିଟର ଅନୁପ୍ରବେଶ କରିଛି । ତେବେ ସେନାବାହିନୀ ପକ୍ଷରୁ ଏନେଇ କୌଣସି ସୂଚନା ଦିଆଯାଇନାହିଁ । ଏ ଅଞ୍ଚଳରେ ଚୀନ୍ ସେନା ବାରମ୍ବାର ଭାରତୀୟ ଅଞ୍ଚଳକୁ ଅନୁପ୍ରବେଶ କରିବାର ନଜିର ରହିଛି । ଗତ ଜୁଲାଇ ମାସ ୨୬ତାରିଖରେ ମଧ୍ୟ ଚୀନ୍ର ଶତାଧିକ ସୈନିକ ଅନୁପ୍ରବେଶ କରିଆସିଥିଲେ । ଆଇଟିବିପିର ଜବାନମାନଙ୍କ ଦୈନନ୍ଦିନ ଯାଞ୍ଚ ବେଳେ ଚୀନ୍ ସେନା ଅନୁପ୍ରବେଶ କରିଆସିଥିବା ଜଣାପଡିଥିଲା । ଭାରତୀୟ ଯବାନଙ୍କୁ ଦେଖିବା ପରେ ଚୀନ୍ ସୈନିକମାନେ ପଛକୁ ହଟିଯାଇଥିଲେ । ଯୋଶୀମଠଠାରୁ ପ୍ରାୟ ୧୦୫ କିଲୋମିଟର ଦୂରରେ ଥିବା ଚମୋଲି ଅଞ୍ଚଳ ଚୀନ୍ ସୈନିକଙ୍କ ଅନୁପ୍ରବେଶ ଦୃଷ୍ଟିରୁ ଅତ୍ୟନ୍ତ ସମ୍ବେଦନଶୀଳ । ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ଏହି ଅଞ୍ଚଳରେ ଜୁନ୍ ମାସରେ ଚୀନ୍ ର ଦୁଇଟି ହେଲିକପ୍ଟର ଅବତରଣ କରିଥିବା ଦେଖିବାକୁ ମିଳିଥିଲା । ୨୦୧୪ ମସିହାରେ ସୀମା ଯାଞ୍ଚ କରିବାକୁ ଯାଇଥିବା ରାଜସ୍ବ ବିଭାଗର ଯାଞ୍ଚକାରୀ ଦଳ ସହ ଅନୁପ୍ରବେଶ କରିଥିବା ଚୀନ୍ ସୈନିକ ମୁହାଁମୁହିଁ ହୋଇଥିଲେ । ଭାରତୀୟ ରାଜସ୍ବ ଅଧିକାରୀଙ୍କୁ ଫେରିଯିବା ପାଇଁ ଚୀନ୍ ସୈନିକ ଇସାରା ଦେଇଥିଲେ । ଏ ସମ୍ପର୍କରେ ପରବର୍ତ୍ତୀ ସମୟରେ କେନ୍ଦ୍ରସରକାରଙ୍କୁ ଅବଗତ କରାଯାଇଥିଲା । ଚୀନ୍ ସୈନିକମାନେ ଏହି ଅଞ୍ଚଳରେ ଥିବା ଘଞ୍ଚ ଜଙ୍ଗଲକୁ ଧୀରେ ଧୀରେ ସଫା କରୁଥିବା ମଧ୍ୟ ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.