ଭାରତ ସୀମାରେ ପଶିଲେ ଚୀନ ସୈନିକ, ମାଡି ବସିଲେ ଭାରତୀୟ ଯବାନ, ଚାଲିଛି ଜେରା…
9/01/2021 at 3:19 PM

ନୂଆଦିଲ୍ଲୀ ୦୯।୦୧: ଭାରତ ଓ ଚୀନ ମଧ୍ୟରେ ସୀମାରେ ଉତ୍ତେଜନା ଜାରି ରହିଛି। ଏହା ମଧ୍ୟରେ ଭାରତୀୟ ସେନା ଲଦାଖରେ ବାସ୍ତବିକ ନିୟନ୍ତ୍ରଣ ରେଖା ନିକଟସ୍ଥ ପାଙ୍ଗଙ୍ଗ ଅଞ୍ଚଳରେ ଜଣେ ଚୀନ ସୈନିକଙ୍କୁ ଧରିଛନ୍ତି। ଏହି ସୈନିକ ଭାରତୀୟ ଅଞ୍ଚଳରେ କେମିତି ପହଞ୍ଚିଲା ତାର ଯାଞ୍ଚ କରାଯାଉଛି। ବର୍ତ୍ତମାନ ଭାରତୀୟ ସୈନିକ ପଚରାଉଚୁରା କରୁଛନ୍ତି। ସୂଚନା ଅନୁଯାୟୀ, ଏହି ସୈନିକ ଭୋର ସକାଳେ ଭାରତୀୟ ଅଞ୍ଚଳରେ ଦେଖିବାକୁ ମିଳିଥିଲେ।
ସୂତ୍ର ଅନୁଯାୟୀ, ପିପୁଲ୍ସ ଲିବେରେସନ ଆର୍ମି(ପିଏଲଏ)ର ଏହି ସୈନିକ ଶୁକ୍ରବାର ଭୋର ସକାଳେ ଭାରତୀୟ ସେନା ହାତରେ ଧରା ପଡିଛନ୍ତି। ଅଧିକାରୀ କହିଛନ୍ତି ପିଲଏର ଏହି ସୈନିକ ଭାରତୀୟ ସୀମାକୁ ପଶି ଆସିଥିଲେ। ଉକ୍ତ ଅଞ୍ଚଳରେ ମୁତୟନ ଭାରତୀୟ ସେନା ତାଙ୍କୁ ଧରି ନିଜ ହେପାଜତକୁ ନେଇ ଯାଇଛନ୍ତି। ସୈନିକ ପୂରା ନିୟମ ଏବଂ ପ୍ରକ୍ରିୟା ସହିତ ଚୀନ ସୈନିକଙ୍କୁ ପଚରାଉଚୁରା କରୁଛନ୍ତି। ଏହାର ମଧ୍ୟ ଯାଞ୍ଚ କରାଯାଉଛି ଯେ, ଚୀନ ସୈନିକ କେଉଁ ପରିସ୍ଥିତିରେ ଭାରତୀୟ ଇଲାକାରେ ପହଞ୍ଚିଲେ।
Chinese Army soldier apprehended around the Rezang La heights area, Ladakh has been informed about their soldier in the Indian custody. Both sides are in touch over the issue: Sources https://t.co/7DV8dXuPlf
— ANI (@ANI) January 9, 2021
ଉଲ୍ଲେଖନୀୟ, ଭାରତୀୟ ଅଞ୍ଚଳରେ ପ୍ରଥମ ଥର ଚୀନ ସୈନିକଙ୍କୁ ଦେଖିବାକୁ ମିଳିନାହିଁ। ଦୁଇ ବର୍ଷ ଭିତରେ ସୀମାରେ ଏହା ଦ୍ଵିତୀୟ ଘଟଣା। ଗତ ବର୍ଷ ଅକ୍ଟୋବରରେ ମଧ୍ୟ ଚୀନ ସେନାର ଏକ ଯବାନଙ୍କୁ ପୂର୍ବ ଲଦାଖରେ ଭାରତୀୟ ସେନା ଧରିଥିଲେ। ହେଲେ ତିନି ଦିନର ଔପଚାରିକ କାର୍ଯ୍ୟାନୁଷ୍ଠାନ ପରେ ଉକ୍ତ ସୈନିକଙ୍କୁ ଚୀନ ସେନାକୁ ହସ୍ତାନ୍ତର କରାଯାଇଥିଲା।
ଭାରତ ଓ ଚୀନ ମଧ୍ୟରେ ଗତ ବର୍ଷ ଜୁନ୍ରୁ ଉତ୍ତେଜନା ଜାରି ରହିଛି। ଦୁଇ ଦେଶ ପୂର୍ବ ଲଦାଖ ଏଲଏସିରେ ବଡ ସଂଖ୍ୟାରେ ସୈନ୍ୟ ମୁତୟନ କରିଛନ୍ତି। ସୀମା ବିବାଦର ସମାଧାନ ପାଇଁ ଅନେକ ପର୍ଯ୍ୟାୟରେ କମାଣ୍ଡରସ୍ତରୀୟ ଆଲୋଚନା ହୋଇଥିଲେ ମଧ୍ୟ କୌଣସି ନିଷ୍କର୍ସ ବାହାରି ପାରିନାହିଁ। ଗତ ବର୍ଷ ଜୁନ ୧୫ରେ ଦୁଇ ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଥିଲା। ଏଥିରେ ୨୦ ଭାରତୀୟ ଯବାନ ସହିଦ ହୋଇଥିବା ବେଳେ ଚୀନର ୪୩ରୁ ଅଧିକ ସୈନିକ ମୃତାହତ ହୋଇଥିଲେ। ଏହି ଘଟଣା ପରେ ଦୁଇ ଦେଶର ସଂପର୍କ ବିଗିଡି ଯାଇଛି।