ଜେନେରାଲ ଝାଓଙ୍କୁ ପଦରୁ ହଟାଇଲା ଚୀନ୍, ଗଲଓ୍ୱାନ୍‌ ଝ୍‌ଟକା ପରେ ବଦଳିଲେ ସେନା ପ୍ରମୁଖ କମାଣ୍ଡର

Published By : Prameya-News7 Bureau | July 26, 2020 IST

ନୂଆଦିଲ୍ଲୀ ୨୬।୦୭: ଭାରତ ସହିତ ସୀମାର ସୁରକ୍ଷା ଦାୟିତ୍ୱରେ ଥିବା ଚୀନ୍‌ ସେନାର ପଶ୍ଚିମ କମାଣ୍ଡର ମୁଖ୍ୟ ଜେନେରାଲ ଝାଓ ଜୋଙ୍ଗକ୍ୱିଙ୍କୁ ତାଙ୍କ ପଦରୁ ହଟାଇ ଦିଆଯାଇଛି । ଗଲୱାନ ଘାଟିରେ ଭାରତୀୟ ସେନା ଠାରୁ ଚୀନ୍‌ ସେନା ବଡ଼ ଧରଣର ଝଟ୍‌କା ଖାଇବା ପରେ ତାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ଜୁନ୍‌ ୧୫ରେ ଗଲୱାନ ଉପତ୍ୟକାରେ ଭାରତୀୟ ସେନାର ପାଟ୍ରୋଲିଂ ଦଳ ଉପରେ ଯେଉଁ ଆକ୍ରମଣ ହୋଇଥିଲା ତାହାର ବ୍ଲୁପ୍ରିଂଟ ଜେନେରାଲ ଝାଓ ପ୍ରସ୍ତୁତ କରିଥିଲେ । ହେଲେ ଭାରତୀୟ ସେନାର ବୀରତ୍ୱ ଯୋଗୁ ତାଙ୍କ ଯୋଜନା ଓଲଟା ପଡିଯାଇଥିଲା । ଭାରତୀୟ ସୈନିକ କମ ସଂଖ୍ୟାରେ ଥିଲେ ମଧ୍ୟ ଏବଂ ନିରସ୍ତ୍ର ହୋଇଥିଲେ ବି ଚୀନ୍‌ ସେନା ଉପରେ ଜୋରଦାର ପ୍ରତିଆକ୍ରମଣ କରିଥିଲେ । ସେମାନେ ଚୀନ୍‌ ସୈନିକଙ୍କ ଉପରକୁ କୁଦି ପଡିଥିଲେ ଏବଂ ତାଙ୍କରି ଅସ୍ତକୁ ଛଡାଇ ଆଣି ସେଥିରେ ସେମାନଙ୍କୁ ହତ୍ୟା କରିଥିଲେ । ଉକ୍ତ ଘଟଣାରେ ଭାରତର ଜଣେ ଅଧିକାରୀଙ୍କ ସମେତ ୨୦ ଜଣ ଯବାନ ସହିଦ ହୋଇଥିଲା ବେଳେ ଚୀନ୍‌ର ୪୩ ସୈନିକ ମୃତାହତ ହୋଇଥିଲେ ।

ସେମାନଙ୍କ ଭିତରେ ଚୀନ୍‌ ସେନାର ଜଣେ ବାଟାଲିୟନ କମାଣ୍ଡର ବି ଥିଲେ । ଆଉ କେତେକ ରିପୋର୍ଟରେ କୁହାଯାଇଥିଲା ଯେ ଚୀନ୍‌ ସେନାର ୧୩୮ ଜଣ ସୈନିକ ପ୍ରାଣ ହରାଇଥିଲେ ଏବଂ ୨୦୦ରୁ ଅଧିକ ଆହତ ହୋଇଥିଲେ । ଭାରତୀୟ ଯବାନ ଏପରି ଆକ୍ରମଣ କରିଥିଲେ ଯେ ଚୀନ୍‌ର ମୃତ ସୈନିକଙ୍କ ଭିତରୁ ଅନେକଙ୍କ ପରିଚୟ ଚିହ୍ନଟ କରିବା ବି ମୁସ୍କିଲ ହୋଇଥିଲା । ଚୀନ୍‌କୁ ଏହାଯୋଗୁ ବଡ଼ ଧକ୍‌କା ଲାଗିଥିଲା ଯେଉଥିପାଇଁ ସିଏ ନିଜର ମୃତାହତ ସୈନିକଙ୍କ ସଂଖ୍ୟା ସାର୍ବଜନୀନ କରିନଥିଲା । ତେବେ ସିଏ ଏବେ ଏହି ବିଫଳତା ପାଇଁ ଜଣେ ବରିଷ୍ଠ ସେନା କମାଣ୍ଡରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

ଜେନେରାଲ ଝାଓ ପୂର୍ବରୁ ଡୋକଲାମରେ ମଧ୍ୟ ଭାରତ ସହିତ ସୀମା ବିବାଦ ସୃଷ୍ଟି କରିଥିଲେ । ଭାରତୀୟ ଅଂଚଳ ଉପରେ କବ୍‌ଜା କରି ସିଏ ଚୀନ ସରକାରଙ୍କୁ ଖୁସି କରିବା ସହିତ ସେନାର ସେଂଟ୍ରାଲ କମିଶନର ସଦସ୍ୟ ହେବାକୁ ଇଛା କରୁଥିଲେ । କିନ୍ତୁ ତାଙ୍କର ଅଭିଳାଷ ଏବେ ଫସର ଫାଟି ଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.