ତାଇଓ୍ଵାନକୁ ନାଲି ଆଖି ଦେଖାଇଲା ଚୀନ, ଲଢୁଆ ବିମାନ ଉଡାଇ ଦେଲା ଚେତାବନୀ

Published By : Prameya-News7 Bureau | June 09, 2020 IST

ନୂଆଦିଲ୍ଲୀ ୦୯।୦୬: ତାଇଓ୍ଵାନ ଓ ଚୀନ ବିବାଦ ଜାରି ରହିଛି। ଚୀନ ତାଇଓ୍ଵାନକୁ ନିଜର ଅଞ୍ଚଳ ବୋଲି ଦାବି କରୁଛି। ଏହା ମଧ୍ୟରେ ତାଇଓ୍ଵାନ ବାୟୁ କ୍ଷେତ୍ରରେ ଚୀନ ଲଢୁଆ ବିମାନ ଉଡାଇ ନାଲି ଆଖି ଦେଖାଇ ଚେତାବନୀ ଦେଇଛି। ଏହା ପରେ ତାଇଓ୍ଵାନ ବାୟୁସେନା ଚୀନର ଅନୁପ୍ରବେଶକାରୀ ବିମାନକୁ ଘଉଡାଇଥିବା ତାଇଓ୍ଵାନ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ତାଇଓ୍ଵାନ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି, ଦକ୍ଷିଣ-ପଶ୍ଚିମ କ୍ଷେତ୍ରରେ ଅନେକ ଚୀନ ସୁ-୩୦ ଲଢୁଆ ବିମାନକୁ ଘଉଡାଇବା ଲାଗି ତାଇଓ୍ଵାନ ବାୟୁସେନା ସକ୍ରିୟତା ଦେଖାଇଥିଲା। ତାଇଓ୍ଵାନ ପକ୍ଷରୁ ବିଜ୍ଞପ୍ତିରେ କୁହାଯାଇଛି ଯେ, ତାଇଓ୍ଵାନ ଜଳଡମରୁ ମଧ୍ୟ ଓ ଏହାର ଆଖପାଖ ସମୁଦ୍ର ଓ ବାୟୁ କ୍ଷେତ୍ରରେ ନଜର ରଖିଛି। ନିଜର ଆଞ୍ଚଳିକ ସୁରକ୍ଷା ଲାଗି ଆବଶ୍ୟକ ପଦକ୍ଷେପ ନିଆଯାଉଛି।

କରୋନା ଭାଇରସ୍‌ ସଙ୍କଟ ମଧ୍ୟରେ ଚୀନ ତାଇଓ୍ଵାନ ଅଭିମୁଖେ ନିଜର ପାଦ ବଢାଇଛି। ଏହା ପୂର୍ବରୁ ଫେବୃଆରୀ ୧୦ରେ ଏକ ଚୀନୀ ଜେଟ୍‌ ତାଇଓ୍ଵାନର ମିଡ୍‌ଲାଇନ୍‌ ରେଖା ଉପରେ ଅତିକ୍ରମ କରିଛି। ଗତ ବର୍ଷ ମାର୍ଚ୍ଚରେ ଦୁଇଟି ଚାଇନିଜ୍ ଜେ-୧୧ ଲଢୁଆ ବିମାନ ତାଇଓ୍ଵାନ ବାୟୁସୀମାରେ ଅନୁପ୍ରବେଶ କରିଥିଲା। ତାଇଓ୍ଵାନ କହିଥିଲା ଯେ, ଚୀନର ଏହା ବେପରୁଆ ଓ ଉସୁକାଇବା ପରି ପଦକ୍ଷେପ ଥିଲା।

ଚୀନ ଦାବି କରି ଆସୁଛି ଯେ, ତାଇଓ୍ଵାନ ହେଉଛି ତାର ଏକ ବିଦ୍ରୋହୀ ପ୍ରଦେଶ। ଚୀନ ଏହାକୁ ନିଜ ଦେଶରେ ସାମିଲ କରାଇବାକୁ ପଣ କରିଛି। କିନ୍ତୁ ତାଇଓ୍ଵାନ ରାଷ୍ଟ୍ରପତି ସାଇ ଇଙ୍ଗ- ଓ୍ଵେନ ଖୋଲାଖୋଲି କହିଛନ୍ତି ଯେ, ତାଇଓ୍ଵାନର ସ୍ଵତନ୍ତ୍ର ପରିଚୟ ରହିଛି।

ଗତ ଡିସେମ୍ବରରେ ଚୀନୀ ସେନା ତାଇଓ୍ଵାନ ରାଷ୍ଟ୍ରପତି ନିର୍ବାଚନ ପରେ ପରେ ଏକ ବିମାନ ବାହକ ଜାହାଜ ପଠାଇଥିଲା। ସେହି ସମୟରେ ରାଷ୍ଟ୍ରପତି ସାଇ ଇଙ୍ଗ- ଓ୍ଵେନ ବିପୁଳ ଭୋଟରେ ବିଜୟୀ  ହୋଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.