ବ୍ୟାନ୍‌ରେ ଚିହିଁକି ଉଠିଲା ଚୀନ, ରେଲଓ୍ଵେ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ କଲା କେସ୍

Published By : Prameya-News7 Bureau | July 18, 2020 IST

ନୂଆଦିଲ୍ଲୀ ୧୮।୦୭: ଗଲଓ୍ଵାନ ଉପତ୍ୟକାରେ ଚୀନ ସୈନିକଙ୍କ ସହିତ ଭାରତୀୟ ସୈନିକଙ୍କ ରକ୍ତାକ୍ତ ସଂଘର୍ଷ ପରେ ଦେଶରେ ବୟକଟ ଚାଇନା ଦାବି ଜୋର ଧରିଥିଲା। ଏହି କ୍ରମରେ ଭାରତୀୟ ରେଲଓ୍ଵେ ସର୍ବ ପ୍ରଥମେ #BoycottChina ଆଧାରରେ କାନପୁର ଓ ମୁଗଲସରାୟ ମଧ୍ୟରେ ଇଷ୍ଟର୍ଣ୍ଣ ଡେଡିକେଟେଡ୍ ଫ୍ରେଟ୍ କରିଡର ସହ ସମ୍ବନ୍ଧିତ ଚାଇନିଜ କମ୍ପାନୀର କଣ୍ଟ୍ରାକ୍ଟ ବାତିଲ କରିଥିଲା। ଏହା ପରେ ଅନେକ କ୍ଷେତ୍ରରେ ଚାଇନାକୁ ବୟକଟ୍ କରାଯାଇଛି। ଏପରିକି ୫୯ଟି ଚାଇନିଜ୍ ଆପ୍ସକୁ ମଧ୍ୟ ସରକାର ଦେଶରେ ନିଷିଧ କରିଛନ୍ତି। ଏହି ସବୁ ପ୍ରତିବନ୍ଧକରେ ବିଚଳିତ ହୋଇ ଚୀନ ଏବେ ଭାରତୀୟ ରେଲଓ୍ଵେ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ମାମଲା ଦାୟର କରିଛି।

ରେଲଓ୍ଵେ କାନପୁର  ମୁଗଲସରାୟ ମଧ୍ୟରେ ୪୧୭ କିଲୋମିଟରର ଲମ୍ବା ରେଳ ଲାଇନରେ ସିଗ୍ନାଲ ଓ ଦୂରସଞ୍ଚାର କାମରେ ମନ୍ଥରତା ଯୋଗୁଁ ଚୀନର ଏକ କମ୍ପାନୀର ଠିକା ରଦ୍ଦ କରିବାକୁ ନିର୍ଣ୍ଣୟ ନିଆଯାଇଥିଲା। ଏହି ପ୍ରକଳ୍ପ ପାଇଁ ରେଲଓ୍ଵେ ୨୦୧୬ରେ ଚୀନର କମ୍ପାନୀ ବେଜିଂ ନ୍ୟାସନାଲ ରିସର୍ଚ୍ଚ ଆଣ୍ଡ ଡିଜାଇନ ଇନଷ୍ଟିଚ୍ୟୁୟଟ୍‌କୁ ଠିକା ଦେଇଥିଲା।

{"id":302248,"sizeSlug":"large"}

୪୭୧ କୋଟି ଟଙ୍କାର ଠିକା

ଏହି ପ୍ରକଳ୍ପ ପାଇଁ ଚୀନ କମ୍ପାନୀକୁ ୪୭୧ କୋଟି ଟଙ୍କାର ଠିକା ଦିଆଯାଇଥିଲା। ରେଲଓ୍ଵେ ଅନୁଯାୟୀ ୨୦୧୯ ସୁଦ୍ଧା କାମ ସାରିବାକୁ କମ୍ପାନୀକୁ କୁହାଯାଇଥିଲା। ମାତ୍ର ଏ ପର୍ଯ୍ୟନ୍ତ ମାତ୍ର ୨୦ ପ୍ରତିଶତ କାମ ହୋଇ ପାରିଛି। ଏହାକୁ ଆଧାର କରି ଭାରତୀୟ ରେଲଓ୍ଵେ ଚାଇନିଜ୍‌ କମ୍ପାନୀର କଣ୍ଟ୍ରାକ୍ଟ ବାତିଲ କରିଥିଲେ।

ଆଗକୁ ନିଜେ ଫଣ୍ଡିଂ କରିବ ରେଲଓ୍ଵେ

ଉଲ୍ଲେଖନୀୟ ଏହି ପ୍ରକଳ୍ପ ପାଇଁ ବିଶ୍ଵ ବ୍ୟାଙ୍କ ଅର୍ଥ ଯୋଗାଇଥିଲା। ଇଣ୍ଡିଆନ ଏକ୍ସପ୍ରେସ୍‌ର ରିପୋର୍ଟ ଅନୁଯାୟୀ, ଅଦ୍ୟାବଧି ବିଶ୍ଵ ବ୍ୟାଙ୍କ ଟେଣ୍ଡର ବାତିଲ କରିବା ନେଇ ନନ ଅବଜେକ୍‌ସନ ସାର୍ଟିଫିକେଟ୍ ଦେଇ ନାହିଁ। ଏହି ପରିପ୍ରେକ୍ଷୀରେ ରେଲଓ୍ଵେ ନିଷ୍ପତ୍ତି ନେଇଛି ଯେ, ବିଶ୍ଵ ବ୍ୟାଙ୍କ ଦ୍ଵାରା ନିଆଯିବାକୁ ଥିବା ନିଷ୍ପତ୍ତିର ଅପେକ୍ଷା ନକରି ପ୍ରକଳ୍ପର ବାକି କାମ ପାଇଁ ଫଣ୍ଡିଂ ଖୋଦ୍ କରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.