LAC ଉପରେ ଘୁରି ବୁଲୁଥିଲା ଚୀନ ହେଲିକପ୍ଟର, ମରିଥିବା ସୈନିକଙ୍କୁ ନେବାକୁ ଆସିଥିଲେ

Published By : Prameya-News7 Bureau | June 16, 2020 IST

ନୂଆଦିଲ୍ଲୀ ୧୬।୦୬: ପୂର୍ବ ଲଦାଖରେ ବାସ୍ତବ ନିୟନ୍ତ୍ରଣ ରେଖା(LAC)ରେ ଚୀନ ସହିତ  ହୋଇଥିବା ହିଂସାତ୍ମକ ସଂଘର୍ଷରେ ଭାରତର ୨୦ ଜଣ ଯବାନ ସହିଦ ହୋଇଛନ୍ତି। ଅନ୍ୟପଟେ ଚୀନର ୪୩ ସୈନିକ ନିହତ ହେବା ସହ ଅନେକ ଆହତ ହୋଇଛନ୍ତି। କୁହାଯାଉଛି ସହିଦ ଯବାନଙ୍କ ସଂଖ୍ୟା  ବଢିବାରେ। ଏହି ଘଟଣା ପରେ ଏଲଏସିରେ ଚୀନୀ ହେଲିକପ୍ଟରର ଗତିବିଧି ବଢି ଯାଇଛି। ସୂତ୍ର ଅନୁଯାୟୀ ମରିଥିବା ଚୀନ ସୈନିକଙ୍କ ଶବ ଏବଂ ଆହତଙ୍କୁ ନେବା ପାଇଁ ଏହି ସବୁ  ହେଲିକପ୍ଟର ସଂଘର୍ଷ ଘଟିଥିବା ଅଞ୍ଚଳକୁ ଆସିଥିଲେ।

ସୋମବାର ରାତିରେ ଗଲଓ୍ଵାନ ଘାଟିରେ ଭାରତ ଓ ଚୀନ  ମଧ୍ୟରେ ଘଟିଥିବା ବଡ ଧରଣର ହିଂସାତ୍ମକ ଘଟଣାରେ ଅନେକ ଚୀନ ସୈନିକ ନିହତ ହେବା ସହ ଆହତ ମଧ୍ୟ ହୋଇଛନ୍ତି। ଚୀନ ନିଜ ସୈନିକ ମରିଥିବା କଥା ସ୍ଵୀକାର କରିଥିଲେ ମଧ୍ୟ  ବାସ୍ତବ ସଂଖ୍ୟା କହିବାକୁ ଚାହୁଁନାହିଁ। ଏହା ମଧ୍ୟରେ ଭାରତୀୟ ସୈନିକଙ୍କୁ ଚୀନ ପକ୍ଷ ମଧ୍ୟରେ ଯାହା ସବୁ ଆଲୋଚନା ହୋଇଛି ସେହି ଅନୁଯାୟୀ ଚୀନର ୪୩ ସୈନିକ ନିହତ ହୋଇଛନ୍ତି ଏବଂ ଅନେକ ଗୁରୁତର ଭାବେ ଆହତ ହୋଇଛନ୍ତି।

ଚୀନ ସେନା ଏହା ତ ସ୍ଵୀକାର କରିଛି ଯେ, ହିଂସାତ୍ମକ ସଂଘର୍ଷରେ ଏହାର ଅନେକ ସୈନିକ ନିହତ ହୋଇଛନ୍ତି ମାତ୍ର ସଂଖ୍ୟା କହିବାକୁ ପ୍ରସ୍ତୁତ  ନୁହେଁ। ଚୀନ ସଂଖ୍ୟା ଉପରେ ନିରବ ରହିଛି। କିନ୍ତୁ ନିଜର ମରିଥିବା ଯବାନଙ୍କୁ ନେବା ପାଇଁ ଚୀନର ହେଲିକପ୍ଟର ଘଟଣାସ୍ଥଳରେ ଘୁରି ବୁଲୁଥିଲା।

ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ, ଚୀନ ସୈନିକ ପକ୍ଷରୁ ଯଥାସ୍ଥିତି ବଦଳାଇବାକୁ ପ୍ରୟାସ କରାଯାଇଥିଲା। ଏହାକୁ ବିରୋଧ କରିବାକୁ ଦୁଇ ଦେଶର ସୈନିକଙ୍କ ମଧ୍ୟରେ ହିଂସାତ୍ମକ ସଂଘର୍ଷ ଘଟିଛି। ଏହି ସଂଘର୍ଷରେ ଦୁଇ ପକ୍ଷର କ୍ଷତି ଘଟିଛି। ଯଦି ଚୀନ ସେନା ରାଜିନାମାକୁ ମାନିଥାନ୍ତେ ତେବେ ଏହି ଘଟଣାକୁ ରୋକାଯାଇ ପାରିଥାନ୍ତା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.