ଭୁଟାନ ଉପରେ ଡ୍ରାଗନର ଦାଦାଗିରି, କିଛି ଅଞ୍ଚଳକୁ ଜବରଦସ୍ତି ମାଡିବସିଛି ଚୀନ୍‌ସେନା

Published By : Prameya-News7 Bureau | September 14, 2020 IST

ନୂଆଦିଲ୍ଲୀ ୧୪।୦୯: ସଦାସର୍ବଦା ବିସ୍ତାରବାଦୀ ନୀତିରେ ବିଶ୍ୱାସ କରୁଥିବା ଚୀନ୍‌ ଖେଲିଛି ଆଉ ଏକ ଚାଲ୍‌ । ଦକ୍ଷିଣ ଚୀନ୍‌ ସାଗର ଏବଂ ଲଦାଖ ସୀମାରେ ଚୀନ୍‌ ନିଜର ଆଧିପତ୍ୟ ଜାହିର କରିବାକୁ ଉଦ୍ୟମ କରୁଥିଲା ବେଳେ ଏବେ ଭୁଟାନର ଭୂମିକୁ ବି ନିଜ ଦଖଲକୁ ଆଣିବାକୁ ପ୍ରୟାସ କରୁଛି ।

ରିପୋର୍ଟ ଅନୁଯାୟୀ, ମଧ୍ୟ ଏବଂ ପଶ୍ଚିମ ଭୁଟାନ ସଂଲଗ୍ନ ସୀମାରେ ଚୀନ୍‌ ସେନା ଭୁଟାନର ଅନେକ ଅଞ୍ଚଳକୁ ନିଜ ଦଖଲକୁ ନେଇଯାଇଛି । ଚୀନ୍‌ ସେନା ବ୍ୟାପକ ପରିମାଣରେ ସୈନିକ ଏବଂ ଯୁଦ୍ଧାସ୍ତ୍ର ମୁତୟନ କରିଛି । ଚୀନ୍‌ ପୂର୍ବରୁ ବି ଭୁଟାନର କିଛି ଅଞ୍ଚଳକୁ ନିଜ ଦଖଲରେ ରଖିଛି । ଦୁଇ ଦେଶ ଭିତରେ ଏବେ ସୀମା ବିବାଦର ସମାଧାନ ପାଇଁ ଆଉ ଏକ ପର୍ଯ୍ୟାୟ ଆଲୋଚନା ହେବାର ଅଛି । ଏହା  ପୂର୍ବରୁ ମଧ୍ୟ ଏବଂ ପଶ୍ଚିମ ଭୁଟାନ୍‌ ସୀମାରେ ସାମରିକ ଶକ୍ତି ପ୍ରଦର୍ଶନ କରି ଚୀନ୍‌ ଭୁଟାନ ଉପରେ ଚାପ ବଢାଇବାକୁ ଚାହୁଁଛି । ଏପରି ଚାପ ସୃଷ୍ଟି କରି ସିଏ ଭୁଟାନ ସହିତ ଡିଲ୍‌ କରିବାକୁ ଏବଂ ପୂର୍ବରୁ ନିଜ ଦଖଲରେ ରଖିଥିବା ତା’ର ଭୂମିକୁ ସବୁଦିନ ପାଇଁ ଅକ୍ତିଆର କରିବାକୁ ଯୋଜନା କରିଛି ।

ଚୀନ୍‌ ଭୁଟାନର ମଧ୍ୟ ଭାଗରେ ୩୧୮ ବର୍ଗ କିମି ଏବଂ ପଶ୍ଚିମ ଭାଗରେ ୪୯୫ ବର୍ଗ କିମି ପରିମିତ ଅଞ୍ଚଳକୁ ନିଜର ବୋଲି ଦାବି କରୁଛି । ୨୦୧୭ ମସିହାରେ ଡୋକଲାମ ଉପତ୍ୟାକାରେ ଅନୁପ୍ରବେଶ କରିବା ଘଟଣା ପର ଠାରୁ ଚୀନ୍‌ ଭୁଟାନର ପଶ୍ଚିମ ଭାଗରେ ଥିବା ୫ଟି ସ୍ଥାନରେ ଅନୁପ୍ରବେଶ କରି ବ୍ୟାପକ ମାତ୍ରାରେ ଭୁଟାନର ଅଞ୍ଚଳକୁ ନିଜ ଦଖଲରେ ରଖିଛି ।

ଭୁଟାନର ସୁରକ୍ଷା ଭାରତ ପାଇଁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ । କାରଣ ଭାରତର ସିଲିଗୁଡି କରିଡରକୁ ଭୁଟାନର ସୀମା ଲାଗିଛି । ତେଣୁ ଭୁଟାନର ବ୍ୟାପକ ଅଞ୍ଚଳ ଚୀନ୍‌ ଦଖଲକୁ ଗଲେ ଭାରତର ସିଲିଗୁଡି କରିଡର ପ୍ରତି ବିପଦ ସୃଷ୍ଟି ହେବ । ଭାରତର ଉତ୍ତର-ପୂର୍ବ ରାଜ୍ୟଗୁଡିକ ସହ ମୁଖ୍ୟ ଭୂଖଣ୍ଡକୁ ଏହି କରିଡର ଯୋଡ଼ିଥାଏ । ତେଣୁ ଯୁଦ୍ଧ ହେଲେ ଚୀନ୍‌ ଏହି କରିଡର ଉପରେ ଆକ୍ରମଣ କରି ଭାରତର ଉତ୍ତର-ପୂର୍ବ ରାଜ୍ୟଗୁଡିକୁ ମୁଖ୍ୟ ଭୂଖଣ୍ଡରୁ ଦୂରେଇ ଦେବାକୁ ଉଦ୍ୟମ କରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.