ଅରୁଣାଚଳରୁ ନିଖୋଜ ଯୁବକକୁ ଖୋଜି ପାଇଲା ଚୀନ ସେନା, ଶୀଘ୍ର ହେବ ପ୍ରତ୍ୟାବର୍ତ୍ତନ: ଭାରତୀୟ ସେନା

Published By : Prameya-News7 Bureau | January 23, 2022 IST

ନୂଆଦିଲ୍ଲୀ,୨୨/୦୧:  ଅରୁଣାଚଳ ପ୍ରଦେଶରୁ ନିଖୋଜ ୧୭ ବର୍ଷିୟ କିଶୋରର ମିଳିଲା ସନ୍ଧାନ। ଚୀନର ପିପୁଲ୍ସ ଲିବେରେସନ ଆର୍ମି ଯୁବକକୁ ଖୋଜି ପାଇଥିବା ଭାରତୀୟ ସେନା ପକ୍ଷରୁ ସୂଚନା ଦିଆଯାଇଛି । ତେଜପୁରର ପିଆରଓ ଲେପ୍ଟନାଣ୍ଟ କର୍ଣ୍ଣଲ ହର୍ଷବର୍ଦ୍ଧନ ପାଣ୍ଡେ ବୟାନ ଦେଇ କହିଛନ୍ତି, ଅରୁଣାଚଳ ପ୍ରଦେଶରୁ ନିଖୋଜ କିଶୋରର ସନ୍ଧାନ ମିଳିଥିବା ଚୀନ ସେନା ପକ୍ଷରୁ ଅବଗତ କରାଯାଇଛି।

ଅରୁଣାଚଳ ପ୍ରଦେଶରୁ ଜଣେ ୧୭ ବର୍ଷିୟ କିଶୋରକୁ ଚୀନର ପିଏଲଏ ଅପରହଣ କରି ନେଇଥିବା ଅଭିଯୋଗ ହୋଇଥିଲା । ଭାରତ ସରକାରଙ୍କ ପକ୍ଷରୁ ଅପହରଣ ନେଇ କୌଣସି ସରକାରୀ ବୟାନ ଦିଆ ନଥିଲା । କିନ୍ତୁ ଭାରତୀୟ ସେନା ନିଖୋଜ ଯୁବକ ପ୍ରସଙ୍ଗରେ ଚୀନ ସେନା ସହ ଆଲୋଚନା କରିଥିଲେ ।

ସୂଚନାଯୋଗ୍ୟ, ଅରୁଣାଳୟ ପ୍ରଦେଶର ସିଙ୍ଗୁଗଲାର ଲୁଙ୍ଗଟା ଜୋର ଅଞ୍ଚଳର ୧୭ ବର୍ଷର ମିରାମ ତାରୋନ ଗତ ୧୮ ତାରିଖରୁ କଥିତ ରୁପେ ନିଖୋଜ ହୋଇଥିବା ଅଭିଯୋଗ ହୋଇଥିଲା। ଅରୁଣାଚଳ ପ୍ରଦେଶର ସାଂସଦ ତାପିର ଗାଓ ଜାନୁଆରୀ ୧୯ରେ ଅଭିଯୋଗ କରିଥିଲେ, ରାଜ୍ୟର ସିଆଙ୍ଗ ଜିଲ୍ଲାରୁ ଜଣେ ୧୭ ବର୍ଷର କିଶୋରକୁ ଚୀନ ସେନା ଅପରହଣ କରି ନେଇଛି । ମିରାମଙ୍କ ଜଣେ ବନ୍ଧୁ ଏନେଇ ସ୍ଥାନୀୟ ଅଧିକାରୀଙ୍କୁ ଜଣାଇଥିବା ସେ କହିଥିଲେ। ଏହାସହ ଯୁବକଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ସରକାରଙ୍କୁ ନିବେଦନ କରିଥିଲେ।

ଜାନୁଆରୀ ୨୦ରେ ଭାରତୀୟ ସେନା ଚୀନ ସେନା ସହ ଏହି ପ୍ରସଙ୍ଗରେ ଆଲୋଚନା କରିଥିଲା । ଶିକାର ଏବଂ ଔଷଧୀୟ ଗଛର ଅନୁସନ୍ଧାନରେ ଯାଇଥିବା ଜଣେ ଯୁବକ ରାସ୍ତା ଭୁଲି ନିଖୋଜ ହୋଇଥିବା ଚୀନ ସେନାକୁ ଜଣାଇଥିଲା ଭାରତୀୟ ସେନା । ଏହାସହ ନିଖୋଜ ଯୁବକକୁ ଖୋଜିବା ସହ ପ୍ରୋଟୋକଲ ଅନୁଯାୟୀ ଫେରାଇବାକୁ ଦାବି ଜଣାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.