ସୀମାରେ ଉତ୍ତେଜନା ଯୋଗୁ ରେଳବାଇ ଓ ଟେଲିକମ୍ କ୍ଷେତ୍ରରେ କଣ୍ଟ୍ରାକ୍ଟ ହରାଇବେ ଚୀନ୍ କମ୍ପାନୀ

Published By : Prameya-News7 Bureau | June 18, 2020 IST

ନୂଆଦିଲ୍ଲୀ ୧୮।୬: ପୂର୍ବ ଲଦ୍ଦାଖରେ ଚୀନ୍‌ ସେନାଙ୍କ ଆକ୍ରମଣ ଘଟଣା ଦେଶରେ ଅଶନ୍ତୋଷର କାରଣ ପାଲଟିଛି। ଚୀନ୍‌ ବିରୋଧରେ ଏବେ ଜନମତ ସୃଷ୍ଟି ହେଉଥିବା ବେଳେ ସରକାରଙ୍କ ନିର୍ଦ୍ଦେଶ ଏଠାରେ ବ୍ୟବସାୟ କରୁଥିବା ଚୀନା କମ୍ପାନୀଙ୍କ ଲାଗି ଚିନ୍ତାର କାରଣ ପାଲଟିଛି। ଏଥିରେ ରେଳବାଇ ଓ ଟେଲିକମ୍ୟୁନିକେସନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଚୀନ୍‌ କମ୍ପାନୀ କଣ୍ଟ୍ରାକ୍ଟ ହରାଇବା ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି।

ଡିପାର୍ଟମେଣ୍ଟ ଅଫ ଟେଲିକମ୍ୟୁନିକେସନ (ଡିଓଟି) ତାଙ୍କ  ପରିଚାଳନାଧୀନ ଭାରତ ସଞ୍ଚାର ନିଗମ ଲିମିଟେଡ (ବିଏସଏନଏଲ)ଙ୍କୁ ଆଧୁନିକରଣ କାର୍ଯ୍ୟରେ ଚୀନ୍‌ ନିର୍ମିତ ସାମଗ୍ରୀ ଉପଯୋଗ ନ କରିବା ଲାଗି ସ୍ପଷ୍ଟ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏଣୁ ବିଏସଏନଏଲ ୪-ଜି ଫ୍ୟାସେଲିଟିଜ୍ ମାନଙ୍କରେ ଏବେ ଚୀନ୍‌ ନିର୍ମିତ ସାମଗ୍ରୀ ବ୍ୟବହାର ନ କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡିଛି।

ସେହିପରି ଘରୋଇ ଅପରେଟରମାନଙ୍କୁ ମଧ୍ୟ ସେମାନଙ୍କର ଚୀନ ନିର୍ଭରଶୀଳତା ହ୍ରାସ ଲାଗି କୁହାଯାଇଛି। ଅନ୍ୟପକ୍ଷରେ ଉପୁଜିଥିବା ପରିସ୍ଥିତି ଯୋଗୁ ଚୀନ ଉପକରଣରେ ନିର୍ମିତ ନେଟୱାର୍କର ଏବେ ସୁରକ୍ଷା ଯାଞ୍ଚ ହେବ ବୋଲି ମଧ୍ୟ ଜଣାପଡିଲାଣି। ଏଣୁ ଭାରତରେ ଏଭଳି କାର୍ଯ୍ୟର ଠିକା ନେଉଥିବା ଚୀନ୍‌ କମ୍ପାନୀ ହୁୱେଇ ଓ ଜେଡଟିଇ ପ୍ରଭାବିତ ହେବା ନିଶ୍ଚିତ ହୋଇଯାଇଛି।

ସେହିପରି ପୂର୍ବ ଫ୍ରେଟ୍ କରିଡରରେ ସିଗ୍ନାଲିଂ କାମର ଠିକା ନେଇଥିବା ଚୀନ ରେଲ ସିଗ୍ନାଲ ଏଣ୍ଡ କମ୍ୟୁନିକେସନ କର୍ପୋରେସନ (ସିଆରଏସସି) ସହ ରାଜିନାମା ରଦ୍ଦ ଲାଗି ବାଟ ସଫା ହୋଇଯାଇଛି।   ୨୦୧୬ ମସିହାରେ ସିଆରଏସସି ୪୧୩ କିଲୋମିଟର ରେଳ ମାର୍ଗର ସିଗ୍ନାଲିଂ କାମ କରିବା ଲାଗି ରେଳବାଇଙ୍କ ସହ ରାଜିନାମା କରିଥିଲା । ତେବେ ଚୀନ୍ ସହ ବିଦ୍ୱେଷ ପରେ ଏବେ ଏହି କାମ ଦେଶର କମ୍ପାନୀଙ୍କୁ ମିଳିବା ସ୍ପଷ୍ଟ ହୋଇଯାଇଛି।

ଉତ୍ତରପ୍ରଦେଶର ନ୍ୟୁ ବାହାଉପୁର-ମୋଗଲ ସରାୟ ୪୧୩ କିଲୋମିଟର ଦୀର୍ଘ ରେଳମାର୍ଗ ନିମନ୍ତେ ସିଗ୍ନାଲିଂ ଲାଗି ସିଆରଏସସି ୫୦୦ କୋଟି ଟଙ୍କାର ଚୁକ୍ତି କରିଥିଲା। ତେବେ ଏଥିରୁ ଫ୍ରାଇଟ୍ କରିଡୋର କର୍ପୋରେସନ ଓବେ ଓହରି ଯିବାକୁ ନିଷ୍ପତ୍ତି ନେଇଛନ୍ତି।

ସୂଚନା ଯୋଗ୍ୟଯେ ଗତ ୧୫ ଜୁନ ରାତିରେ ପୂର୍ବ ଲଦ୍ଦାଖର ଗଲୱାନ ସେକ୍ଟରରେ ଚୀନ ସେନା ଆତର୍କିତ ଆକ୍ରମଣ କରିବା ଯୋଗୁ ଜଣେ କର୍ଣ୍ଣେଲଙ୍କ ସମେତ ମୋଟ ୨୦ ଜଣ ଜବାନ ଶହିଦ ହୋଇଛନ୍ତି। ସାମାକୁ ନେଇ ଆଲୋଚନା ଜାରି ଥିବା ବେଳେ ଚୀନ ସେନାର ଏପରି କାର୍ଯ୍ୟ ଭାରତକୁ ବ୍ୟଥିତ କରିଥିବା ବେଳେ ସମଗ୍ର ଚୀନ୍‌ ସୀମାରେ ସୁରକ୍ଷା କଡାକଡି କରିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.