ନେପାଳ: ଓଲିଙ୍କୁ ହଟାଇ ପ୍ରଚଣ୍ଡଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ଅଣ୍ଟାଭିଡିଲା ଡ୍ରାଗନ, ରବିବାର କାଠମାଣ୍ଡୁ ଆସୁଛନ୍ତି ଚୀନ୍ ପ୍ରତିନିଧି ଦଳ

Published By : Prameya-News7 Bureau | December 26, 2020 IST

କାଠମାଣ୍ଡୁ ୨୬।୧୨: ଚୀନ୍‌ କମ୍ୟୁନିଷ୍ଟ ପାର୍ଟି ବୈଦେଶିକ ବିଭାଗର ସବୁଠାରୁ ବରିଷ୍ଠ ଭାଇସ୍‌ ମିନିଷ୍ଟର ଗୋଉ ୟେଝଉ ୪ ସଦସୀୟ ପ୍ରତିନିଧି ମଣ୍ଡଳଙ୍କ ସହ ରବିବାର କାଠମାଣ୍ଡୁ ପହଞ୍ଚୁଥିବାର ଜଣାପଡିଛି। ନେପାଳ କମ୍ୟୁନିଷ୍ଟ ପାର୍ଟିରେ ଲାଗିଥିବା କ୍ଷମତା କନ୍ଦଳରେ ଚୀନ୍‌ ନିଜ ସ୍ୱାର୍ଥ ସୁରକ୍ଷିତ କରିବା ଲାଗି ଏହି ପ୍ରତିନିଧି ମଣ୍ଡଳ ପ୍ରେରଣ କରିଥିବା ବେଳେ ସେମାନେ ପ୍ରଧାନମନ୍ତ୍ରୀ ପଦରେ ପ୍ରଚଣ୍ଡଙ୍କୁ ପୁଣି ଅବସ୍ଥାପିତ କରିବେ ବୋଲି ସୂଚନା ମିଳୁଛି।

ନେପାଳ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲିଙ୍କ ମନ୍ତ୍ରୀମଣ୍ଡଳ ସଂସଦ ଭଙ୍ଗଲାଗି ସୁପାରିଶ କରି ଚୀନ ଦ୍ୱାରା ସ୍ଥାପିତ ପାର୍ଟିରେ ବିଭାଜନ କରିଦେଇଛନ୍ତି। ଏବେ ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତି ପରେ ବିଭାଜନର ଔପଚାରିକତା ମଧ୍ୟ ସମ୍ପୂର୍ଣ୍ଣ ହୋଇଯିବ। ଏହା ଚୀନ୍‌ ଲାଗି କୌଣସି ଦୁଃସ୍ୱପ୍ନଠାରୁ କମ୍‌ ନୁହେଁ। କାରଣ ଚୀନ୍‌ ତିଆରି କରିଥିବା ପାର୍ଟି ବିଭାଜିତ ହେବା ସହ ନେପାଳ ଶାସନ ଉପରେ ଚୀନର ଅଧିକାର ଦୁର୍ବଳ ହୋଇପଡିଛି। 

ନେପାଳ ଶାସନରେ ହେବାକୁ ଯାଉଥିବା ପରିବର୍ତ୍ତନ ଲାଗି ଚୀନ୍‌ ଏବେ ଓଲିଙ୍କୁ ଦାୟି କରୁଛି। ଏଣୁ ନୂଆ ରଣନୀତିରେ ତାଙ୍କୁ କ୍ଷମତାରୁ ବେଦଖଲ କରି ପ୍ରଚଣ୍ଡଙ୍କୁ ଦେଶର ନୂଆ ପ୍ରଧାନମନ୍ତ୍ରୀ କରିବାକୁ ଯୋଜନା କରିଛି। ଯାହା ଦ୍ୱାରା ଓଲିଙ୍କୁ ରାଜନୈତିକ ଏକଘରକିଆ କରି  କ୍ରମଶଃ ଦେଶର କ୍ଷମତାରୁ ଦୂରେଇ ଦେଇ ହେବ ବୋଲି  ଚୀନ୍‌ ଭାବିଛି।  ପ୍ରତିନିଧି ମଣ୍ଡଳଙ୍କ ନେପାଳ ଗସ୍ତ ଲାଗି କାଠମାଣ୍ଡୁସ୍ଥିତ ଚୀନ୍‌ ରାଷ୍ଟ୍ରଦୂତ ହୋଉ ୟାଙ୍କୀ ଶନିବାର ଗୋଟିଏ ଦିନରେ ପ୍ରଚଣ୍ଡଙ୍କୁ ୩ ଥର ଭେଟି ସାରିଲେଣି।

ପ୍ରଚଣ୍ଡଙ୍କୁ ପ୍ରଧାନମନ୍ତ୍ରୀ କରି ଯେ କୌଣସି ପ୍ରକାରେ ନେପାଳ ସଂସଦ ପୁନର୍ଗଠନ ଏବେ ଚୀନ୍‌ ପାଇଁ  ଆହ୍ୱାନ ପାଲଟିଛି। ଏଥିପାଇଁ ରାଷ୍ଟ୍ରଦୂତ ୟାଙ୍କୀ  ଦିନ ତମାମ ମାଧବ ନେପାଳ, ଝଲନାଥ ଖନଲ, ବାମଦେବ ଗୌତମଙ୍କ ସମେତ ଅନେକ ନେତାଙ୍କୁ ଭେଟିବା ସହ ଚୀନର ଉଦ୍ଦେଶ୍ୟ ସମ୍ପର୍କରେ ସେମାନଙ୍କୁ ଅବଗତ କରାଇଛନ୍ତି। 

ଭଙ୍ଗ ସଂସଦକୁ ପୁନର୍ଗଠନ ଲାଗି ସମର୍ଥନ ଯୋଗାଡ ଉଦ୍ଦେଶ୍ୟରେ ୟାଙ୍କୀ ଜନତା ସମାଜବାଦୀ ପାର୍ଟିର ଡା.ବାବୁରାମ ଭଟ୍ଟରାଇ ଓ ଉପେନ୍ଦ୍ର ଯାଦବଙ୍କୁ ମଧ୍ୟ ଭେଟିଛନ୍ତି।  ଏହି ପାର୍ଟି  ଦେଶରେ ଭାରତର ସମର୍ଥକ ଭାବେ ପରିଚିତ। ତେବେ ଚୀନ୍‌ ରାଷ୍ଟ୍ରଦୂତ ପାର୍ଟିରେ ଅମେଳ କରି ନେତାମାନଙ୍କୁ ନିଜ ମୁତାବକ ରାଜି କରାଇ ନେଇଛନ୍ତି। ତେବେ ୟାଙ୍କୀ ନେପାଳୀ କଂଗ୍ରେସକୁ ମନେଇବାରେ କିନ୍ତୁ ସଫଳ ହୋଇପାରିନାହାନ୍ତି।  କଂଗ୍ରେସ କେ.ପି.ଶର୍ମା ଓଲିଙ୍କ ସଂସଦ ଭଙ୍ଗ ନିଷ୍ପତ୍ତିକୁ ଅସମ୍ବିଧାନିକ କହିଛି। ହେଲେ ଉପୁଜିଥିବା ପରିସ୍ଥିତିରେ ଭଙ୍ଗ ସଂସଦ ଗଠନ ବଦଳେ ତାଜା ଜନାଦେଶ ଲାଗି ନିର୍ବାଚନକୁ ସ୍ୱାଗତ କରିବ ବୋଲି କହିଛି। ଅର୍ଥାତ କଂଗ୍ରେସ ପାର୍ଟି ଚୀନକୁ ପ୍ରସଙ୍ଗରେ ସମର୍ଥନ କରୁନଥିବା ସଫାସଫା କହିଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.