‘କରୋନା ବିରୋଧୀ ଲଢ଼େଇରେ ଭାରତକୁ ଯଥାସମ୍ଭବ ସହାୟତା କରିବ ଚୀନ’

Published By : Prameya-News7 Bureau | April 29, 2021 IST

ନୂଆଦିଲ୍ଲୀ ୨୯/୪: ଭାରତରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ିଚାଲିଥିବା ବେଳେ ଏବେ ବିଦେଶରୁ ସହାୟତାର ସୁଅ ଛୁଟିଛି। ବ୍ରିଟେନ୍‌, ଋଷ, ଆମେରିକା, ଫ୍ରାନ୍ସ ଭଳି ଦେଶ ଭାରତକୁ ସାହାଯ୍ୟ କରିବାକୁ ଆଗକୁ ଆସିଛନ୍ତି। କରୋନା ସଙ୍କଟ ବେଳେ ପଡ଼ୋଶୀ ଚୀନ ଭାରତକୁ ଯଥା ସମ୍ଭବ ସହାୟତା କରିବାକୁ ପ୍ରତିଶ୍ରୁତି ଦେଇଛି। ଚୀନର ବୈଦେଶିକ ମନ୍ତ୍ରୀ ଓ୍ବାଙ୍ଗ ୟି ଗୁରୁବାର ପ୍ରତିଶ୍ରୁତି ଦେଇ କହିଛନ୍ତି, କୋଭିଡ-୧୯ ସଂକ୍ରମଣ ବୃଦ୍ଧି ବିରୋଧରେ ଭାରତ କରୁଥିବା ଲଢ଼େଇରେ ଯଥା ସମ୍ଭବ ଚୀନ ସାହାଯ୍ୟ କରିବ। କରୋନା ମହାମାରୀ ବିରୋଧରେ ଉପଯୋଗ ହେଉଥିବା ସମସ୍ତ ପ୍ରକାର ଉପକରଣ ଚୀନ ଶୀଘ୍ର ଭାରତକୁ ପଠାଇବାକୁ ବନ୍ଦୋବସ୍ତ କରୁଛି।

ବୈଦେଶିକ ମନ୍ତ୍ରୀ ଜୟଶଙ୍କରଙ୍କୁ ଲେଖିଥିବା ଚିଠିରେ ସେ ଲେଖିଛନ୍ତି, ‘ଭାରତ ଯେଉଁ ଆହ୍ବାନକୁ ସାମ୍ନା କରୁଛି ସେଥିପ୍ରତି ସମବେଦନା ବ୍ୟକ୍ତ କରୁଛି ଚୀନ ଏବଂ ଗଭୀର ସହାନୁଭୂତି ପ୍ରକଟ କରୁଛି।’  ଭାରତରେ ଚୀନର ରାଷ୍ଟ୍ରଦୂତ ସନ୍‌ ଓ୍ବେଇଡୋଙ୍ଗ ଟ୍ବିଟ୍‌ରେ ଏନେଇ ଜଣାଇଥିବା ବେଳେ ଏଥିରେ ଲେଖା ଅଛି, ‘କରୋନା ଭୂତାଣୁ ମଣିଷର ଶତ୍ରୁ । ଅନ୍ତର୍ଜାତୀୟ ସମୂହକୁ ଏକଜୁଟ ହୋଇ ଏବଂ ସମନ୍ବିତ ଭାବେ ଏହା ବିରୋଧରେ ଲଢ଼େଇ କରିବାକୁ ହେବ। ଚୀନ ପକ୍ଷ ଭାରତ ସରକାର ଏବଂ ଭାରତବାସୀଙ୍କ ମହାମାରୀ ବିରୋଧୀ ଲଢ଼େଇକୁ ସମର୍ଥନ କରୁଛି।’

ଭାରତକୁ ସହାୟତା କରିବା ପାଇଁ ଚୀନରେ ପ୍ରୁସ୍ତୁତ ହେଉଥିବା କରୋନା ବିରୋଧୀ ଉପକରଣକୁ ପଠାଯାଉଛି ବୋଲି ଓ୍ବାଙ୍ଗ ଲେଖିଛନ୍ତି। ସେ ଆହୁରି ଲେଖିଛନ୍ତି, ‘ଭାରତର ଆବଶ୍ୟକତା ଅନୁସାରେ ଚୀନ ଯଥାସମ୍ଭବ ସମର୍ଥନ ଏବଂ ସହାୟତା କରିବା ଜାରି ରଖିବ। ଭାରତ ସରକାରଙ୍କ ନେତୃତ୍ବରେ ଲୋକମାନେ ଖୁବ ଶୀଘ୍ର ମହାମରୀ ଉପରେ କାବୁ ଆଣିପାରିବେ। ’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.